ଝଟ୍‌କା ଦେବ ଅଭିବୃଦ୍ଧି

Spread the love

ନୂଆଦିଲ୍ଲୀ, ୩୦/୫ (ସନ୍ଧାନ ନିୟୁଜ): ଆସନ୍ତାକାଲି ୨୦୧୮-୧୯ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ଅର୍ଥାତ ୨୦୧୯ର ଜାନୁଆରିରୁ ମାର୍ଚ ଭିତରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି କେତେ ହୋଇଛି ସେହି ତଥ୍ୟ ପ୍ରକାଶ ପାଇବ। ଏହା ପୂର୍ବରୁ ଅର୍ଥନୀତିର ଗତି ଉପରେ ନଜର ରଖିଥିବା ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି ଯେ, ଅଭିବୃଦ୍ଧି ହାର ପାଞ୍ଚ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯିବ।
ବିଭିନ୍ନ ସାମଗ୍ରୀର ଚାହିଦା କମ୍ ରହିବା, ଘରୋଇ କ୍ଷେତ୍ରରେ ଆବଶ୍ୟକତାଠାରୁ କମ୍ ପୁଞ୍ଜିନିବେଶ ଏବଂ ଏହି ତିନି ମାସରେ ଖର୍ଚ ପରିମାଣ କମ୍ ରହିବା ଭଳି ତିନିଟି ପ୍ରମୁଖ କାରଣ ଯୋଗୁ ଅଭିବୃଦ୍ଧି ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ଅର୍ଥନୀତିଜ୍ଞଙ୍କ ମତରେ ଅଭିବୃଦ୍ଧି ହାର ୭%ରୁ ନିମ୍ନ ସ୍ତରକୁ ଖସିଯିବ। ୨୦୧୮ ଡିସେମ୍ବରରେ ଶେଷ ହୋଇଥିବା ତ୍ରୟମାସରେ ଦେଶର ଅଭିବୃଦ୍ଧି ହାର ୬.୪% ଥିଲା। ଏହାର ପରବର୍ତି ତିନି ମାସରେ ଅଭିବୃଦ୍ଧି ହାର ୫.୯%-୬.୧% ଭିତରେ ରହିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ଯଦି ସେମାନଙ୍କ ଆକଳନ ସତ ହେବ ତ‌େବେ ୨୦୧୮-୧୯ ଆର୍ଥିକ ବର୍ଷର ଅଭିବୃଦ୍ଧି ୭% ତଳକୁ ଖସିଯିବ।
ଚତୁର୍ଥ ତ୍ରୟମାସରେ ଅଭିବୃଦ୍ଧି ହାର କେତେ ରହିବ ତାହାର ପୂର୍ବାନୁମାନ ବିଭିନ୍ନ ସଂସ୍ଥା କରିଛନ୍ତି। କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ମତରେ ଅଭିବୃଦ୍ଧି ହାର ୬%, ଆକ୍ସିସ୍‌ ଓ ଷ୍ଟେଟ୍‌ ବ୍ୟାଙ୍କର ଆକଳନ ହେଉଛି ୬.୧%, ୟେସ ବ୍ୟାଙ୍କ ଓ କେୟାର ରେଟିଂର ୬.୨%, ଇଣ୍ଡିଆ ରେଟିଂ ଓ କ୍ରିସିଲ୍‌ର ଆକଳନ ହେଉଛି ୬.୩% ରହିବ। ସେହି ସମୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି ଯେ ଅଭିବୃଦ୍ଧି ହାର ୬.୧%-୬.୩% ମଧ୍ୟରେ ରହିବ।

ଚୀନ୍‌ଠୁ ଆଗରେ ରହିବ: ଓଇସିଡ
ନୂଆଦିଲ୍ଲୀ: ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି) ଏହାର ସଦ୍ୟତମ ରିପୋର୍ଟରେ ଆକଳନ କରିଛି ଯେ, ‌ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିବ। ଏହା କେବଳ ଚୀନ୍‌ ଠାରୁ ଆଗରେ ରହିବ ନାହିଁ ବରଂ ଦୁଇ ଦେଶ ଭିତରେ ଅଭିବୃଦ୍ଧିକୁ ନେଇ ଯେଉଁ ଅନ୍ତର ରହିଛି ତାହାକୁ ମଧ୍ୟ ଭାରତ ବଢ଼ାଇପାରିବ। ପ୍ୟାରିସ୍‌ର ଏହି ସଂଗଠନ ଆକଳନ କରିଛି ଯେ, ଭାରତର ଅଭିବୃଦ୍ଧି ୨୦୧୯ରେ ୭.୨% ଏବଂ ୨୦୨୦ରେ ୭.୫% ରହିବ। ସେହି ସମୟରେ ୨୦୨୦ ବେଳକୁ ଚୀନ୍‌ର ଅଭିବୃଦ୍ଧି ୬%କୁ ଖସିଯିବ। ଭାରତ ବିଷୟରେ ଇଓସିଡି କହିଛି ଯେ, ଭାରତର ଆର୍ଥିକ ସ୍ଥିତି ବହୁତ ଭଲ ଥିବା ବେଳେ ରପ୍ତାନି ପରିମାଣ ବଢ଼ୁଛି, ସୁଧ ହାର କମିବାରେ ଲାଗିଛି ଏବଂ ରାଜନୈତିକ ଅସ୍ଥିରତା ନାହିଁ। ପୁଞ୍ଜିନିବେଶରେ ମଧ୍ୟ ସେଠାରେ ବହୁତ ଭଲ ଅଭିବୃଦ୍ଧି ହେଉଛି। ତେଲ ଦର କମ ହେବା ଏବଂ ଡଲାର ତୁଳନାରେ ଟଙ୍କା ସୁଦୃଢ଼ ହେବା ଯୋଗୁ ମୁଦ୍ରାସ୍ଫୀତି ହାର ମଧ୍ୟ ଭାରତରେ କମ୍ ସ୍ତରରେ ରହିବ ବୋଲି ଏହି ସଂସ୍ଥା ଆକଳନ କରିଛି।

Related Posts

About The Author

Add Comment