ଯାଜପୁର /୨୭/୦୨/(ସନ୍ଧାନ ନ୍ୟୁଜ )ପୁଣି ଜମି ଅଧିଗ୍ରହଣ କୁ ନେଇ କଳିଙ୍ଗନଗର ଅଶାନ୍ତ ହୋଇ ପଡ଼ିଛି। ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଜମି ଅଧିଗ୍ରହଣ କୁ ନେଇ ପ୍ରଶାସନ ଓ ଗ୍ରାମବାସୀ ଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଦେଖିବାକୁ ମିଳିଛି।ପ୍ରଶାସନ ର ଜୁଲମ ଆଗରେ ସିଲିଂ ଜମି ମାଲିକ ଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଛି। ଓ ଏସ ଏସ କାରଖାନା ର ଦଲାଲ ସାଜିଛି ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି।ସ୍ଥାନୀୟ ଜନପ୍ରତିନିଧି ଶାସକ ଦଳ ର ନେତା ହୋଇଥିବାରୁ ତାଙ୍କ ଇଙ୍ଗିତରେ ପ୍ରଶାସନ ଆମ ଉପରେ ଜୁଲମ କରିଛି ବୋଲି ସିଲିଂ ଜମି ମାଲିକ ମାନେ କହିଛନ୍ତି।ପୋଲିସ ର ଲାଠି ଚାର୍ଜ ରେ ଅନୁସୂଚିତ ଜନଜାତି ଓ ଜାତି ର ଜମି ମାଲିକ ମାନେ ଲହୁ ଲୁହାଣ ହୋଇଥିବାର ଦେଖିବାକୁ ମିଳିଛି।ଦାନଗଦି ତହସିଲ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତ ର ମନୋହର ପୁର ନୂଆସାହି ଓ ଅସନବହାଳି ଗ୍ରାମ ର ଅନୁସୂଚିତ ଜନଜାତି ଓ ଜାତି ର ଭୂମିହିନ ଅଧିବାସୀ ଙ୍କୁ ଚାଷ କରିବା ପାଇଁ ସରକାର ସିଲିଂ ଜମି ଯୋଗାଇ ଦେଇଥିଲେ।ଏହି ଜମିରେ ସେମାନେ ବଂଶାନୁକ୍ରମିକ ଭାବରେ ଚାଷ କରି ଚଳୁଥିଲେ।ମାତ୍ର ଏହି ସିଲିଂ ଜମିକୁ ଶାଗ ମୁଗ ମୂଲ୍ୟରେ ଜମି ମାଲିକ ମାନେ ବିକ୍ରି କରିଦେଇଥିଲେ।ସଦ୍ୟ ସେହି ଜମି ଉପରେ ଓଏସଏସ କମ୍ପାନୀ କାରଖାନା ନିର୍ମାଣ ପାଇଁ ପ୍ରଚେଷ୍ଟା କରୁଛି।ଆଜି କମ୍ପାନୀ ଜମି ଅଧିଗ୍ରହଣ କରି ତା ଉପରେ ପାଚେରୀ ନିର୍ମାଣ ପାଇଁ ଉଦ୍ୟମ କରିଥିବା ବେଳେ ନୂଆସାହି ଗାଁ ଓ ଅସନବହାଳି ଗାଁ ର ଜମି ମାଲିକ ମାନେ ବିରୋଧ କରୁଥିବାର ଦେଖିବାକୁ ମିଳିଥିଲା।ଜମିର ପରିବର୍ତ୍ତିତ ମୂଲ୍ୟ ବୃଦ୍ଧି ହିସାବରେ ମୂଲ୍ୟ ଦେବାକୁ ସେମାନେ ଦାବି କରି ଚାଷ ଜମି ଉପରେ ବସି ରହିଥିଲେ।ମାତ୍ର ତାହା ବେଶୀ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା।ପ୍ରଶାସନ ର ଜୁଲମ ଆଗରେ ଜମି ମାଲିକ ମାନେ ଛତ୍ର ଭଙ୍ଗ ଦେଇଥିଲେ।ଏମିତିକି କିଛି ଜମି ମାଲିକ ମାନେ ପୋଲିସ ମାଡ଼ରେ ଲହୁ ଲୁହାଣ ହୋଇଥିଲେ।ଦୁଇ ରୁ ତିନି ଜଣ ଜମି ମାଲିକ ପୋଲିସ ମାଡ଼ରେ ଚେତାଶୂନ୍ୟ ହୋଇପଡ଼ିଥିଲେ।ଉଭୟ ଗ୍ରାମର ଗ୍ରାମବାସୀ ଚେତାଶୂନ୍ୟ ଲୋକଙ୍କୁ ନେଇ ବିଜୁ ପଟ୍ଟନାୟକ ମାର୍ଗ ଉପରେ ରଖି ପ୍ରତିବାଦ କରୁଥିବା ବେଳେ ସେପଟେ ଜମି କୁ ପ୍ରଶାସନ ଅକ୍ତିଆର କରିବା ପାଇଁ ଚେଷ୍ଟା କରିଥିଲା। ଏହି ଖଣ୍ଡ ଯୁଦ୍ଧ କୁ ବଳ ଦେଇଥିଲେ ସ୍ଥାନୀୟ ଜନ ପ୍ରତିନିଧି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗ୍ରାମବାସୀ ଘଟଣା ସ୍ଥଳରୁ ଛାତ୍ର ଭଙ୍ଗ ଦେବା ପରେ ଏ ଘଟଣା ରଚନା କରିଥିବା ଜନ ପ୍ରତିନିଧି ଜଣଙ୍କ କମ୍ପାନୀ ର ଦଲାଲ ସାଜି ପାଚେରୀ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବାର ଦେଖିବାକୁ ମିଳିଥିଲା। ଯେଉଁଠି ଜନପ୍ରତିନିଧି ନିଜେ ଅକ୍ତିଆର କରାଯାଇଥିବା ଜମିରେ ଖୁଣ୍ଟ ପୋତୁ ଥିବାର ଦେଖିବାକୁ ମିଳୁଛି। ସେଠାରେ ସାଧାରଣ ନିରୀହ ଲୋକଙ୍କ କଥା କିଏ ବୁଝିବ ବୋଲି ଚର୍ଚ୍ଚା ହେଉଛି।ଘଟଣା ସ୍ଥଳରେ ଦାନଗଦି ତହସିଲଦାର, ମାଣତୀରା ଆର ଆଇ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଯଖପୁରା ପୋଲିସ ସଦଳବଳେ ରହିଥିଲେ।ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।



