ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପରମାଣୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

Spread the love

ଇସ୍‌ଲାମବାଦ୍‌, ୧୮/୧୨ (ସନ୍ଧାନ ନିଉଜ) : ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ଇମ୍ରାନ ଜେନେଭାରେ ଆୟୋଜିତ ଗ୍ଲୋବାଲ୍‌ ରିଫ୍ୟୁଜି ଫୋର୍‌ମରେ କହିଛନ୍ତି କି ‘ଭାରତର ସଂସଦ ଦ୍ବାରା ପାରିତ ଆଇନ୍‌ କେବଳ ଦକ୍ଷିଣ ଏସିଆରେ ଶରଣାର୍ଥୀମାନଙ୍କୁ ନେଇ ସଂକଟ ଉପୁଜାଇବନି ବରଂ ପରମାଣୁ ଶକ୍ତି ସଂପନ୍ନ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିବ।’

ଏହା ସହ ଇମ୍ରାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚଳିତବର୍ଷ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଂଗରେ ଟାର୍ଗେଟ କରିଥିଲେ।  ଖାନଙ୍କର ଏପରି ମନ୍ତବ୍ୟର ପାଲଟା ଜବାବ ଦେଇ ମଙ୍ଗଳବାର ଭାରତ ପକ୍ଷରୁ କୁହାଯାଇଛି ‌କି ସେ ସଂପୂର୍ଣ୍ଣ ମିଛ କଥା କହୁଛନ୍ତି।

ଜମ୍ମୁ-କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଓ ନାଗରିକତା ସଂଶୋଧନ ଆଇନ୍‌ ଭାରତରେ ଥିବା ମୁସ୍‌ଲମାନମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିବ ବୋଲି ହୋଇଥିବା ଅଭିଯୋଗକୁ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବିଶ କୁମାର ଅସ୍ବୀକାର କରିଛନ୍ତି।

ସେ କହିଛନ୍ତି କି, ‘ପାକିସ୍ତାନ ପ୍ରଧାନମନ୍ତ୍ରୀ ମିଥ୍ୟ ପ୍ରଘଟ କରୁଛନ୍ତି। ଅନ୍ତରାଷ୍ଟ୍ରୀୟ ମଞ୍ଚରେ ନିଜର ସଂକୀର୍ଣ୍ଣ ରାଜନୈତିକ ଏଜେଣ୍ଡାକୁ ଆଗକୁ ନେବା ପାଇଁ ସେ ଏପରି ମିଛ ସବୁ କହୁଛନ୍ତି।’ ଭାରତର ଆଭ୍ୟନ୍ତରୀଣ ମାମଲାରେ ଇମ୍ରାନ ଖାନ ଅନୁଚିତ ଟିପ୍ପଣୀ ଦେଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତର ନାଗରିକତା ସଂଶୋଧନ ଆଇନ୍ ଅନୁସାରେ ଧାର୍ମିକ ନିର୍ଯାତନାର ଶିକାର ହୋଇ୨୦୧୪ ମସିହା ଡିସେମ୍ବର ୩୧ ତାରିଖ କିମ୍ବା ତା’ ପୂର୍ବରୁ ଭାରତକୁ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶୀ ଅଣ-ମୁସ୍‌ଲମାନମାନଙ୍କୁ ଭାରତ ନାଗରିକତ୍ବ ପ୍ରଦାନ କରିବ।

Related Posts

About The Author

Add Comment