ଜଟଣୀ ଠାରେ ଏକ ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା କରିବା ପ୍ରସଙ୍ଗରେ ପୀଡିତା ପରିବାରକୁ ଭେଟିଲା ବିଜେପି ପ୍ରତନିଧୀ ଦଳ
ଭୁବନେଶ୍ୱର, ୧୩/୪ (ସନ୍ଧାନ ନିୟୁଜ) : ଦୀର୍ଘ ୧୯ ବର୍ଷ ଶାସନର ବାହା ବାହା ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୁଶାସନ, ଶ୍ରେଷ୍ଠ ପ୍ରଶାସକ ଏବଂ ନମ୍ବର ୱାନ ମୁଖ୍ୟମନ୍ତ୍ରୀର ପ୍ରମାଣପତ୍ର ଯୋଗାଡ କରି ସାରା ଦେଶକୁ ଆଇନା ଦେଖାଉଛନ୍ତି। ପୋଷ୍ଟର, ହୋଡିଂ ଏବଂ ବିଜ୍ଞାପନରେ ନିଜକୁ ସବୁଠୁ ମହାବଳୀୟାନ ଦର୍ଶାଉଛନ୍ତି ଏବଂ କହୁଛନ୍ତି ସାଢେ ୪ କୋଟି ମୋ ପରିବାର। କିନ୍ତୁ ବାସ୍ତବତା କିଛି ଭିନ୍ନ ଦର୍ଶାଉଛି। ଦୁର୍ଭାଗ୍ୟର ବିଷୟ ମୁଖ୍ୟମନ୍ତ୍ରୀ ବାସ ଭବନଠୁ ମାତ୍ର ୨୦ କିମି ଏବଂ କମିଶନରେଟ ପୋଲିସ ଅଧୀନରେ ଯାଉଥିବା ଜଟଣୀ ଥାନା ଠାରୁ ମାତ୍ର ୧ କମି ଦୂରରେ ଥିବା ଜଟଣୀ ମୁଣ୍ଡିଆ ସାହିରେ ଏକ ୬ ବର୍ଷର ନାବାଳିକା ସହ ଦୁଷ୍କର୍ମ ହେଉଛି ଏବଂ ତାକୁ ହତ୍ୟା କରିବା ପରେ ବି ପୋଲିସକୁ ଘଟଣାସ୍ଥଳରେ ପହଂଚିବା ପାଇଁ ୪ ଘଂଟା ସମୟ ଲାଗୁଛି। ଏହା କଣ ନବୀନ ବାବୁଙ୍କ ସୁଶାସନ ? ଏହା କଣ ନାରୀକୁ ସମ୍ମାନ ? ଏହା କଣ କମିଶନରେଟ ପୋଲିସର ପାରିବା ପଣିଆ? ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ଆଜି କହିବେ କି ଆପଣ ଖୁସି ତ .. ମୁଁ ବି ବହୁତ ଖୁସି। ଦୀର୍ଘ ୧୯ ବର୍ଷର ନିରଙ୍କୁଶ ଶାସନରେ ଏହା ମୁଖ୍ୟମନ୍ତ୍ରୀଙ୍କ ବଡ ପ୍ରମାଣପତ୍ର। ନିର୍ବାଚନ ସମୟରେ ପୋଲିସ ସବୁ ସ୍ଥାନରେ ସଜାଗ ରହୁଥିବା ବେଳେ କିପରି ଏଭଳି ଅମାନୁଷିକ କାଣ୍ଡ ଘଟିଲା ତାହା ସବୁଠୁ ବଡ ପଶ୍ନବାଚୀ ସୃଷ୍ଟି କରିଛି ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସମାନ୍ତ ସିଂହାର।
ଆଜି ଡ. ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧୀ ଦଳ ଘଟଣାସ୍ଥଳକୁ ଯାଇ ପୀଡିତାର ପରିବାରକୁ ଭେଟି ସମବେଦନା ଜଣାଇବା ସହ ପୋଲିସ ଆଇଆଇସିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛି। ଏଭଳି ଅଭଆବନୀୟ ଘଟଣା ସାରା ରାଜ୍ୟ ପାଇଁ ଲଜ୍ଜା। ଭୁବନେଶ୍ୱର ଉପକଣ୍ଠରେ ଥିବା ଜଟଣୀ ସହରରେ ପୋଲିସ ପୋତ୍ସାହନରେ ଚାଲିଛି ଗଂଜେଇ ଓ ବ୍ରାଉନସୁଗାର ବେପାର। ଶାସକ ବିଜେଡି ଦଳର ପୋତ୍ସାହନରେ କୁଖ୍ୟାତ ଗଂଜେଇ ଓ ଅତ୍ସ ବେପାରୀ ଟୁନା ସ୍ୱାଇଁ ଏହି ଘଟଣା ପାଇଁ ସଂପୂର୍ଣ୍ଣଭାବେ ଦାୟୀ। ସେହିପରି ଅଭିଯୋଗ କରିବା ପରେ ଜଟଣୀ ଥାନା ଅଧିକାରୀ ଘଟଣାସ୍ଥଳରେ ନପହଂଚିବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି କି, ଶାସକ ବିଜେଡି, ପୋଲିସ ଓ ନିଶାବେପାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। ପୋଲିସ ଯଦି ଠିକ୍ ସମୟରେ ଘଟଣା ସ୍ଥଳରେ ପହଂଚି ଥାନ୍ତା ତେବେ ନିରୀହ ନାବାଳିକାର ସମ୍ମାନ ସହ ଜୀବନ ବଂଚିଯାଇଥାନ୍ତା ବୋଲି ଡ. ସାମନ୍ତସିଂହାର କହିଛନ୍ତି।
ଏହି ଅମାନୁଷିକ କାଣ୍ଡ ଭିଆଇଥିବା ଅପରାଧୀର ସହେଯାଗୀ ଟୁନା ସ୍ୱାଇଂଙ୍କୁ ୮ ଘଂଟା ଭିତରେ ଗିରଫ କରିବା ସହ ଜଟଣୀ ଥାନା ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରାଯାଉ। ଏଥି ସହ ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପରିବର୍ତେ ମୁଖ୍ୟ ଶାସନ ସଚିବ ତୁରନ୍ତ ପୀଡିତାର ପରିବାରକୁ ଧାର୍ଯ୍ୟ ଅନୁକଂପା ରାଶି ଘୋଷଣା ପ୍ରଦାନ କରନ୍ତୁ ବୋଲି ପ୍ରତିନିଧୀ ଦଳ ଦାବି କରିଛି।/odia