ଭୁବନେଶ୍ବର, ୧/୧୧ (ସନ୍ଧାନ ନିଉଜ) : ନଭେମ୍ବର ଛୁଇଁଲାଣି। ତଥାପି ଶୀତର ଦେଖା ନାହିଁ। ସେପଟେ ବର୍ଷା ବି ଏବେ ଓଡ଼ିଶା ଛାଡ଼ୁନି। ଗତ ସପ୍ତାହରେ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିବା ଦ୍ବାରା ୧୦ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଥିଲା। ଏବେ ପୁଣିଥରେ ୨ରୁ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ନଭେମ୍ବର ୩ ବେଳକୁ ଉତ୍ତର ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ପରବର୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ୫ ତାରିଖ ପୂର୍ବକେନ୍ଦ୍ରୀୟ ବାଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହେବ। ପ୍ରଭାବରେ ପୂର୍ବ ଓ ଦକ୍ଷିଣ ଭାରତରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ଅବପାତ ଅଧିକ ଘନୀଭୂତ ହେବ କି ନାହିଁ, ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ଆକଳନ କରାଯାଇନାହିଁ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ବର୍ତମାନ ରାଜ୍ୟକୁ ଉତ୍ତରା ପବନ ବୋହୁଛି। ଉତ୍ତର ଭାରତରେ ସୃଷ୍ଟି ହେଉଥିବା ଗୁରୁଚାପ ଜାରି ରହିଛି। ଆସନ୍ତାକାଲିଠାରୁ ତାହା ଅଧିକ ବିସ୍ତୃତ ହେବ। ଯାହାକି ପାକିସ୍ତାନଠାରୁ ଓଡ଼ିଶା ପର୍ଯ୍ୟନ୍ତ ବ୍ୟାପିବ। ଏବେ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ରହିଛି, ଯାହାଦ୍ବାରା ନଭେମ୍ବର ୧ ଓ ୨ରେ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ହାଲକାରୁ ସ୍ବଳ୍ପ ବର୍ଷା ହୋଇପାରେ। ୩ ତାରିଖରେ ଥାଇଲାଣ୍ଡର ଦକ୍ଷିଣରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟତଃ ପଶ୍ଚିମ ଦିଗରେ ଗତି କରିବ। ନଭେମ୍ବର ୬ରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବସ୍ଥାପିତ ହେବ। ୭ ତାରିଖରେ ଆଣ୍ଡାମାନ ଅତିକ୍ରମ କରିବ। ୯ ତାରିଖରେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିପାରେ। ରାଜ୍ୟର ପଶ୍ଚିମ ସୀମାନ୍ତ ଅଞ୍ଚଳ ବ୍ୟତୀତ ବାକି ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ପ୍ରଭାବ ରହିବ। ତେବେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍। ଅନୁମାନ କରାଯାଉଛି ଯେ ଏହାଦ୍ବାରା ଦୁଇ ଦିନ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୬ ଓ ୭ ତାରିଖରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ରାତିର ତାପମାତ୍ରା ଦୁଇ ଡିଗ୍ରି କମିବ। ତେବେ ୯ ତାରିଖରୁ ସମ୍ଭାବ୍ୟ ଲଘୁଚାପ ବଳୟ ଯୋଗୁଁ ପବନର ଦିଗ ପରିବର୍ତନ ହେବ। ଉତ୍ତରା ପବନ ପରିବର୍ତ୍ତେ ସାମୁଦ୍ରିକ ପବନ ବୋହିବ। ତାପମାତ୍ରା ପୁଣି ବଢ଼ିବ। ୧୧ ତାରିଖ ପରେ ପୁଣି ତାପମାତ୍ରା କମିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ରାତିର ତାପମାତ୍ରା ବିଶେଷଭାବେ କମିବାର ସମ୍ଭାବନା ରହିଛି।
ବାତ୍ୟା ‘ମହା’ ଆଜି ମଧ୍ୟାହ୍ନରେ ଲାକ୍ଷାଦୀପଠାରୁ ଦକ୍ଷିଣରେ ରହିଥିଲା। କାଲି ସକାଳ ସୁଦ୍ଧା କ୍ରମଶଃ ଅଧିକ ଘନୀଭୂତ ହୋଇ ଅତିପ୍ରବଳ ଘୂର୍ଣ୍ଣିଝଡ଼ରେ ପରିଣତ ହେବ। ତା’ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୬ ତାରିଖ ବେଳକୁ ଦକ୍ଷିଣ ଓମାନକୁ ସ୍ପର୍ଶ କରିବାର ପୂର୍ବାନୁମାନ କରାଯାଇଛି।