ନାଁକୁ ସରକାରୀ: ଆରଜିଏଚରେ ଟାଇଫଏଡ଼ ଟେଷ୍ଟ ବନ୍ଦ!
ରାଉରକେଲା, ୧୧/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ସ୍ମାର୍ଟସିଟି ରାଉରକେଲାରେ ଦିନକୁ ଦିନ ବହୁ ଅବ୍ୟବସ୍ଥା ନଜରକୁ ଆସୁଛି । ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ) ନାମରେ ଅଭିଯୋଗ ପରେ ଅଭିଯୋଗ ଉଠୁଛି । ହେଲେ ସମସ୍ୟାର ଚକ୍ରବୁ୍ୟହରୁ ଏଯାଏ ମୁକୁଳି ପାରୁନାହାନ୍ତି ରୋଗୀ । ବିଗତ ୧୫ ଦିନରୁ ଉର୍ଦ୍ଧ ହେଲା ଆରଜିଏଚରେ ରୋଗୀ ମାନେ ଟାଇଫଏଡ଼ ଟେଷ୍ଟ କରିପାରୁନାହାନ୍ତି । ହସ୍ପିଟାଲର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ଟାଇଫଏଡ଼ ଟେଷ୍ଟ ପାଇଁ ବ୍ୟବହାର କରାଯାଉଥିବା କେମିକାଲ ଅଭାବରୁ ରୋଗୀଙ୍କ ଟାଇଫଏଡ଼ ଟେଷ୍ଟ ହୋଇପାରୁନାହିଁ । କେମିକାଲ ଆସିଲେ ଟେଷ୍ଟ ସମ୍ଭବ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ସରକାରୀ ହସ୍ପିଟାଲରେ ମାଗଣାରେ ବିଭିନ୍ନ ପ୍ରକାର ଟେଷ୍ଟ ହେଉଥିବାରୁ ରୋଗୀ ମାନେ ଏହାର ସୁବିଧା ପାଇ ପାରିଥାନ୍ତି । ଅପରପକ୍ଷରେ, ଏବେ ଟାଇଫଏଡ଼ ଟେଷ୍ଟ ଏଠାରେ ହେଉନଥିବା ଯୋଗୁ ରୋଗୀ ମାନେ ବାହାରେ ୧୦୦ରୁ ୧୫୦ ଟଙ୍କା ଦେଇ ଟାଇଫଏଡ଼ ଟେଷ୍ଟ କରୁଛନ୍ତି । ଯାହାଫଳରେ ରୋଗୀଙ୍କୁ ଅର୍ଥ ଓ ସମୟର ମୂଲ୍ୟ ଦେବାକୁ ପଡ଼ିଛି । ଅପରପକ୍ଷରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ କିଛି ମାସ ତଳେ ଘୋଷଣା କରିଥିଯେ, ବାହାର ବେସରକାରୀ ହସ୍ପିଟାଲର କୌଣସି ଟେଷ୍ଟ ରିପୋର୍ଟ ସରକାରୀ ହସ୍ପିଟାଲରେ କାମରେ ଲାଗିବ ନାହିଁ । ବର୍ତମାନ ଆରଜିଏଚରେ ଏଭଳି ଅବ୍ୟବସ୍ଥା ମନ୍ତ୍ରୀଙ୍କ ଘୋଷଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶଥାଉକି, ଏବେ ସହରର ବିଭିନ୍ନ ବସ୍ତି, କଲୋନୀ ଓ ସହରତଳି ଅଂଚଳରେ ବର୍ଷାଦିନରେ ମଶାଙ୍କ ଉପଦ୍ରବ ବୃଦ୍ଧି ପାଇବା ସହ ମ୍ୟାଲେରିଆ, ଡେଙ୍ଗୁ ହେବାର ଆଶଙ୍କା ସୃଷ୍ଟି ହୋଇଛି । କୌଣସି ବ୍ୟକ୍ତିଙ୍କୁ ଜ୍ୱର ବେଶୀଦିନ ଲାଗି ରହିଲେ, ସରକାରୀ ହସ୍ପିଟାଲ ଆସୁଛନ୍ତି । ଡାକ୍ତରଙ୍କ ପରାମର୍ଶକ୍ରମେ ଟାଇଫଏଡ଼ ଟେଷ୍ଟ କରିବାକୁ ଆଗଭର ହେଉଥିବା ବେଳେ, ଆରଜିଏଚରେ ଏହି ଟେଷ୍ଟ ବନ୍ଦ ଥିବାରୁ ବାଧ୍ୟ ହୋଇ ବାହାରେ ଟେଷ୍ଟ କରୁଛନ୍ତି । ସ୍ମରଣଯୋଗ୍ୟଯେ, ରାଉରକେଲା ସରକାରୀ ହସ୍ପିଟାଲକୁ କେବଳ ସହରର ରୋଗୀ ନୁହେଁ, ଆଖପାଖ ଅଂଚଳ ରାଜଗାଙ୍ଗପୁର, ବୀରମିତ୍ରପୁର, କୋଇଡ଼ା, ବଣାଇଁ, ଲାଠିକଟା ସମେତ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ମନୋହରପୁମର, ବାନୋ, ସିମଡ଼େଗା ଆଦି ଅଂଚଳରୁ ବହୁ ରୋଗୀ ସ୍ୱାସ୍ଥ୍ୟବ୍ୟସ୍ଥା ବିଗିଡ଼ିଲେ ରାଉରକେଲା ସରକାରୀ ହସ୍ପିଟାଲକୁ ଆସିବା ଦେଖିବାକୁ ମିଳେ । ମାତ୍ର ବର୍ତମାନ ଏଠାରେ ରୋଗୀଙ୍କ ଟାଇଫଏଡ଼ ଟେଷ୍ଟ ନହେବା କାରଣରୁ ରୋଗୀଙ୍କୁ ଦହଗଂଜ ହେବାକୁ ପଡୁଛି ।
Related Posts
About The Author