ଚଣ୍ଡିଗଡ଼,୨୭/୩ (ସନ୍ଧାନ ନିୟୁଜ ): ଗତ ମାସରେ ପୁଲଓ୍ଵାମା ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବେ ବି ଲୋକମାନଙ୍କ ମନରେ ତାଜା ହୋଇ ରହିଛି । ଏ ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି । ପୁଲଓ୍ଵାମା ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ବାପା ପ୍ରଧାନମନ୍ତ୍ରୀ ମୋଦି ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କୁ ଲେଖିଥିବା ଚିଠିକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।
ସୂଚନା ମୁତାବକ, ଗୁରୁଦାସପୁର ଜିଲ୍ଲାର ଦିନାପୁରରେ ରହୁଥିବା ସତପାଲ୍ ଅତ୍ରୀ ଏହି ଚିଠି ଲେଖିଥିବା ଜଣାପଡ଼ିଛି । ପୁଲଓ୍ଵାମା ଆକ୍ରମଣର ଶିକାର ହୋଇ ସତ୍ପାଲଙ୍କ ପୁଅ ମନିନ୍ଦର ସିଂହ ସହିଦ୍ ହୋଇ ଯାଇଥିଲେ । ମନିନ୍ଦରଙ୍କ ପରେ ତାଙ୍କର ସାହାରା ବୋଲି ସାନ ପୁଅ ଲଖବିଶ୍ ସିଂହ ଥିବା ବେଳେ ସେ ମଧ୍ୟ ଆସାମରେ ସିଆର୍ପିଏଫ୍ ଯବାନ ଭାବେ କାର୍ଯ୍ୟରତ ଥିବା ଜଣା ପଡ଼ିଛି । ଗୋଟେ ପୁଅକୁ ହରାଇବା ପରେ ଆଉ ଗୋଟେ ପୁଅକୁ ହରାଇବା ଡ଼ରରେ ସତ୍ପାଲ ସିଂହ ପ୍ରଧାନମନ୍ତ୍ରୀ ମୋଦି ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କୁ ଚିଠିଲେଖି ଲଖ୍ବିଶଙ୍କୁ ପଞ୍ଜାବ ପୁଲିସରେ ଡେପୁଟି ଏସ୍ପି ଭାବରେ ଭର୍ତ୍ତି କରିବା ପାଇଁ ନିବେଦନ କରିଛନ୍ତି ।
ଚିଠିରେ, “ମୁଁ ଭାରତ ସରକାର ଏବଂ ପଞ୍ଜାବ ସରକାରଙ୍କୁ ନିବେଦନ କରୁଛି କି, ମୋ ସାନ ପୁଅ ଲଖ୍ବିଶକୁ ଏଠାରେ ରାଜ୍ୟ ପୁଲିସରେ କାମ କରିବାକୁ ପଠାଇ ଦିଆଯାଉ । ଏ ବୟସରେ ମୁଁ ରୋଗଗ୍ରସ୍ତ ରହିବା ସହ ଏକା ହୋଇ ଯାଇଛି । ସାନ ପୁଅ ଆସି ପାଖରେ ରହିଲେ ମୋତେ ସାହାରା ମିଳିବ ଏବଂ ମୁଁ ଏକା ଅନୁଭବ କରିବି ନାହିଁ” ବୋଲି ଲେଖି ପଠାଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଏହାର କୌଣସି ଜବାବ ସତ୍ପାଲଙ୍କୁ ମିଳି ନଥିବା ଜଣା ପଡ଼ିଛି ।