ଯାଜପୁର, ୯/୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ ଅନ୍ତର୍ଗତ ଦର୍ପଣଠାରୁ ସମିଆଁ ରାସ୍ତାଟି ପୂର୍ବରୁ ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀନରେ ରହିଥିଲା | ଅବଶ୍ୟ ୨୦୧୭ ଜୁନ୍ ମାସରେ ଏହା ପୂର୍ତ୍ତ ବିଭାଗ ଅଧିନକୁ ହସ୍ତାନ୍ତର ହୋଇଛି | ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗ ପ୍ରସ୍ତାବ ଦେଇସାରିବା ପରେ ମଧ୍ୟ ଦଳୀୟ କର୍ମୀଙ୍କ ସନ୍ତୁଷ୍ଟିକରଣ ଉଦ୍ଦେଶ୍ୟରେ ବିଧାୟକଙ୍କ ଇସାରାରେ ସେଥିରେ ଆଉ କିଛି ଅର୍ଥ ବ୍ୟୟବରାଦ କରାଇ ଯେନତେନ ପ୍ରକାରେ କାମ ସାରିଦେଇ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ଯୋଜନା କରାଯାଇ ଥିଲା | ଏହିକ୍ରମରେ ରାସ୍ତାର ୩ କିଲୋମିଟର ଅଂଶକୁ ଉନ୍ନତିକରଣ କରିବା ନିମନ୍ତେ ଏହାକୁ ଏକ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପ୍ରକଳ୍ପରେ ମୋଟ ୧କୋଟି ୫୦ଲକ୍ଷ ୧୦ହଜାର ଟଙ୍କା ବ୍ୟୟରେ ଏକ ପ୍ୟାକେଜ ଭାବେ ଭର୍ତ୍ତି କରି ଏବଂ ପାଞ୍ଚ ବର୍ଷ ମରାମତି ବାବଦରେ ମଧ୍ୟ ୧୦ଲକ୍ଷ ୮୬ହଜାର ଟଙ୍କାର ବ୍ୟୟବରାଦ କରାଯାଇ ସ୍ଵୟଂ ପ୍ରକାଶ ଦାସ ନାମକ ଜନୈକ ଠିକାଦାରଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା | ଏହି ପ୍ୟାକେଜରେ ୭୦୦ମିଟର ରାସ୍ତା କଂକ୍ରିଟ ଓ ୨.୩କିମି ରାସ୍ତା ପିଚୁ କରିବା ଏବଂ ୨୦୧୬ ମସିହା ଡ଼ିସେମ୍ବର ମାସରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୭ ମସିହା ସେପ୍ଟେମ୍ବର ମାସ ୧୮ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶନାମା ଦିଆଯାଇଥିଲେ ମଧ୍ୟ ନିର୍ଦ୍ଧାରିତ ଅବଧି ମଧ୍ୟରେ କାର୍ଯ୍ୟ ସମାପନ ହୋଇ ନ ପାରି ବିଳମ୍ବିତ ମଧ୍ୟ ହୋଇଥିଲା | ଠିକାଦାରଙ୍କ ନାମରେ କାର୍ଯ୍ୟାଦେଶ ରହିଥିଲେ ମଧ୍ୟ ସେ କିନ୍ତୁ କୌଣସି ସମୟରେ ବି କାର୍ଯ୍ୟକ୍ଷେତ୍ରକୁ ଆସୁ ନ ଥିଲେ ଏବଂ ଠିକାଦାର କାର୍ଯ୍ୟରେ ଅନଭିଜ୍ଞ ଶାସକ ଦଳର କେତେକ ଆଗୁଆ କର୍ମୀ ହିଁ ଏଠାରେ ନିର୍ମାଣ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା | ଆରମ୍ଭରୁ ହିଁ ସେମାନେ ଅତି ନିମ୍ନମାନର କଂକ୍ରିଟ ଓ ପିଚୁ ରାସ୍ତା ନିର୍ମାଣ କରିବା ଦେଖାଯିବା ପରେ ସେତେବେଳେ ଅଭିଯୋଗ ହୋଇଥିଲା ଏବଂ ସେଥିନେଇ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା | ଫଳରେ ବିଭାଗୀୟ ଅଧିକାରୀମାନେ ଏଠାକୁ ଆସି ନିର୍ମାଣ କାର୍ଯ୍ୟର ଯାଞ୍ଚ କରିବା ସହିତ ନିମ୍ନମାନର ପିଚୁ ରାସ୍ତା ନିର୍ମାଣ ହେଉଥିବା ଦେଖି ନିର୍ମାଣ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ତାଗିଦ କରି ସେଠାରେ ପୁନଃ ଆଉ ଗୋଟିଏ ସ୍ତର ମେଟାଲିଙ୍ଗ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ନିର୍ଦ୍ଦେଶକୁ ଅନୁପାଳନ କରି ମାତ୍ର କିଛି ଅଂଶ ରାସ୍ତାକୁ ହିଁ ଦ୍ଵିତୀୟ ବାର ମେଟାଲିଙ୍ଗ କରାଯିବା ଦେଖିବାକୁ ମିଳିଥିଲା | ମାତ୍ର ନିମ୍ନମାନର କଙ୍କ୍ରିଟ୍ ରାସ୍ତା ନିର୍ମାଣ ଉପରେ ବିଭାଗୀୟ ଅଧିକାରୀମାନେ ସେତେବେଳେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ | ସେତେବେଳେ ନିମ୍ନମାନର କଙ୍କ୍ରିଟ୍ ରାସ୍ତା ନିର୍ମାଣ ନେଇ କରାଯାଇଥିବା ଅଭିଯୋଗକୁ କର୍ତ୍ତୃପକ୍ଷ ଅଣଦେଖା କରିଥିଲେ ସତ ମାତ୍ର ସେହି ସତ ହିଁ ଏବେ ପଦାକୁ ଫୁଟି ବାହାରିଛି | ନିର୍ମାଣ ସରିବାର ମାତ୍ର ବର୍ଷଟିଏ ନ ପୁରୁଣୁ ଦର୍ପଣଠାରୁ ଖରମଙ୍ଗୀ ମଧ୍ୟରେ ନିର୍ମିତ ୭୦୦ମିଟର କଂକ୍ରିଟ ରାସ୍ତା ମଧ୍ୟରୁ ଏବେ ପ୍ରାୟ ୫୦ମିଟର କଂକ୍ରିଟ ଫାଟି ଆଁ କଲାଣି | ହୁଏତ ଠିକାଦାର ନିଜ ବିଲ୍ ଗୃହୀତ କରାଇ ଉଠାଣ କରି ନେଇ ସାରିବେଣି | ଏହି ରାସ୍ତାଟି ଇତିମଧ୍ୟରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି ଏବଂ ପୂର୍ତ୍ତ ବିଭାଗ ମଧ୍ୟ ଏହି ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ନିମନ୍ତେ ଅନ୍ୟ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେଇଦେବା ପରେ ଠିକାଦାରଙ୍କ ଦ୍ଵାରା ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି ! ତେବେ ଏହି ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ନେଇ ଠିକାଦାରଙ୍କ ଉପରେ ଗ୍ରାମ୍ୟ ନିର୍ମାଣ ବିଭାଗ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହାକୁ ତ ଏବେ ଦେଖିବାର ଅଛି ! ଅନ୍ୟପକ୍ଷରେ ପାଞ୍ଚ ବର୍ଷ ମରାମତି ପାଇଁ ଗଚ୍ଛିତ ରହିଥିବା ୧୦ଲକ୍ଷ ୮୬ହଜାର ଟଙ୍କାର ବ୍ୟୟ ବରାଦ ଅର୍ଥ ଏବେ କୁଆଡ଼େ ଯାଉଛି ଏବଂ ସେହି ଗଚ୍ଛିତ ଅର୍ଥରେ ନା ଠିକାଦାର ନିମ୍ନମାନର ନିର୍ମାଣ କାର୍ଯ୍ୟ କରି ଆହରଣ କରିଥିବା ଅର୍ଥ ଖର୍ଚ୍ଚ କରି ଏହି ଫଟା କଂକ୍ରିଟ ରାସ୍ତାର ପୁନଃ ନିର୍ମାଣ କରୁଛି-ତାହାକୁ ମଧ୍ଯ ନଜର ଅନ୍ଦାଜ କରିବା ହୁଏତ ଅନୁଚିତ୍ ହେବ !
ବଡ଼ଚଣାରେ ରାସ୍ତା ନିର୍ମାଣ ଦୁର୍ନୀତି ଓ ଅନିୟମିତତାର ଫର୍ଦ୍ଦ-୧: ପିଏମଜିଏସଓ୍ବାଇ ରାସ୍ତାକୁ ବର୍ଷେ ନପୂରୁଣୁ କାହିଁକି ଫାଟି ଆଁ କଲାଣି କଂକ୍ରିଟ ?
|
December 9, 2019 |