ପିପିଲି ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜନୈତିକ ଉସ୍ମତା ଜୋର

Spread the love

ପିପିଲି, 29.01.2021 (ସନ୍ଧାନ ନିଉଜ୍): ପିପିଲି ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜନୈତିକ ଉସ୍ମତା ଜୋର । ତେବେ ଏହି ଉସ୍ମତାର କେନ୍ଦ୍ରରେ ମହାରଥୀ ପରିବାର । କିଏ ସେ ଧରିବ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଲିଗାସି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଖୁବ୍ ଶୀଘ୍ର ପିପିଲି ଉପନିର୍ବାଚନ ତାରିଖ ଘୋଷଣା ହେବା କହିବା ପରେ ପ୍ରମୁଖ ରାଜନୈତିକ ଦଳରେ ଅଘୋଷିତ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ତେବେ ବିଜୁ ଜନତା ଦଳ ପକ୍ଷରୁ ପ୍ରତାପ ଦେବଙ୍କୁ ଦଳୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଘୋଷଣା କରାଯିବା ପରେ ଏବେ ଚର୍ଚ୍ଚାର କେନ୍ଦ୍ରର ମହାରଥୀଙ୍କ ପରିବାର । ଏପରିକି ଟିକେଟ୍ କୁ ନେଇ ସ୍ବର୍ଗତ ମହାରଥୀଙ୍କ ପତ୍ନୀ ଏବଂ ପୁଅଙ୍କ ମଧ୍ୟରେ ଟଣାଓଟରା ଲାଗିଥିବା ଚର୍ଚ୍ଚା ଆହୁରି ସରଗରମ ହୋଇଛି । ପିପିଲି ଉପନିର୍ବାଚନ ପାଇଁ ଅନ୍ୟ ରାଜନୈତିକ ଦଳ ଅପେକ୍ଷା ଶାସକ ବିଜେଡି ଗୋଟିଏ ପାଦ ଆଗରେ ଥିବା ମନେହେଉଛି । କାରଣ ଦଳ ତାର ପ୍ରକ୍ରିୟା ଆରମ୍ଭ କରିସାରିଲାଣି । ପିପିଲି ନିର୍ବାଚନ ପାଇଁ ବିଧାୟକ ତଥା ମୁଖପାତ୍ର ପ୍ରତାପ ଦେବଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ବ ପ୍ରଦାନ କରାଯାଇଛି । ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଘୋଷଣା ପରେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ନିର୍ବାଚନ ଲଢିବାକୁ ଆଶାୟୀ ଥିବା ପରୋକ୍ଷରେ କହିଛନ୍ତି । ପୂର୍ବରୁ ସ୍ବର୍ଗତ ମହାରଥୀଙ୍କ ପ୍ରତିଭା ମହାରଥୀ ମଧ୍ୟ ସମାନ ଢଙ୍ଗରେ କହିଥିଲେ । ଉଭୟ ମା ଓ ପୁଅ ସିଧାସଳଖ ଦାବି ଜାହିର କରୁନଥିଲେ ମଧ୍ୟ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶ ମାନିବେ ବୋଲି କହିବା ଛଳରେ ଯାହାବି କହୁଛନ୍ତି ସେଥିରୁ ସେମାନଙ୍କ ଭିତରେ ଟିକେଟ୍ ଆଶା ସ୍ପଷ୍ଟ ବୁଝିହେଉଛି । ଉଲ୍ଲେଖଯୋଗ୍ୟ ଯେ, ପିପିଲି ଆସନରୁ ବିଧାୟକ ଥିବା ପ୍ରଦୀପ ମହାରାଥୀଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡିଛି । ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲି ଆସନ ଖାଲି ପଡିଛି । ପିପିଲିର ଲୋକପ୍ରିୟ ନେତା ଥିଲେ ପ୍ରଦୀପ ମହାରଥୀ । ପିପିଲି ଥିଲା ତାଙ୍କ କର୍ମକ୍ଷେତ୍ର । ପିପିଲିରୁ ୭ ଥର ନିର୍ବାଚିତ ହୋଇଥିଲେ ପ୍ରଦୀପ । ୧୯୮୫ ମସିହାରେ ପିପିଲି ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟିର ଟିକେଟରେ ପ୍ରଥମ ଥର ପାଇଁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୦ରେ ଜନତା ଦଳ ଟିକେଟରେ ବିଜୟୀ ହୋଇଥିବା ବେଳେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ । ୨୦୧୧, ୨୦୧୪, ୨୦୧୭ରେ ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ କୃଷି, ପଞ୍ଚାୟତିରାଜ ଭଳି ଦାୟିତ୍ବ ନେଇଥିଲେ । ପିପିଲି ଓ ଡେଲାଙ୍ଗ ବିକାଶରେ ତାଙ୍କର ଅବଦାନ ରହିଥିଲା । ତାଙ୍କ ମୃତ୍ୟୁ ଶୋଭାଯାତ୍ରା ତାଙ୍କ ଲୋକପ୍ରିୟତାକୁ ଜାହିର କରିଥିଲା ।

 

Related Posts

About The Author

Add Comment