ସାଧାରଣରେ ଗୋଟିଏ ଧାରଣା ଥାଏ ଟିଭି ଖବରକାଗଜରେ ଯାହା ଵାହାରେ ବା ଦେଖାଯାଏ ତାହା ପ୍ରାୟତଃ ସତ୍ୟ, କିନ୍ତୁ ଵେଶ୍ କିଛି ବର୍ଷ ହେବ ଆମ ଦେଶରେ ଗଣମାଧ୍ୟମର ସ୍ବଚ୍ଛତା ଆଉ ନିରପେକ୍ଷତାକୁ ନେଇ ସନ୍ଦେହ ଦେଖାଯାଇଛି । ରାଜନୈତିକ ଦଳମାନଙ୍କର ହାତବାରିଶ ହୋଇ ମନଗଢା ଖବର ସାଙ୍ଗକୁ ସତ୍ୟକୁ ଜାଣିଶୁଣି ଲୁଚାଇ ରଖିବାକୁ ଚେଷ୍ଠା କରାଯାଉଛି । ଆମ ରାଜ୍ୟର ଚିତ୍ର ଯଦି ଦେଖିବା ତାହେଲେ ପାଦ ତଳର ମାଟି ଖସି ପଡିଲା ପରି ମନେ ହେଉଛି । ବେଶି ଦୁଖଃ ଲାଗୁଛି ଦିନେ ଯେଉଁମାନେ ନୀତି ନୈତିକତା ଆଉ ସ୍ବଚ୍ଛତା ନିରପେକ୍ଷତାର ସ୍ଲୋଗାନ ଦେଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ଭୂମିକା ତୁଲାଇବାକୁ ପ୍ରତିଶୃତି ଦେଇଥିଲେ ସେମାନେ ଆଜି ସମୟ ଚକ୍ରରେ ସେ କଥା ସଵୁ ଭୁଲି ନିର୍ଦ୍ଧିଷ୍ଟ ଦଳ ତଥା ପ୍ରାର୍ଥୀଙ୍କ ପାଇଁ ମୁଖପାତ୍ର ପାଲଟି ଯାଇଛନ୍ତି । ଦୁର୍ବଳ ବିରୋଧୀ ଦଳଙ୍କ ସ୍ଥାନରେ ଏକଦା ଏ ରାଜ୍ୟରେ ଗଣମାଧ୍ୟମ ଏକ ବଡ ଭୂମିକା ନିର୍ବାହ କରୁଥିବାରୁ ଶାସକ ସାମ୍ଭାଵ୍ୟ ପରାଜୟର ଭୟରେ କିଛି ପ୍ରମୂଖ ଗଣମାଧ୍ୟମର ମାଲିକ/ପୃଷ୍ଠପୋଷକ ମାନଙ୍କୁ ନିଜ ଦଳରେ ସାମିଲ କରିଦେଲେ ଆଉ ଗୋଟିଏ ଗୁଳିରେ ଦୁଇଟି ଶିକାର ନ୍ୟାୟରେ ଏମାନେ ସେହି ଦଳମାନଙ୍କ ପାଇଁ ବର୍ତ୍ତମାନ କାମରେ ଲାଗିପଡିଛନ୍ତି । ସରକାରୀ ତହବିଲରୁ କୋଟି କୋଟି ଟଙ୍କା Advertisement ମାଧ୍ୟମରେ ପାଇବା ସହ ପ୍ରତ୍ୟକ୍ଷ ବା ପରୋକ୍ଷ ରାଜନୀତିରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପାଉଛନ୍ତି । ନିର୍ବାଚନ ପରିପ୍ରେକ୍ଷୀରେ କିଛି ଗଣମାଧ୍ୟମ ରୀତିମତ କେବଳ ସେମାନଙ୍କ ମାଲିକ ତଥା ତାଙ୍କ ମାଲିକଙ୍କୁ ଖୁସି କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । କାନକୁ ଭଲ ଶୁଭିବା ପରି କିଛି ଶବ୍ଦ ଯଥା..ଆମେ କହୁ ଆପଣଙ୍କ କଥା…ଆମେ କହୁ ସତ ଆଉ ଦେଖାଉ ସତ…ଓଡିଶାର ୧ନମ୍ବର ଖଵରକାଗଜ…ଇତ୍ୟାଦି ଇତ୍ୟାଦି ବ୍ୟବହାର କରି ନିଜର ପ୍ରତିଶ୍ରୁତି ଆଉ ପ୍ରତିବଦ୍ଧତାକୁ ପ୍ରଚାର କରୁଥିବା ଗଣମାଧ୍ୟମ ସଂସ୍ଥାମାନେ ଏହା ମଧ୍ୟରେ ନିଜର ମୂଳ ଆଭିମୁଖ୍ୟ ଠାରୁ ଦୁରେଇ ଯାଇଛନ୍ତି । ଏକଥା ଭୁଲିଯିବା ଉଚ୍ଚିତ ନୁହେଁ ସେମାନଙ୍କ ଏଭଳି ପକ୍ଷପାତିତା କେବଳ ଗଣମାଧ୍ୟମ ଶିଳ୍ପ ପାଇଁ କଳଙ୍କ ନୁହେଁ ବରଂ ଗଣତନ୍ତ୍ର ପାଇଁ ଏକ ଛଦ୍ମବେଶୀ ବିପଦ ବୋଲି ବୁଝିବାକୁ ପଡିବ । ସାଧାରଣ ଦର୍ଶକ ଆଉ ପାଠକକୁ ଵର୍ଷ ବର୍ଷ ଧରି ଯାହାତ ମିଥ୍ୟା ଆଉ ଅରୁଚିକର ବିଗ୍ୟାପନ ମାଧ୍ୟମରେ ଠକାଯାଇଛି ଆଉ ବାକି ଯାହା ଥିଲା ପାଞ୍ଚ ବର୍ଷରେ ସୁଧ ମୂଳ ସହ ହାସଲ ପାଇଁ ଚେଷ୍ଠା ଆରମ୍ଭ ହୋଇଯାଇଛି । ଅପରପକ୍ଷରେ କର୍ତ୍ତବ୍ୟରତ ସାମ୍ବାଦିକ ମାନେ ଆଜି ସୁରକ୍ଷା ଆଉ ଆଇନର ଅଭାବରୁ ପ୍ରତିଦିନ କେଉଁଠି ନା କେଉଁଠି ରାଜନୈତିକ ଆକ୍ରୋଷର ଶିକାର ହେଉଛନ୍ତି। ପାନରୁ ଚୁନ ଖସିବାରୁ କିଛି ଗଣମାଧ୍ୟମ ସରକାରୀ ବ୍ୟବସ୍ଥାରେ ଅଛୁଆଁ ହୋଇପଡୁଛନ୍ତି ।

ଛନ୍ଦ କପଟର ବଶବର୍ତ୍ତୀ ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ଖବର ସଂଗ୍ରହରୁ କିଛି ଗଣମାଧ୍ୟମ ଏବଂ ତାର ସାମ୍ବାଦିକଙ୍କୁ ବଞ୍ଚିତ ହେବାକୁ ପଡୁଛି । ପ୍ରଶ୍ନ ଉଠୁଛି ଏହା କ’ଣ ବାସ୍ତବରେ ଗଣମାଧ୍ୟମର ଭୂମିକା ହେବାକଥା ଯାହା ଆମ ଚତୁର୍ପାଶ୍ବରେ ପ୍ରତିଦିନ ଘଟିଚାଲିଛି । ନିଜକୁ ସୁହାଇବା ପରି ଖବର ଆଉ ଛୋଟ ଖବରକୁ ବଢେଇ ଚଢେଇ ପ୍ରକାଶ କରିବା ଭିତରେ ଯେ ପ୍ରକୃତ ସତ୍ୟ ଲୁଚି ଯାଉଛି ଏକଥା ସମସ୍ତେ ମନେରଖିବା ଦରକାର । ସରକାରଙ୍କୁ ଯେଉଁ ଗଣମାଧ୍ୟମ ପ୍ରଶ୍ନକଲା ସେ ହେଲା ଶତ୍ରୁ । ନୀରିହ କର୍ମଚାରୀଟିଏ ବା କ’ଣ କରିପାରିବ ପେଟ ପାଇଁ ମାଲିକର ନିର୍ଦ୍ଦେଶ ମାନିବା ଭିତରେ ତାର ଅନ୍ତରାତ୍ମା ପାଖରେ ସେ ପ୍ରତିଦିନ ଛୋଟରୁ ଆହୁରି ଛୋଟ ହୋଇ ଚାଲିଛି । ଯାଣୁଛି ସେ ସାଧାରଣ ଜନତା ସହ ଅନ୍ୟାୟ କରୁଛି କିନ୍ତୁ ତା ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ । ଆମ ବିଚାରରେ ସବୁକଥା କିନ୍ତୁ ଅପେକ୍ଷା କରିଛି ସେଇମାନଙ୍କ ପାଖରେ ଯେଉଁ ମାନେ ଆଗାମୀ ଦିନରେ ଚାହିଁଲେ ସେମାନଙ୍କ ମୁଖା ଖୋଲି ଦେଇପାରିବେ । ଶିକ୍ଷା ସ୍ବାସ୍ଥ୍ୟ ଆଉ ଗଣମାଧ୍ୟମର ବ୍ୟବସାୟ ମାଧ୍ୟମରେ ରାଜନୀତି କରୁଥିବା ଏ ତଥାକଥିତ ଭଦ୍ରମୁଖା ପିନ୍ଧା ବ୍ୟକ୍ତିମାନଙ୍କୁ ଅତି କମରେ ଦୃଢ ଜବାବ ଦେବାର ସମୟ ଆସିଛି । ଚାଷୀ ହୁଡିଲେ ବରଷେ ଆଉ ଭୋଟର ଯଦି ଥରେ ହୁଡେ ତା’ହେଲେ ଏମାନଙ୍କ ପଛରେ ପାଞ୍ଚ ବରଷ ଦୌଡିବାକୁ ପଡିବ । ସାତ ପୁରୁଷ ପାଇଁ ସମ୍ପତ୍ତି ଠୁଳ କରିବା ନିଶାରେ ଏ ମସଗୁଲ ସୁବିଧାବାଦୀ ଗଣତନ୍ତ୍ର ହତ୍ୟାକରୀଙ୍କୁ ଥରୁଟିଏ ଶିକ୍ଷା ଦେଵା ନିହାତି ଦରକାର । ଆଶା କରୁଛି ଆମ ର ଏ ପାଠର ଉଦ୍ଦେଶ୍ୟ ଆପଣମାନେ ବୁଝିବା ହେଵେ..ରହିଲୁ ପରବର୍ତ୍ତୀ ପ୍ରସଙ୍ଗ ପର୍ଯ୍ୟନ୍ତ….