ଭୁବନେଶ୍ୱର, ୨୯/୧୦ (ସନ୍ଧାନ ନିୟୁଜ) : ଆଜି ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ମିଡ଼ିଆ ଷ୍ଟଡ଼ିଜ ଆନୁକୁଲ୍ୟରେ “ଟେଲିଭିଜନ ସାକ୍ଷାତକାର: ପ୍ରଶ୍ନ କରିବା
ନକରିବା” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଟିତ ହୋଇଯାଇଛି ।
ଏଥିରେ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ସନ୍ଦିପ ମିଶ୍ର କହିଥିଲେଯେ ସବୁକ୍ଷେତ୍ରରେ ବୃତିଗତ ସମସ୍ୟା ରହିଛି । ସାମ୍ବାଦିକତା
କ୍ଷେତ୍ରରେ ଏହାର ମାତ୍ରା ଯଦିଓ ଅଧିକ, ସାମ୍ବାଦିକମାନେ ଏହାକୁ ଖାତିର ନକରି ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଉଚିତ୍ । ରାଜନୌତିକ
ଏବଂ ପ୍ରଭାବଶାଳି ବ୍ୟକ୍ତିଙ୍କ ଚାପକୁ ସାମ୍ନାକରି ସାକ୍ଷାତକାର ସମୟରେ ସତ୍ୟକୁ ସାମ୍ନାକୁ ଆଣିବା ଜଣେ ସାକ୍ଷାତକାରକର୍ତାର ମୁଖ୍ୟ କର୍ତବ୍ୟ
ବୋଲି ସେ ମତବ୍ୟକ୍ତ କରିଥିଲେ ।
ଆଜିର ଟେଲିଭିଜନ ରେଟିଙ୍ଗ ପଏଂଟ୍ (ଟି.ଆର.ପି) ଦୌଡ଼ରେ ଆଗରେ ରହିବାପାଇଁ କିଛି ଜାତୀୟ ଏବଂ ଆଂଚଳିକ ନ୍ୟୁଜ ଚ୍ୟାନେଲ ଗୁଡ଼ିକ
ନିଜର ମୂଳ ଉଦ୍ଦେଶ୍ୟରୁ ଦୂରେଇଯାଇ ଏହାକୁ ମନୋରଞ୍ଜନ-ଧର୍ମୀ କାର୍ଯକ୍ରମରେ ପରିଣତ କରିଦେଇଛନ୍ତି । ଏବେ ନ୍ୟୁଜ ରୁମ ଗୁଡ଼ିକ ୱାର
ରୁମରେ ପରିଣତ ହେଉଥିବାବେଳେ ସାକ୍ଷାତକାରଦାତା ବଦଳରେ ସାକ୍ଷାତକାରକର୍ତା ଅଧିକ ମତାମତ ଦେଉଥିବାର ଦେଖିବାକୁ ମିଳୁଛି ।
ଦୁର୍ଭାଗ୍ୟବଶତଃ, ଆମର ଦର୍ଶକ ଏହାକୁ ପସନ୍ଦ କରୁଛନ୍ତି, ଯାହା ଏକ ବିଡ଼ମ୍ବନା ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ ।
ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତତର ଦେବାକୁଯାଇ ମିଶ୍ର କହିଥିଲେ ଯେ ବର୍ତମାନ ଗଣମାଧ୍ୟମ ଅନୁଷ୍ଠାନଗୁଡ଼ିକ ବିଭିନ୍ନ ସମସ୍ୟା ଦେଇ
ଗତିକରୁଥିବାବେଳେ ସାମ୍ବଦିକମାନେ ସ୍ୱାଧିନଭାବେ ଦାୟିତ୍ୱ ସମ୍ପାଦନା କରିବା ଏକ କଷ୍ଟସାଧ୍ୟ ବ୍ୟାପାର ହୋଇଯାଇଛି କିନ୍ତୁ ଏଥିପ୍ରତି ଭୃକ୍ଷେପ
ନକରି ସାମ୍ବାଦିକମାନେ ସଚୋଟ ଓ ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ କଲେ ତାହା ସମାଜ ପାଇଁ ଫଳପ୍ରଦ ହେବବୋଲି ସେ ମତବ୍ୟକ୍ତ
କରିଥିଲେ ।
ଅନ୍ୟତମ ବକ୍ତା ଭାବେ ଯୋଗଦେଇ ‘ନନ୍ଦିଘୋଷ ଟିଭି’ ର ମୁଖ୍ୟ ଉପସ୍ଥାପିକା ଗାୟତ୍ରୀ ମହାନ୍ତି କହିଥିଲେଯେ ପ୍ରଶ୍ନ ପଚାରିବା ସମୟରେ
ସାମ୍ବାଦିକର ସ୍ୱର ଉତ୍କ୍ଷିପ୍ତ ନହୋଇ ଷାଣିତ ହେବା ଦରକାର । ସାମ୍ବାଦିକର ଲକ୍ଷଣ ଅଳ୍ପ କହି ଅଧିକ ଆଦାୟ କରିବା । ପ୍ରଶ୍ନ ଯେତେ ଛୋଟ
ହୋଇପାରିବ ତାହା ବୁଝିବା ପାଇଁ ସହଜ ହେବ । ଆଇନକାନୁନ ଓ ବାସ୍ତବିକ ପରିସ୍ଥିତି କୁ ଆଖିଆଗରେ ରଖି ପ୍ରଶ୍ନ କରିବା ସହ ସାକ୍ଷାତକାରକର୍ତା
ନିଜ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ଉଚିତ ବୋଲି ସେ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ ।
ସାକ୍ଷାତକାର ନେବା ପୂର୍ବରୁ ପୂର୍ବପ୍ରସ୍ତୁତି ଓ ଗଭୀର ଗବେଷଣା କରିବା ଅତ୍ୟନ୍ତ ଆବଶ୍ୟକ । ଯାହାଦ୍ୱାରା ସାକ୍ଷାତକାରକର୍ତା
ସାକ୍ଷାତକାରଦାତାଙ୍କଠାରୁ ଅଧିକ ତଥ୍ୟ ଆଦାୟ କରିବା ସମ୍ଭବ ହେବ ବୋଲି ମହାନ୍ତି ଉଲ୍ଲେଖ କରିଥିଲେ ।
ଅନୁଷ୍ଠାନର ନିର୍ଦ୍ଧେଶକ ଉପେନ୍ଦ୍ର ପାଢୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବାକୁଯାଇ ସାକ୍ଷାତକାରର କଳାକୁ ଅଧିକ ମାର୍ଜ୍ଜିତ କରିବା ସହ ନିଜର
ଉପସ୍ଥିତ ବୁଦ୍ଧି ଏବଂ ଆତ୍ମନିୟନ୍ତ୍ରଣ ମାଧ୍ୟମରେ ଏହାକୁ ଅଧିକ ପ୍ରଭାବଶାଳୀ କରାଯାଇପାରେ । ତେଣୁ ବୃତିଗତ ଜୀବନର ପ୍ରାରମ୍ଭରୁ ଏଥିପ୍ରତି
ଧ୍ୟାନଦେଲେ ଆଶାୟୀ ସାମ୍ବାଦିକମାନେ ଭବିଷ୍ୟତରେ ସଫଳ ହୋଇପାରିବେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ମନୋରଞ୍ଜନ ପଣ୍ଡା, ଅଧ୍ୟାପିକା ସୁଚିସ୍ମିତା ମିଶ୍ର, ସମାଜସେବା ବିଭାଗର
ମୁଖ୍ୟ ଡଃ. ଗାୟତ୍ରୀ ପଟ୍ଟନାୟକ, ଅଧ୍ୟାପକ ଶ୍ରୀ ରଘୁନାଥ ମଣ୍ଡଳ ଓ ଦେବାଶିଷ ନାୟକ, ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ବହୁ ଛାତ୍ରଛାତ୍ରୀ ଉପସ୍ଥିତ
ଥିଲେ ।
ଟେଲିଭିଜନ ସାକ୍ଷାତକାର: ପ୍ରଶ୍ନ କରିବା ନକରିବା!
|
October 29, 2019 |
