ଚେନ୍ନାଇ-ମୁମ୍ବାଇ ଫାଇନାଲ୍ ରବିବାର

Spread the love

ବିଶାଖାପାଟଣା, ୧୧/୫ (ସନ୍ଧାନ ନିୟୁଜ) : ଅଭିଜ୍ଞତା ନିକଟରେ ଯୁବବାହିନୀ ପରାଜୟ ସ୍ବୀକାର କରିଛି। ଶୁକ୍ରବାର ଦ୍ବିତୀୟ କ୍ବାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୬ ୱିକେଟ୍‌ରେ ହରାଇ ଚେନ୍ନାଇ ସୁପର୍ କିଙ୍ଗସ ଆଇପିଏଲ୍‌-୧୨ର ଫାଇନାଲରେ ସ୍ଥାନ ପକ୍କା କରି ନେଇଛି। ରବିବାର ଫାଇନାଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ ଭେଟିବ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ। ଅଷ୍ଟମ ଥର ପାଇଁ ଚେନ୍ନାଇ ଫାଇନାଲକୁ ଉଠିଛି। ଉଭୟ ଦଳ ୩ ଥର ଲେଖାଏଁ ଆଇପିଏଲ୍ ମୁକୁଟ ଜିତି ସାରିଛନ୍ତି। ଚେନ୍ନାଇ ୨୦୧୦, ୨୦୧୧, ୨୦୧୮ରେ ଏବଂ ମୁମ୍ବାଇ ୨୦୧୩, ୨୦୧୫, ୨୦୧୭ରେ ଟ୍ରଫି ଜିତିଥିଲା। ଚତୁର୍ଥ ଥର ପାଇଁ ଫାଇନାଲରେ ପରସ୍ପରକୁ ଭେଟିବେ। ପୂର୍ବ ୩ ଥର ମଧ୍ୟରୁ ମୁମ୍ବାଇ ୨ ଥର ଜିତିଛି।

ଶୁକ୍ରବାର ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ୍‌ ବିନିମୟରେ ୧୪୭ ରନ୍‌ କରିଥିଲା। ୱାଇଡ୍‌ ବଲ୍‌ରୁ ପ୍ରଥମ ଓଭର ଆରମ୍ଭ କରିଥିବା ଦୀପକ ଚହର ନିଜ ଦ୍ବିତୀୟ ଓଭର ତୃତୀୟ ବଲ୍‌ରେ ପୃଥ୍ବୀ ସ’ (୫)ଙ୍କୁ ଏଲ୍‌ବିଡବ୍ଲୁ କରି ଚେନ୍ନାଇକୁ ପ୍ରଥମ ସଫଳତା ଦେଇଥିଲେ। ଦଳୀୟ ସ୍କୋର ୩୭ ରନ୍‌ ଥିଲା ବେଳେ ଶିଖର ଧାୱନ୍‌ଙ୍କୁ ହରଭଜନ ଆଉଟ୍‌ କରି ଦେଇଥିଲେ। କଲିନ୍‌ ମୁନ୍‌ରୋ (୨୭, ୨୪ ବଲ୍‌, ୪ ଚୌକା) ଟିକେ ମାରାତ୍ମକ ହେଇ ଆସୁଥି‌ଲା ବେଳେ ତାଙ୍କୁ ରବୀନ୍ଦ୍ର ଜାଦେଜା ପ୍ୟାଭିଲିୟନ୍‌ ପଠାଇ ଦିଲ୍ଲୀ ଅଗ୍ରଗତିରେ ଟିକେ ଆଙ୍କୁଶ ଲଗାଇଥିଲେ। ୧୧.୩ ଓଭରରେ ସ୍କୋର୍‌ ୭୫ ଥିଲା ବେଳେ ଇମ୍ରାନ ତାହିର ଅଧିନାୟକ ଶ୍ରେୟସ ଆୟର (୧୩)ଙ୍କୁ ଆଉଟ୍‌ କରି ଦିଲ୍ଲୀକୁ ଚତୁର୍ଥ ଝଟ୍‌କା ଦେଇଥିଲେ। ଅକ୍ଷର ପଟେଲ (୩) ସହଳ ଆଉଟ୍ ହେବା ପରେ ସେରଫାନ୍ ରଦରଫୋର୍ଡ (୧୦)ଙ୍କୁ ହରଭଜନ ଆଉଟ୍‌ କରିଦେଇଥିଲେ। ୧୫.୫ ଓଭରରେ ଦିଲ୍ଲୀ ୧୦୨/୬ କରିଥିଲା। ଶେଷ ୪ ଓଭରରେ ଦିଲ୍ଲୀ କେମୋ ପଲ୍‌ (୩), ଟ୍ରେଣ୍ଟ୍‌ ବୋଲ୍ଟ (୬)ଙ୍କ ସହ ଋଷବ ପନ୍ତ୍ (୩୮, ୨୫ ବଲ୍‌, ୨ ଚୌକା, ୧ ଛକା)ଙ୍କୁ ହରାଇଥିଲା। ଲଗାତାର ୱିକେଟ୍‌ ହରାଇବାରୁ ଦିଲ୍ଲୀ ବଡ଼ ‌ସ୍କୋର କରିବାରେ ବିଫଳ ହୋଇଥିଲା। ଶେଷ ଓଭରର ଦ୍ବିତୀୟ ବଲ୍‌ରେ ଜାଦେଜାଙ୍କୁ ବୋଲ୍ଟ ଛକା ମାରିବା ପରେ ଏହା ପ‌ର ବଲ୍‌ରେ ପ୍ୟାଭିଲିୟନ ଫେରିଥିଲେ। ତେବେ ବ୍ୟାଟିଂକୁ ଆସିଥିବା ଈଶାନ୍ତ ଶର୍ମା (୧୦, ୩ ବଲ୍‌) ପ୍ରଥମ ବଲ୍‌ ବିଟ୍‌ ହେବା ପରେ ପରବର୍ତୀ ଦୁଇ ବଲ୍‌କୁ ଚୌକା ଓ ଛକା ମାରି ଦିଲ୍ଲୀର ସମ୍ମାନ ରଖିଥିଲେ। ଚେନ୍ନାଇ ପକ୍ଷରୁ ଦୀପକ ଚହର, ହରଭଜନ ସିଂହ, ରବୀନ୍ଦ୍ର ଜାଦେଜା ଓ ଡ୍ବେନ୍‌ ବ୍ରାଭୋ ୨ ଲେଖାଏଁ ୱିକେଟ୍‌ ପାଇଥିଲେ।

ଜବାବରେ ବିଦେଶୀ ପ୍ରାରମ୍ଭିକ ଯୋଡ଼ି ଫାପ୍ ଡୁ ପ୍ଲେସିସ୍ (୫୦, ୩୯ ବଲ୍‌, ୭ ଚୌକା, ୧ ଛକା) ଏବଂ ସେନ୍ ୱାଟସନ୍ (୫୦, ୩୨ ବଲ୍‌, ୩ ଚୌକା, ୪‌ ଛକା) ଦୃଢ଼ ମୂଳଦୁଆ ପକାଇବା ପରେ ଅମ୍ବାତି ରାୟୁଡୁ (୨୦*, ୨୦ ବଲ୍‌, ୩ ଚୌକା)ଙ୍କ ପାଳି ଚେନ୍ନାଇ ପାଇଁ ଯଥେଷ୍ଟ ହୋଇଥିଲା। ମଝିରେ ସୁରେଶ ରାଇନା (୧୧) ଏବଂ ମହେନ୍ଦ୍ର ସିଂହ ଧୋନି (୯) ଆଉଟ୍‌ ହୋଇଥିଲେ ମଧ୍ୟ ଏହାର କୌଣସି କୁପ୍ରଭାବ ପଡ଼ିନଥିଲା। ଫାପ୍ ଡୁ ପ୍ଲେସିସ୍ ମ୍ୟାଚ୍‌ର ଶ୍ରେଷ୍ଠ‌ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୪୭/୯ (ଋଷବ ପନ୍ତ୍‌-୩୮, କଲିନ ମୁନ୍‌ରୋ-୨୭, ଶିଖର ଧାୱନ୍‌-୧୮, ଦୀପକ ଚହର-୨/୨୮, ହରଭଜନ ସିଂହ-୨/୩୧, ରବୀନ୍ଦ୍ର ଜାଦେଜା-୨/୨୩, ଡ୍ବେନ୍‌ ବ୍ରଭୋ-୨/୧୯)। ଚେନ୍ନାଇ ସୁପର କିଙ୍ଗ୍ସ ୧୯ ଓଭରରେ ୧୫୧/୪ (ସେନ୍‌ ୱାଟ୍‌ସନ୍‌-୫୦, ଫାଫ୍‌ ଡୁ’ପ୍ଲେସିସ୍‌-୫୦, ଅମ୍ବାତି ରା‌ୟୁଡୁ-୨୦*, ଟ୍ରେଣ୍ଟ୍ ବୋଲଟ୍-୧/୨୦, ଅମିତ ମିଶ୍ରା-୧/୨୧, ଈଶାନ୍ତ ଶର୍ମା-୧/୨୪, ଅକ୍ଷର ପଟେଲ୍‌-୧/୩୨)।

Related Posts

About The Author

Add Comment