ଭୁବନେଶ୍ୱର (ସନ୍ଧାନ ନିଉଜ) ନାସା ଲେଖିଲା ଓଡ଼ିଶାର ଗରିବୀ କାହାଣୀ । ଓଡ଼ିଶାରେ ଗରିବୀ ଏବେ ବି ଭରି ରହିଛି। ଆମେରିକୀୟ ସଂସ୍ଥା ନାସାର ସେଡାକ୍ ବା ସୋସିଓଡେମୋଗ୍ରାଫିକ୍ ଆଣ୍ଡ୍ ସାଟେଲାଇଟ୍ ଇନପୁଟ୍ସ ପକ୍ଷରୁ ପ୍ରସ୍ତୁତ ସର୍ବଶେଷ ରିପୋର୍ଟରେ ଗରିବୀରେ ଓଡ଼ିଶା ଏବେ ବି ଦେଶର ତଳ ଆଡ଼େ ରହିଛି।
ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୧୦ ବର୍ଷର ତଥ୍ୟ ଓ ସାଟେଲାଇଟ୍ ଇମେଜକୁ ଦେଖିଲେ ଓଡ଼ିଶାରେ ଗରିବୀ ବା ଡେପ୍ରିଭେସନ୍ ଚିନ୍ତାଜନକ ସ୍ତରରେ ରହିଛି। ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଂଚଳ ଭିତରେ ଓଡ଼ିଶା ଏବେ ବି ତଳଆଡୁ ୭ ନମ୍ବରରେ ରହିଛି। ନାସାର ସ୍କୋରରେ ୭୦ ଉପରକୁ ମାର୍କ ଥିବା ରାଜ୍ୟ ଭିତରେ ରହିଛି ଓଡ଼ିଶା। ନାସାର ମାପଦଣ୍ଡରେ ସବୁଠାରୁ କମ ଗରିବୀ ଅଂଚଳକୁ ୦ ମାର୍କ ମିଳୁଥିବା ବେଳେ ସବୁଠାରୁ ଅଧିକ ଗରିବୀ ଅଂଚଳକୁ ୧୦୦ ମାର୍କ ଭିତରେ ରଖାଯାଇଛି।
ନାସାର ସେଡାକ୍ ବା ସୋସିଓ ଡେମୋଗ୍ରାଫିକ୍ ଆଣ୍ଡ ସାଟେଲାଇଟ୍ ଇନପୁଟ୍ସ ନାସା ସହାୟତାରେ ମିଳୁଥିବା ସାଟେଲାଇଟ ଛବି ସହ ସାମାଜିକ ତଥ୍ୟକୁ ନେଇ ରିପୋର୍ଟ ପ୍ରସ୍ତୁତ କରିଛି। ଛବି ସହିତ 6ଟି ମାପଦଣ୍ଡରେ ୧୦ ବର୍ଷର ତଥ୍ୟକୁ ନେଇ ଏହି ରିପୋର୍ଟ ଜାରି କରିଛି। ୬ଟି ମାପଦଣ୍ଡ ଭିତରେ ରହିଛି, ବଡ଼ଙ୍କ ଉପରେ ନିର୍ଭର କରୁଥିବା ଶିଶୁଙ୍କ ଅନୁପାତ, ଶିଶୁ ମୃତ୍ୟୁ ହାର, ମାନବୀୟ ବିକାଶ, ଅବିକଶିତ ଓ ବିକଶିତ ଅଞ୍ଚଳର ଅନୁପାତ, ରାତିର ଆଲୋକର ତୀବ୍ରତା ଓ ସମୟ। ଯେଉଁ ଅଂଚଳ ରାତିରେ ଯେତେ ଅଧିକ ସମୟ ଆଲୋକିତ ରହୁଛି ସେ ଅଂଚଳରେ ଆର୍ଥିକ କାରବାର ଅଧିକ ଓ ସେତେ ବିକଶିତ ବୋଲି ବିଚାର କରାଯାଇଛି।
ଅର୍ଥନୀତି ବିଶେଷଜ୍ଞ ପ୍ରଭାସ ମିଶ୍ର କହିଛନ୍ତି- ନୀତି ଆୟୋଗର ମଲଟିଡାଇମେନସନାଲ ପଭର୍ଟି ଇଣ୍ଡେକ୍ସରେ ୧୨ଟି ମାପଦଣ୍ଡ ନିଆଯାଇଥିବାବେଳେ ନାସା ସର୍ଭେରେ 6ଟି ମାପଦଣ୍ଡ ନିଆଯାଇଛି। ତେଣୁ ଓଡ଼ିଶା ରାଙ୍କରେ କିଛି ପ୍ରଭେଦ ଆସିବା ସ୍ବାଭାବିକ। ତେବେ ଆଗକୁ ଏ ସ୍ଥିତି ବଦଳିବ ବୋଲି ଆଶା କରାଯାଉଛି।



