ଭୁବନେଶ୍ୱର,୩୦/୧୨/୨୦୧୧ (ସନ୍ଧାନ ନିଉଜ) : ଓମିକ୍ରନ୍ ଭୟାବହତା ମଧ୍ୟରେ ଆଜି ଜାନୁଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ପୂର୍ବ ଭଳି ଜାନୁଆରୀ ମାସରେ ମଧ୍ୟ ନାଇଟ୍ କର୍ଫ୍ୟୁ ଜାରି ରହିବ । କେବଳ ସହରାଞ୍ଚଳ ଗୁଡିକରେ ନାଇଟ୍ କର୍ଫ୍ୟୁ ଜାରି ରହିବ । ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ। ସକାଳ ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ରାଜ୍ୟରେ ଦୋକାନ ବଜାର ଖୋଲା ରହିବ ।
ତେବେ ଜାନୁଆରୀ ମାସରେ କଣକଣାକୁ କଡା କରିଛନ୍ତି ରାଜ୍ୟ ସରକାର । ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସଭାକୁ ବାରଣ କରାଯାଇଛି । ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ରହିଛି । ରାଜ୍ୟରେ ପ୍ରଦର୍ଶନୀ, ବାଣିଜ୍ୟମେଳା, ମେଳା ଆଦିକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି । ୨୫୦ ଲୋକଙ୍କୁ ନେଇ ବିବାହ, ବ୍ରତ ଓ ଶୁଦ୍ଧିଘର ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇପାରିବ । ଅନ୍ୟପଟେ ପାର୍କ, ବେଳାଭୂମି, ପିକନିକ୍ ଆଦି ଆୟୋଜନକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଛି । ତେବେ କୋଭିଡ୍ ନିୟମ ମାନି ଯାତ୍ରା, ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ହୋଇପାରିବ ବୋଲି ଗାଇଡଲାଇନ୍ରେ ଉଲ୍ଲେଖ କରାଯାଇଛି ।
ଯାତ୍ରାରେ ସର୍ବାଧିକ ୧ହଜାର ଲୋକଙ୍କୁ ନେଇ ଓ ୫୦ ପ୍ରତିଶତ କ୍ଷମତାରେ ଚାଲିପାରିବ ସିନେମା ହଲ୍ । ସିନେମା ହଲକୁ ଯିବା ସମୟରେ ଡବଲ ଡୋଜ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି । ରାଜ୍ୟରେ ବର୍ତମାନ ଓମିକ୍ରନ୍ ସ୍ଥିତି ଅଣାୟତ ହେଉଥିବା ଭଳି ମନେ ହେଉଥିବା ବେଳେ ଜାନୁଆରୀ ମାସ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ୍ । ଏହି ଗାଇଡଲାଇନ୍ ଆସନ୍ତା ଜାନୁଆରୀ ୩୧ ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ ରହିବ । ଏହା ସହିତ ନୂଆବର୍ଷ ପାଳନ ପାଇଁ ପୂର୍ବ ଜାରି କଟକଣା ଅନୂଯାଇ ସମସ୍ତ ପ୍ରକାର ଭୋଜିଭାତ ଓ ଆୟୋଜନକୁ ବାରଣ କରିଛନ୍ତି ରାଜ୍ୟ ସରକାର ।