ଧର୍ମଶାଳା,୨୬/୩ (ସନ୍ଧାନ ନିୟୁଜ): କରୋନାକୁ ଭୂତାଣୁ ସଙ୍କ୍ରମଣକୁ ରୋକିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହାକୁ ରୋକିବା ପାଇଁ ଲକ ଡାଉନ ଭଳି ଏକମାତ୍ର ବ୍ୟବସ୍ଥା ହୋଇଥିବା ବେଳେ ଏହାକୁ ମଧ୍ୟ କଢ଼ାକଢ଼ି ଭାବେ ପାଳନ କରିବାକୁ ହେଉଛି କସରଥ । ଅନ୍ୟପଟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ମୃତୁ୍ୟ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଅନ୍ୟପଟରେ ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ମିଳିବା ପରେ ସେ ଯେଉଁ ତଥ୍ୟ ପ୍ରଦାନ କରିଛି ତାହା ସହିତ ୧୧୨ରୁ ଅଧିକ ବ୍ୟକ୍ତି ବିଶେଷଙ୍କ ସସ୍ପର୍ଶରେ ଆସିଥିବା ବେଳେ ସେମାନେ ମଧ୍ୟ କାହା କାହା ସହିତ ମିଶିଛନ୍ତି । ଏହାଭିତରେ ବଡଚଣାରୁ ଦୁଇଜଣ ରହିଥିବା ବେଳେ ସେମାନେ ଏବେ ଆଇସୋଲେସନରେ ରହିଛନ୍ତି ।
ବିଶେଷ କରି ରାଜ୍ୟ ଓ ବିଦେଶ ବାହାରୁ ଓଡିଶାକୁ ଆସିଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି । ଅମାନ୍ୟ କଲେ ଦଣ୍ଡିତ ହେବାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସେମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତା ମୂଳକ ସହ ୧୪ ଦିନ ସଙ୍ଗରୋଧ ଓ ପୃଥକବାସ ଗୃହରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଦଶନାମା ଜାରି କରିଛି । ସେଥି ପାଇଁ ପ୍ରତ୍ୟକ ପଞ୍ଚାୟତରେ କୌଣସି ସ୍କୁଲ ଘରେ ଅସ୍ଥାୟୀ ସୁରକ୍ଷା କେନ୍ଦ୍ର କରିବା ପାଇଁ ଚଳିତ ମାସ ୧୬ ତାରିଖରୁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ସଚିବ ସମସ୍ତ ଜିଲ୍ଲାପାଳ ଓ ବିଡିଓମାନଙ୍କୁ ପତ୍ର ଜରିଆରେ ନିଦେ୍ର୍ଦଶ ଦେଇଛନ୍ତି । କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ଏହା ଧର୍ମଶାଳା ବ୍ଲକର କୌଣସି ପଞ୍ଚାୟତରେ ଆଜି ସୁଦ୍ଧା ପ୍ରସ୍ତୁତ ହୋଇ ପାରି ନାହିଁ । ଫଳରେ ଶତାଧିକ ବିଦେଶ ଓ ରାଜ୍ୟ ଫେରନ୍ତା ମାନେ ଅଦ୍ୟାବଧି ନିଜ ନିଜ ଘରେ ସଙ୍ଗରୋଧ ଓ ପୃଥକବାସରେ ରହିଛନ୍ତି । ଯାହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୂଚନା ଅନୁଯାୟୀ, ଦୈନଦିନ ବିଦେଶ ଓ ରାଜ୍ୟ ଫେରନ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ଏହା ୬୭ଜଣ ନାମ ପଞ୍ଜୀକରଣ କରିଛନ୍ତି । ଫଳରେ ମୋଟ ସଂଖ୍ୟା ୫୦୩ରେ ପହଞ୍ଚିଛି । ସେଥି ମଧ୍ୟରୁ ବିଦେଶ ଫେରନ୍ତା ୩୩ଜଣ । ଏହା ବାଦ ଅନେକ ସେମାନଙ୍କ ନାମ ପଞ୍ଜୀକରଣ ନକରି ଘରେ ଲୁଚି ରହିଛନ୍ତି । ଏହି ବ୍ଲକରେ ୪୫ଟି ପଞ୍ଚାୟତ ପାଇଁ ୩୯ଟି ସ୍ଥାନ ଚିହ୍ନଟ ହୋଇଛି ।
ସେହିପରି ବ୍ଲକସ୍ତରରେ ୨ଟି ସ୍ଥାନରେ ସୁରକ୍ଷା କେନ୍ଦ୍ର ଯଥା- ଧର୍ମଶାଳା ମହାବିଦ୍ୟାଳୟ ଛାତ୍ରୀ ନିବାସ ଓ ଆଦର୍ଶ ବିଦ୍ୟାଳୟ ଠାରେ ଖୋଲାଯାଇଛି ବୋଲି ଜଣାଯାଇଛି । ପଞ୍ଚାୟତ ଅଧିନସ୍ଥ କୌଣସି ଗାଁ ଠାରୁ ଦୂରତାରେ ଥିବା ସ୍କୁଲ ବା ଅନ୍ୟ ସ୍ଥାନରେ ବିଦୁ୍ୟତ, ପାନୀୟ ଓ ଶୌଚାଳୟ ସୁବିଧା ଥିବା ଗୃହରେ ଏହି ସୁରକ୍ଷା କେନ୍ଦ୍ର ଖୋଲାଯିବ । ଗୃହ ଓ ଶୌଚାଳୟ ଗୁଡିକୁ ଜୀବାଣୁ ମୁକ୍ତ ପାଇଁ ଧଳା ଚୁନ ଦିଆଯିବ । ୨୪ ଘଣ୍ଟିଆ ବିଦୁ୍ୟତ ସେବା ପାଇଁ ଇନର୍ଭଟର, ଫ୍ୟାନ ଓ ଶୁଦ୍ଧ ପାନୀୟ ଜଳ ସହ ଖଟ ଓ ବେଡସିଟ ରହିବ । ଏଥି ପାଇଁ ପଞ୍ଚାୟତ ସିଏଫସି କିମ୍ବା ଏସଏଫସି ପାଣ୍ଠିରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ପାରିବ ବୋଲି ଏହି ଚିଠିରେ ସ୍ପଷ୍ଟ ଭାବରେ ନିଦେ୍ର୍ଦଶ ରହିଛି । ହେଲେ ଆଜି ସୁଦ୍ଧା ଏହା କୌଣସି ପଞ୍ଚାୟତରେ ବିଧିବଦ୍ଧ ଭାବରେ କାର୍ଯ୍ୟକାରୀ ହୋଇପାରି ନାହିଁ । ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କୁ ଆସନ୍ତା କାଲି ସୁଦ୍ଧା ଏ ସମ୍ପର୍କରେ ରିପୋର୍ଟ ଦେବା ନିମନ୍ତେ ବିଡିଓ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି । ତେବେ ବ୍ଲକସ୍ତରରେ କରାଯାଇଥିବା ଧର୍ମଶାଳା ମାବିଦ୍ୟାଳୟ ଛାତ୍ରୀ ନିବାସରେ ଗତ ୩ ଦିନ ହେଲା ୪ ଜଣ ବିଦେଶ ଫେରନ୍ତା ସଙ୍ଗରୋଧ ଓ ପୃଥକବାସରେ ରହିଛନ୍ତି । ତେବେ ବଡଚଣାରେ ଏପ୍ରର୍ଯ୍ୟନ୍ତ ଏଭଳି ଗୃହ ପ୍ରସ୍ତୃତ କରାଯାଇନଥିବା ବେଳେ ଏପରିକି ସୁରକ୍ଷା ଗୃହ ମଧ୍ୟ କରାଯାଇନାହିଁ । ଯଦି ଏହା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଯିବ ତେବେ ତୁରନ୍ତ କରିପାରିବା ସମ୍ଭବ ହେବନାହିଁ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।