ପଢନ୍ତୁ ସ୍ୱାତୀଙ୍କ କବିତା ‘ଆଜି କୁଆଡ଼େ ମା’ ପାଇଁ ଦିନଟିଏ’
ପଢନ୍ତୁ ସ୍ୱାତୀଙ୍କ କବିତା ‘ଆଜି କୁଆଡ଼େ ମା’ ପାଇଁ ଦିନଟିଏ’
Manas Kumar Rout |
May 13, 2019 |

ଆଜି ଖାଲି ଦିନଟିଏ ନୁହେଁ,
ସେମାନେ କହୁଛନ୍ତି,
ଆଜି କୁଆଡ଼େ ମା’ ପାଇଁ ଦିନଟିଏ..
ଧେତ୍..
ଯୋଉ ମଣିଷଟି ଆମକୁ
ଦିନ ଗଣିବା ଶିଖେଇଲା,
ତା’ ପାଇଁ ପୁଣି ଗୋଟିଏ ଦିନର ଉତ୍ସବ!!
ଜାଣେନା,
ଶବ୍ଦର ଶିକୁଳିରେ
ମା’ ଭଳି ମହା ସମୁଦ୍ରକୁ
କେବେ ବାନ୍ଧି ପାରିବି କି ନାହିଁ!!
ଅ-ଆ-ଇ-ଈ ଶିଖେଇଥିବା ସେ ଗୁରୁକୁ
ବର୍ଣ୍ଣବୋଧର କିଛି ଅକ୍ଷରରେ ସଜେଇ ପାରିବି କି ନାହିଁ!!
ଭାବନାରେ ଯୋଉଠି ପୂର୍ଣ୍ଣଛେଦ ପଡ଼ିଥାଏ,
ସେଇଠୁ ଆରମ୍ଭ ହୁଏ ମା’ର କାହାଣୀ..
ଦୂର ଦିଗବଳୟର ଶେଷ ଯୋଉଠି ହୁଏ,
ସେ ଯାଏ ଲମ୍ବିଥାଏ ସେ ମମତାର ନିଶୁଣୀ..
ଭାଙ୍ଗି ଯାଇଥିବା ସ୍ୱପ୍ନକୁ,
ସେ ସଜାଡ଼ି ଦିଏ ତା’ ହାତର ସ୍ପର୍ଶରେ..
ଉଜୁଡ଼ି ଯାଇଥିବା ମନକୁ,
ସେ ପୁଣି ଥରେ ଗଢିଦିଏ ତା’ କଥାର ଯାଦୁଛଡ଼ିରେ..
ରାତି ରାତି ଅନିଦ୍ରା ରହି
ମୋ’ ପରୀକ୍ଷା ସମୟରେ
ସେ ବି ପରୀକ୍ଷା ଦେଇ ଚାଲିଥାଏ..
ସ୍ୱପ୍ନ ମୁଁ ଦେଖୁଥାଏ,
କିନ୍ତୁ ପୁରା କରିବାର ବାଟ
ସେ ଦେଖେଇ ଚାଲିଥାଏ..
ଦେହ ମୋ’ର ଅସୁସ୍ଥ ଥାଏ,
ହେଲେ କଷ୍ଟ ତା’ଠିଁ ଦିଶୁଥାଏ।।
ନିଜ ଭିତରୁ ନିଜକୁ କାଢ଼ି,
ମୋ ନା’ରେ
ସେ ତା’ର ପରିଚୟ ଦେଖିବାକୁ ଭଲ ପାଏ..
ମୋ’ ଦୁଃଖରେ ଦୁଃଖୀ,
ଆଉ ମୋ’ ସୁଖରେ,
ସେ ଖୁସି ହେବାକୁ ଭଲ ପାଏ।।
ଭୁଲ୍ ଥିଲେ କାନ ମୋଡ଼ି ଶାସନ କରିବାଠୁଁ
ବାପାଙ୍କ ମାଡ଼ରୁ ଟାଣି ଆଣି
“ମୋ’ ପୁଅ/ଝିଅ ଆଉ ସେମିତି କରିବନି, ଛାଡ଼ି ଦିଅ” ର ଅଲେଖା ସର୍ତ ଯାଏଁ..
କଞ୍ଚା ମାଟି ଭଳି ଥିବା ଶିଶୁଟିକୁ
ନିଜ ହାତରେ ଗଢ଼ି
ଦୁନିଆର ଦୋ’ଛକିରେ
ଚାଲି ଶିଖିଥିବା ମଣିଷଟେ କରି
ଗଢ଼ି ତୋଳିବା ଯାଏଁ..
ମା’ର ଉପନ୍ୟାସ ବ୍ୟାପ୍ତ।।
କଥା କହୁଥିଲେ ତ’ ସରିବନି
ସ୍ମୃତିକୁ ଏମିତି ଘାଣ୍ଟୁଥିଲେ ତ’
ମୋ’ କୋହକୁ ସମ୍ଭାଳି ପାରିବିନି..
ଧେତ୍..
ନା ପାରିବିନି..
ମା’ ବିଷୟରେ ଆଉ କିଛି ଅଧିକା ଲେଖି ପାରିବିନି।।
: ସ୍ୱାତୀ ©
Related Posts
About The Author