ଯାଜପୁର, ୨୮/୧୦/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ଧର୍ମଶାଳରେ ବେକାରୀ ସମସ୍ୟାରେ ଯୁବଶକ୍ତି ଭାରାକ୍ରାନ୍ତ । ଏଠାରେ କ୍ଷମତାକେନ୍ଦ୍ରର ଅପାରଗତା ପାଇଁ ନବୀନ ସରକାରଙ୍କ ଯାବତୀୟ ଜନମଙ୍ଗଳ ଯୋଜନା ପଥଭ୍ରଷ୍ଟ । କୃଷକ, ଶ୍ରମିକ ମାନେ ଆତ୍ମ ନିଯୁକ୍ତି ନପାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏଭଳି ଅବସ୍ଥା ଉଭୟ ବ୍ୟକ୍ତି ଏବଂ ସାମାଜିକ ଜୀବନଧାରାକୁ ବିଚଳିତ ଏବଂ ଆନେ୍ଦାଳିତ କରିଛି ବୋଲି ବି.ଜେ.ଡି ନେତା ସତୀଶ ବିଶ୍ୱାଳ ବିସ୍ପୋରକ ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଅଭିଯାନରେ ଚଲାଇଥିବା ସତୀଶ ଧର୍ମଶାଳାର ମର୍ଯ୍ୟାଦାପୁର ହିଙ୍ଗୁଳା ପଡିଆରେ ଏକ ଜନସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ନବୀନ ପଟ୍ଟନାୟକ ସରକାର ଗରୀବ ଲୋକଙ୍କ ଅର୍ଥନୈତିକ ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ହେଲେ ବି.ଜେ.ଡି ନାମରେ କ୍ଷମତାରେ ଥିବା ଜନପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ ପାଇଁ ଧର୍ମଶାଳାର ଯୁବସମାଜ ଆଜି ବେକାରୀ ଏବଂ ବେରୋଜଗାରୀର ପଞ୍ଝାରେ ଅତିଷ୍ଟ । ଧର୍ମଶାଳାରେ ବିଗତ ୩୦ ବର୍ଷ ଭିତରେ ୩୦ ଜଣ ଯୁବକଙ୍କୁ ଆତ୍ମ ନିଯୁକ୍ତି ଦିଆଯାଇ ନାହିଁ । ନବୀନ ପଟ୍ଟନାୟକଙ୍କ ସରକାର କୃଷି ଓ କୃଷକଙ୍କ ସ୍ୱାର୍ଥରକ୍ଷାକୁ ଗୁରୁତ୍ୱ ଦେଉଥିବା ବେଳେ ଧର୍ମଶାଳା ଅଞ୍ଚଳରେ ନିର୍ଦ୍ଧିଷ୍ଟ ପରିବାରର ଦୀର୍ଘ ଶାସନରେ ଗୋଟିଏ ଇଞ୍ଚ ବି ଅଧିକ ଜଳସେଚିବ ହୋଇପାରି ନାହିଁ । ଧର୍ମଶାଳାର ବନ୍ୟାଞ୍ଚଳକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ କୌଣସି ମାଷ୍ଟରପ୍ଲାନ ନାହିଁ । ଅପରନ୍ତୁ ଧର୍ମଶାଳା ଅଞ୍ଚଳରେ ନଦୀବନ୍ଧ ମରାମତି ଏବଂ ନିର୍ମାଣ ନାମରେ ନିର୍ଦ୍ଧିଷ୍ଟ ମାଫିଆ ଗୋଷ୍ଠୀ କୋଟି କୋଟି ଟଙ୍କା ହରିଲୁଟ କରି ଚାଲିଛନ୍ତି । ଧର୍ମଶାଳାର ଶ୍ରମିକ ମାନଙ୍କ ନିଯୁକ୍ତି ସୁଯୋଗ ପାଇଁ ମଧ୍ୟ ବିଗତ ୩୦ ବର୍ଷ ଭିତରେ କୌଣସି ଯୋଜନା କରାଗଲା ନାହିଁ । କରୋନା ସମୟରେ ଧର୍ମଶାଳା ଅଞ୍ଚଳରୁ ଯେଉଁ ସଂଖ୍ୟାରେ ଲୋକେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଥିଲେ ତାର ଚିତ୍ର ପ୍ରମାଣିତ ହୋଇଥିଲା । ଏହା ଯେତିକି ଉଦବେଗ ଜନକ ସେତିକି ଦଃୁଖଦାୟକ । ସବୁଠାର ଦଃୁଖର କଥା ଯେ, ଆତ୍ମ ନିଯୁକ୍ତି ପାଇଁ ଧର୍ମଶାଳା ଅଞ୍ଚଳର ଅନେକ ଯୁବତୀ ରାଜ୍ୟ ବାହାରକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଆପତ୍ତି ଜନକ କାର୍ଯ୍ୟରେ ବ୍ୟବହାର କରାଯାଇଛି । ଯାହା କି ମୋର ହସ୍ତକ୍ଷେପ ପରେ କ୍ରାଇମବ୍ରାଞ୍ଚ ଦ୍ୱାରା ଉଦ୍ଧାର କରାଯାଇଛି । ହେଲେ ସେହି ଝିଅ ମାନଙ୍କ ସମ୍ମାନ ପାଇଁ ଏହାକୁ ଗୁପ୍ତ ରଖାଯାଇଛି । ଧର୍ମଶାଳାରେ କ୍ଷମତାକେନ୍ଦ୍ର ଜରିଆରେ ଗୋଟିଏ କୋଟେରୀ ଗ୍ରୁପ କରାଯାଇ ଆଙ୍ଗୁଠି ଗଣତି କେଇଜଣଙ୍କ ସମ୍ପତ୍ତି ବୃଦ୍ଧି ପାଇଛି । ଯେଉଁମାନେ କି ଅତୀତରେ କଂଗ୍ରେସ ଶାସନ ସମୟରେ ଏହି ଦଳର ବଂଶାନୁକ୍ରମିକ ସମର୍ଥକ ମାନଙ୍କ ଘରେ ପଶି ବାଡୋଉଥିଲେ । ଏଠାରେ ରାଜନୀତିର ବ୍ୟବସାୟୀ କରଣ ଚରମ ସୀମାରେ ପହଂଚିଛି । ଯାହା କି ବିଜୁ ଏବଂ ନବୀନ ଆଦର୍ଶର ଚରମ ବିରୋଧୀ । ବିଜୁବାବୁ ଗୋଡାଣିଆ ନହୋଇ ନିର୍ଭିକ ହେବାକୁ ଆମକୁ ଶିଖାଇଥିଲେ । ଆମେ ବିଜୁବାବୁଙ୍କ ପାଖରୁ ରାଜନୈତିକ ଜୀବନ ଆରମ୍ବ କରିଛୁ । ତେଣୁ ନିର୍ଭିକ ଭାବେ କଥା କହିବା ଆମର ରାଜନୈତିକ ଆଦର୍ଶ । ନବୀନବାବୁଙ୍କ ନୀତି ଏବଂ ଆଦର୍ଶରେ ବିଶ୍ୱାସ ରଖୁଥିବା ପ୍ରକୃତ ବିଜୁ ପରିବାର ପ୍ରେମୀମାନେ ଏକାଠି ହେବାକୁ ସତୀଶଙ୍କ ଆହ୍ୱାନ ରାଜନୀତି କ୍ଷେତ୍ରରେ ବେଶ ଆଲୋଡନ ସୃଷ୍ଟି କରିଛି । ବରିଷ୍ଠ ବି.ଜେ.ଡି କର୍ମୀ ରଂଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ଅଞ୍ଚଳର ବହୁ କର୍ମୀ ଯୋଗଦେଇ ଉଦବୋଦନ ଦେଇଥିଲେ ।