ପୁରୀର ପେଣ୍ଠକଟା ଅଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ: ବିପନ୍ନଙ୍କ ସମସ୍ୟା ବୁଝିଲେ ଓ ରିଲିଫ ବାଣ୍ଟିଲେ

Spread the love

 ଭୁବନେଶ୍ୱର,୬/୫ (ସନ୍ଧାନ ନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ବାତ୍ୟା ପ୍ରଭାବିତ ପୁରୀ ସହର ପରିଦର୍ଶନ କରିଥିଲେ। ଫନୀ ବାତ୍ୟା ଦ୍ବାରା ପୁରୀର ସର୍ବାଧିକ କ୍ଷତିଗ୍ରସ୍ତ ପେଣ୍ଠକଟା ଅଞ୍ଚଳ ବୁଲି ଦେଖିବା ସହ ବିପନ୍ନ ଲୋକଙ୍କ ସହିତ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ସାନ୍ତ୍ୱନା ଦେଇଥିଲେ। ପୁରୀ ସହରରେ ବାତ୍ୟାର ୪୮ ଘଣ୍ଟା ମଧ୍ୟରେ ବମାନ ସୁଦ୍ଧା ୭୫ ପ୍ରତିଶତ ଅଞ୍ଚଳରେ ପାଇପ ପାଣି ଯୋଗାଣ ବ୍ୟବସ୍ଥା ପୁନରୁଦ୍ଧାର କରାଯାଇଥିବା ବେଳେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ୯୦ ପ୍ରତିଶତ ଅଞ୍ଚଳରେ ପାଇପ ଜଳ ଯୋଗାଣ ସ୍ବାଭାବିକ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେଠାରେ ପେଣ୍ଠକଟାର କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲିଫ ଓ ଆର୍ଥିକ ସହାୟତା ଭାବରେ ୫୦ କେଜି ଚାଉଳ ଓ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଆଜି ସକାଳେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ବାତ୍ୟା ବିପନ୍ନଙ୍କ ନିମନ୍ତେ ରିଲିଫ, ଆର୍ଥିକ ସହାୟତା ଓ ଗୃହ ନିର୍ମାଣ ସହାୟତା ଘୋଷଣା କରିଥିଲେ।

ବିପନ୍ନ ଅଞ୍ଚଳରେ ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଫନୀ ପୁରୀରେ ସ୍ଥଳଭାଗ ଛୁଇଁବା ସୂଚନା ସଂପର୍କରେ ମାତ୍ର ଗୋଟିଏ ଦିନ ପୂର୍ବରୁ ମିଳିଥିଲା। ତେଣୁ ଯେପରି ତତ୍ପତାର ସହିତ ଦିନରାତି କାର୍ଯ୍ୟ କରି ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଲା, ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ସଂପୃକ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ଧନ୍ୟବାଦ ଜଣାଇଥିଲେ। ସେହିପରି କର୍ମଚାରୀମାନଙ୍କୁ ପୁନରୁଦ୍ଧାର କାମ ନିଷ୍ଠାର ସହ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ବାତ୍ୟା ସମୟଟି ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ସମୟ ଥିଲା। ଜନସାଧାରଣଙ୍କ ସହଯୋଗରେ ଆମେ ଏତେ ବଡ ଜଟିଳ ପରିସ୍ଥିତିର ସଫଳ ମୁକାବିଲା କରିପାରିଛୁ। ସେହିପରି ଜନସାଧାରଣଙ୍କ ସହଯୋଗରେ ପୁନଃନିର୍ମାଣ କାର୍ଯ୍ୟ ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Related Posts

About The Author

Add Comment