ଭୁବନେଶ୍ବର ୨୩/୦୭ (ସନ୍ଧାନ ନ୍ୟୁଜ୍)-: ପର୍ଯ୍ୟଟନର ହବ୍ ହେବ ଲାଇଟ୍ ହାଉସ୍ ବା ବତିଘର। ସେଥିପାଇଁ କେନ୍ଦ୍ର ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। କେନ୍ଦ୍ର ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ସରକାରୀ ଓ ବେସରକାରୀ ଭାଗିଦାରୀରେ ବତିଘରର ବିକାଶ ପାଇଁ ଯୋଜନା ହୋଇଛି। ସାଗରମାଳା ପ୍ରକଳ୍ପ ଅଧୀନରେ ଦେଶର ୬୫ଟି ବତିଘରର ବିକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏହି ଯୋଜନା କାର୍ଯ୍ୟକାରୀ ହେଲେ ସମୁଦ୍ର ବେଳାଭୂମି ନିକଟବର୍ତ୍ତୀ ଅଞ୍ଚଳରେ ଐତିହ୍ୟର ମୁକସାଖୀ ହୋଇ ଠିଆ ହୋଇଥିବା ବତିଘର ଗୁଡ଼ିକର ଚେହେରା ବଦଳିବ। ଅନେକ ସ୍ମୃତିକୁ ଯାବୁଡ଼ି ଅନାଲୋଚିତ ହୋଇ ରହିଥିବା ପୁରୁଣା ବତିଘର ସବୁ ପୁଣି ଚମକି ଉଠିବ। ଖାଲି ଚମକିବନି ବରଂ ପର୍ଯ୍ୟଟନର ବୃହତ ସମ୍ଭାର ବି ସୃଷ୍ଟି କରିବ। ବତିଘର ଚାରିପାଖ ସାଙ୍ଗକୁ ଆଖପାଖ ପର୍ଯ୍ୟଟନସ୍ଥଳୀର ବିକାଶ ହେବ। ଏହା ବିଷୟରେ ଜାଣିବା ଏବଂ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିବ।
ରାଜ୍ୟସଭାରେ ‘ଦି ମାରିନ୍ ଏଡ୍ସ ଟୁ ନାଭିଗେସନ୍ ବିଲ୍-୨୦୨୧’ ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ବିଲ୍କୁ ସମର୍ଥନ କରି ସାଂସଦ ସୁଭାଷ ସିଂ କହିଛନ୍ତି, ଏହା ଓଡ଼ିଶା ପାଇଁ ବେଶ୍ ଲାଭଦାୟକ ହେବ । ସେ କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ର ଲାଗି ଓଡ଼ିଶାର ୫ଟି ବହୁ ପ୍ରାଚୀନ ବତିଘର ଏକ ବଡ଼ ସମ୍ଭାବନା ସୃଷ୍ଟି କରୁଛି । ଓଡ଼ିଶା ଉପକୂଳରେ ଅବସ୍ଥିତ ୫ଟି ବତିଘର ମଧ୍ୟରୁ ପୂର୍ବତଟରେ ଅବସ୍ଥିତ ୧୮୦ ବର୍ଷ ପୁରୁଣା ହେଉଛି କେନ୍ଦ୍ରାପଡ଼ାର ଫଲ୍ସ ପଏଣ୍ଟ ବତିଘର । ପୂର୍ବତନ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ତଥା ଉତ୍ସାହୀ ବତିଘର ଅନୁସନ୍ଧାନକାରୀ ଆଇ.ସି.ଆର୍ ପ୍ରସାଦଙ୍କ ଅନୁଯାୟୀ, ଏହା ଭାରତର ସର୍ବ ପୁରାତନ କାର୍ଯ୍ୟକ୍ଷମ ବତିଘର । ବ୍ରିଟିଶ୍ କାଳରେ ନିର୍ମିତ ଏହି ବତିଘର ଏବେ ବି ସମୁଦ୍ର ମଧ୍ୟରେ ଜାହାଜ ଗୁଡ଼ିକୁ ରାସ୍ତା ଚିହ୍ନାଇବାରେ ସହଯୋଗ କରୁଛି ।
ରାଜ୍ୟର ଅନ୍ୟ ୪ଟି ବତିଘର ମୁଖ୍ୟ ଭୂଭାଗରେ ଅବସ୍ଥିତ ହୋଇଥିବା ବେଳେ କେବଳ ଫଲ୍ସ ପଏଣ୍ଟ ବତିଘର କେନ୍ଦ୍ରାପଡ଼ା ସମୁଦ୍ରତଟ ଠାରୁ ଅନତି ଦୂରରେ ଏକ ଦ୍ୱୀପରେ ଅବସ୍ଥିତ । ବଙ୍ଗୋପସାଗରରେ ବହୁ ଦୂରରୁ ଦେଖାଯାଉଥିବା ଏହି ବତିଘର ନାଲି ଓ ଧଳା ରଙ୍ଗର ୧୨୯ଫୁଟ ମିନାର ପ୍ରତି ପର୍ଯ୍ୟଟକଙ୍କ ସ୍ୱତନ୍ତ୍ର ଆକର୍ଷଣ ରହିଛି । ହେନ୍ତାଳ ବନ ଓ କୁମ୍ଭୀର ଅଭୟାରଣ୍ୟ ନିକଟରେ ଅବସ୍ଥିତି କାରଣରୁ ପର୍ଯ୍ୟଟନର ଅଧିକ ସମ୍ଭାବନା ରହିଛି ।
ସେହିପରି କେନ୍ଦ୍ରାପଡ଼ାଠାରୁ ୪୦ କିମି ଦୂରରେ ରହିଛି ଅନ୍ୟ ଏକ ଆକର୍ଷଣୀୟ ପାରାଦୀପ ବତିଘର । ବନ୍ଦର ସହର ଭାବେ ପରିଚିତ ତଥା କଟକ ଏବଂ ଭୁବନେଶ୍ୱର ସହର (୧୦୦ କିମି)ର ନିକଟବର୍ତ୍ତୀ ହେତୁ ଏଠାରେ ମଧ୍ୟ ପର୍ଯ୍ୟଟନର ବହୁ ସୁଯୋଗ ରହିଛି । ଏହି ବତିଘର ୧୯୮୦ରେ କାର୍ଯ୍ୟକ୍ଷମ ହୋଇଥିଲା । ଆଉ ଏକ ଶତାବ୍ଦୀ ପୁରୁଣା ହେଉଛି ଗଞ୍ଜାମ ଜିଲ୍ଲାର ଗୋପାଳପୁରର ୧୫୦ ବର୍ଷ ପୁରୁଣା ବତିଘର । ଏହା ରେଙ୍ଗୁନ ଏବଂ କରମଣ୍ଡଳ ଉପକୂଳ ବନ୍ଦର ମଧ୍ୟରେ ଜାହାଜ ଚଳାଚଳ କରିବାରେ ସାହାଯ୍ୟ କରୁଥିଲା । ଏହା ଏକ ପର୍ଯ୍ୟଟନ ସ୍ଥାନ ହୋଇଥିବା ସ୍ଥଳେ ଏଠି ବି ଅପାର ସମ୍ଭାବନା ରହିଛି । ଯଦି ଏହାକୁ ପର୍ଯ୍ୟଟକଙ୍କ ଆଗ୍ରହର ସ୍ଥାନ ଭାବରେ ବିକଶିତ କରାଯାଏ ତେବେ ଚିଲିକା ହ୍ରଦ ଏବଂ ଗୋପାଳପୁର ବେଳାଭୂମି ଆକର୍ଷଣର ପ୍ରମୁଖ କେନ୍ଦ୍ର ପାଲଟିବ । ପର୍ଯ୍ୟଟକଙ୍କ ସୁଅ ଛୁଟିବ ।
ସେହିଭଳି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରଠାରୁ ୧୦କିମି ଦୂରରେ ଥିବା ଚନ୍ଦ୍ରଭାଗା ବତିଘର ସମୁଦ୍ରର ଏକ ଚମତ୍କାର ଦୃଶ୍ୟ ପ୍ରଦାନ କରେ । ଏହାର ଉଚ୍ଚତା ପର୍ଯ୍ୟଟକମାନଙ୍କୁ ପୂରା ସହର ଦେଖାଇବାରେ ସାହାଯ୍ୟ କରିଥାଏ । ଏହା ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ୍ ଏବଂ ୨୦୧୯ ଫୋନି ପରି ବାତ୍ୟାକୁ ସହ୍ୟ କରିଥିଲା । ଏସବୁ ବ୍ୟତୀତ୍ ପୁରୀ ଶ୍ରୀମନ୍ଦିର ଠାରୁ ୪କିମି ଦୂରରେ ଥିବା ବତିଘର ମଧ୍ୟ ଏକ ପର୍ଯ୍ୟଟନ ସ୍ଥାନ । ଯାହା ପୁରୀ ରେଳ ଷ୍ଟେସନ୍ ଠାରୁ ୮କିମି ଏବଂ ଭୁବନେଶ୍ୱର ବିମାନବନ୍ଦର ଠାରୁ ୬୫କିମି ଦୂରରେ ଅବସ୍ଥିତ । ଧ୍ୟାନ ପୂର୍ବକ ସରକାର ଏସବୁ ବତିଘର ଗୁଡ଼ିକୁ ପର୍ଯ୍ୟଟନସ୍ଥଳୀ ରୂପେ ବିକିଶିତ କରିବାକୁ ସାଂସଦ ଶ୍ରୀ ସିଂ ପ୍ରସ୍ତାବ ଦେଇଥିଲେ ।