ଯାଜପୁର, ୧୮/୧୧/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧୀନରେ ଥିବା କଳାପଥର ପାହାଡ ଗୁଡିକରୁ କୋଟି କୋଟି ଟଙ୍କା ହରିଲୁଟ ପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇବା ସହ ଏଥିନେଇ ନିୟମିତ ଦୃଷ୍ଟାନ୍ତ ମୂଳକ ଘଟଣାମାନ ଘଟି ଚାଲିଛି । ବୁଧବାର ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବେର (ଗଙ୍ଗେଇଡୁବୁରୀ )ପାହାଡରେ ବେଆିନ ଖନନ ନେଇ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ କରାଯାଇଛି । ତେବେ ଏହି ତଦନ୍ତର ସ୍ୱଚ୍ଛତା ନେଇ ବି.ଜେ.ଡି ନେତା ତଥା ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ପ୍ରଶ୍ନ ଉଠାଇବା ସହ ଏଥିନେଇ ଆଜି ଯାଜପୁର ଜିଲ୍ଲାପାଳଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି । ସତୀଶ ପତ୍ରରେ ଅଭିଯୋଗ କରିଛନ୍ତି ଯେ, ଯାଜପୁର ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ହୋଇଥିବା ଆଜିର ତଦନ୍ତରେ ଜନସ୍ୱାର୍ଥ କିମ୍ବା ସରକାରଙ୍କ ସ୍ୱାର୍ଥରକ୍ଷା ଆଦୌ ସମ୍ବବ ନୁହେଁ । ଯେଉଁଠି ପାହାଡକୁ ନଦୀ ପରି ଗଭୀର କରାଯାଇ ଖୋଳାଯାଇ କୋଟି କୋଟି ଟଙ୍କାର କଳାପଥରକୁ ବେଆଇନ ଭାବେ ଲୁଟ କରାଯାଇଛି, ସେଠାକୁ ତଦନ୍ତକାରୀ ଦଳ ଯାଇ ନାହାନ୍ତି । ସଂପୃକ୍ତ ପଥର ବ୍ୟବସାୟୀ ମାନଙ୍କ ଇଙ୍ଗିତରେ ଏହି ତଦନ୍ତ ଚାଲିଥିଲା । ସେମାନେ ତଦନ୍ତକାରୀ ଦଳକୁ ବାଟ ଦେଖାଇ ତାଙ୍କ ଇଛା ଅନୁସାରେ ତଦନ୍ତ କରାଉଥିଲେ । ଯେଉଁ ଅଭିଯୋଗ ଉପରେ ଏହି ତଦନ୍ତ ହେଉଥିଲା, ସେହି ଅଭିଯୋଗକାରୀ ମାନଙ୍କୁ ତଦନ୍ତ ନେଇ ସୂଚନା ଦିଆଯିବାର ବିଧି ରହିଛି । ହେଲେ ଅଭିଯୋଗକାରୀଙ୍କୁ ସୂଚନା ନଦେଇ କୋଟି କୋଟି ଟଙ୍କାର ପଥର ଲୁଟ କରିନେଇ ଥିବା ଲୋକଙ୍କୁ ତଦନ୍ତ ନେଇ ଆଗୁଆ ଖବର ଦିଆଗଲା । ଯେଉଁଥିପାଇଁ ତଦନ୍ତକୁ ଏକପ୍ରକାର ପାହାଡ ଲୁଟେରା ମାନେ ପରିଚାଳିତ କରୁଥିଲେ । ଏପରିକି ଅଭିଯୋଗକାରୀ ତଦନ୍ତ ନେଇ କିଛି ଜାଣି ନଥିଲେ ଏବଂ ଅନୁପସ୍ଥିତ ଥିଲେ । ଏହି କାରଣରୁ ଲୁଟେରାମାନେ ଆଜି ପାହାଡରୁ ପଥର ଲୁଟ ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଗାଡି ଗୁଡିକୁ ସକାଳୁ କାଢି ନେଇ ଥିଲେ । ସତୀଶ ଅଭିଯୋଗ କରିଚନ୍ତି ଯେ, ଏଥିନେଇ ମୋର ତଥ୍ୟ ଭିତିକ ଅଭିଯୋଗ ଉପରେ ପୂର୍ବରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବଙ୍କ କାର୍ଯ୍ୟାଳୟରୁ ଯାଜପୁର ଜିଲ୍ଲାପାଳ, ଧର୍ମଶାଳା ତହସିଲ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟକୁ ଆସିଥିବା ତଦନ୍ତ ନିଦେ୍ର୍ଦଶକୁ ଦୀର୍ଘଦିନ ହେବ ଚାପି ଦେଇଛନ୍ତି । ଏଥିନେଇ ପ୍ରଶାସନ ପଦକ୍ଷେପ ନେବାରେ ବିଳମ୍ବ କାରଣରୁ ସରକାର ବହୁକୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି । ଏଥିନେଇ ପ୍ରଥମେ ତଦନ୍ତ କରାଯିବା ସହ ଏହି ଦୁର୍ନିତିର ମୁଳ ସୁତ୍ରଧର ସାଜିଥିବା ପ୍ରଶାସକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ । ରାଜ୍ୟର ଜନପ୍ରୀୟ, ବିଶ୍ୱାସଯୋଗ୍ୟ ନବୀନ ପଟ୍ଟନାୟକ ସରକାରଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ପ୍ରତିଶୃତିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋରଙ୍କ ଉପରେ ଏହି ଜିଲ୍ଲାବାସୀଙ୍କ ଦୃଢ ଆସ୍ଥା ଓ ବିଶ୍ୱାସ ରହିଛି । ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତି ଆମ ସରକାର ଅତ୍ୟନ୍ତ ଯତ୍ନବାନ । ଏଭଳି ଦୁର୍ନିତିଗ୍ରସ୍ତଙ୍କ ବିରୋଧରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ନହେଲେ, ସରକାରଙ୍କ ଲକ୍ଷ ପୂରଣ ହୋଇପାରିବ ନାହିଁ । ଲୁଣିବେର (ଗଙ୍ଗେଇଡୁବୁରୀ) ପରି ଗୋଟିଏ ଗୋଟିଏ ପାହାଡରୁ ହୋଇଥିବା ବେଆଇନ ଭାବେ ଅଧିକ ପଥର ଖୋଳା ନେଇ ସରକାର ବିଧି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ସେଠାରୁ ଯେଉଁ ରାଜସ୍ୱ ମିଳିବ ସେଥିରେ ରାଜ୍ୟର ବଜେଟ ଗୋଟିଏ ବର୍ଷ ଚଳିଯିବ । ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ତତ୍ତ୍ୱବଧାନରେ ହୋଇଥିବା ଏହି ତଦନ୍ତରେ ଧର୍ମଶାଳା ତହସିଲଦାର, କଳିଙ୍ଗନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ସହ ବିଭାଗୀୟ ଅଧିକାରୀ ମାନେ ସାମିଲ ଥିଲେ ।
ଧର୍ମଶାଳାର ଲୁଣିବେର ପାହାଡ ତଦନ୍ତର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ
|
November 18, 2020 |