ବାରିପଦା, 17.01.2021(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା) :– ଦେଶର ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଶନିବାର ସକାଳୁ ଘନ କୁହୁଡି ଛାଇ ରହିଛି। ଘନ କୁହୁଡି ଲାଗି କିଛି ଦୃଶ୍ୟମାନ ହେଉନଥିଲା। ମାତ୍ର କିଛି ପାଦ ଦୂର ବି ସ୍ପଷ୍ଟ ଦେଖାଯାଉନଥିଲା। ଯାହାଫଳରେ ରାସ୍ତାରେ ଗାଡିମଟର ରଙ୍ଗିଲା ଭଳି ଚାଲୁଥିଲା। ଘନ କୁହୁଡି ଯୋଗୁଁ ୨୫ଟି ଟ୍ରେନ ବିଳମ୍ବରେ ଚାଲିଛି। ଏହିସବୁ ଟ୍ରେନ ଦିଲ୍ଲୀ ଆଖପାଖ ଅଞ୍ଚଳର। କୁହୁଡି ଯୋଗୁଁ ଶୀତ ମଧ୍ୟ ବଢିଛି। ଭୀଷଣ ଶୀତ ଯୋଗୁଁ ଲୋକଙ୍କ ଘରୁ ବାହାରିବା ମୁସକିଲ ହୋଇଯାଇଛି। ରାଜଧାନୀ ଦିଲ୍ଲୀରେ ଶୀତର ପ୍ରକୋପ କମିବାର ନା ନେଉନାହିଁ। ଲଗାତାର କିଛି ଦିନ ହେଲା ଶୀତଲହରୀ ଜାରି ରହିଛି। ଶୁକ୍ରବାର ଦିନ ମଧ୍ୟ ଦିଲ୍ଲୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା। ଦିଲ୍ଲୀର ବ୍ୟସ୍ତବହୁଳ ଅଞ୍ଚଳ ଆନନ୍ଦ ବିହାର ଅଞ୍ଚଳରେ ମଧ୍ୟ ସକାଳୁ ସକାଳୁ ଘନ କୁହୁଡି ବାଦଲ ଛାଇ ରହିଥିଲା। ଦୃଶ୍ୟମାନତା ପାଖାପାଖି ଶୂନ ହୋଇଯାଇଥିଲା। ଫଳରେ ରାସ୍ତାରେ ଗାଡି ଚଳାଇବାରେ ଲୋକଙ୍କୁ ବହୁତ ସମସ୍ୟା ହୋଇଥିଲା। ଅପରପକ୍ଷରେ ସିଂଘୁ ସୀମାରେ ମଧ୍ୟ ଘନ କୁହୁଡିର ବାଦଲ ଛାଇ ରହିଥିଲା। ପାଖାପାଖି ଦୁଇ ମାସ ହେଲା କୃଷକ ଏଠାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ନୂଆ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ଜାରି ରହିଛି। ଭୀଷଣ ଶୀତ ଯୋଗୁଁ କୃଷକ ନିଜ ନିଜ ତମ୍ବୁ ଭିତରେ ପଶି ରହିଥିଲେ। ଘନ କୁହୁଡି ଯୋଗୁଁ ଯାତାୟାତ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଦିଲ୍ଲୀରେ ପୁଣିଥରେ ଭୀଷଣ ଥଣ୍ଡା ଏବଂ କୁହୁଡି ଆରମ୍ଭ ହେବ ବୋଲି ପୂର୍ବାନୁମାନ କରାଯାଉଛି ।
ଜାରି ରହିଛି ଶୀତ ଲହରୀ: ବିଳମ୍ବରେ ଚାଲିଛି ୨୫ ଟ୍ରେନ୍
|
January 17, 2021 |
