ଭୋଗରାଇ,୨୯.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଭୋଗରାଇ ବ୍ଲକରେ ସରକାରୀ ଚିନାବାଦାମ ବିହନ ବଣ୍ଟନରେ ବ୍ୟାପକ ଅନିୟମିତା ଓ ପାତରଅନ୍ତରଲ ହୋଇଥିବା ଅଭିଯୋଗ ଆସିଛି । ଗୋଛିଦା ତେଘରୀ ପଞ୍ଚାୟତରେ ସରକାରୀ ଚିନାବାଦାମ ବିହନ ପାଇବାରୁ ବଞ୍ଚିତ ବହୁ ଚାଷୀ ଗୁରୁବାର ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । କୃଷି ଅଧୁକାରୀ କ୍ଷେତ୍ର ତଦନ୍ତ କରି ବିହନରୁ ବଞ୍ଚିତ ଚାଷୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାର ପ୍ରତିଶ୍ରୁତି ପରେ ସନ୍ଧ୍ୟାରେ ଅନଶନ ଭଙ୍ଗ ହୋଇଛି । ସୂଚନା ମୁତାବକ; ଗୋଛିଦା ଘରୀ ପଞ୍ଚାୟତରେ ପ୍ରାୟ ୮ଶହ ହେକ୍ଟରରୁ ଅଧୁକ ଜମିରେ ଚିନାବାଦାମ ଚାଷ ହେଉଥିଲା ବେଳେ ଚଳିତ ବର୍ଷ କ୍ଷେତ୍ର ପ୍ରଦର୍ଶନ ନାମରେ ମାତ୍ର ୨୫ ହେକ୍ଟର ଜମି ପାଇଁ କୃଷି ବିଭାଗ ମାଗଣାରେ ସରକାରୀ ବିହନ ଯୋଗାଇ ଦେଇଛି । ପ୍ରତ୍ୟେକ ଚାଷୀକୁ ୩୦ କିଗ୍ରା ବିହନ ବ୍ୟାଗ ବଣ୍ଟନ କରିବାକୁ ବ୍ଳକ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି । ଏଥିପାଇଁ ସରପଞ୍ଚଙ୍କ ଦ୍ଵାରା ଚିହ୍ନଟ ୧୨୫ଜଣ ଚାଷୀଙ୍କ ପାଇଁ ସମୁଦାୟ ୧୨୫ ବ୍ୟାଗ୍ ଚିନାବାଦମ ବିହନ ପଞ୍ଚାୟତକୁ ପ୍ରଦାନ କରାଯାଇଛି । ହେଲେ ସରପଞ୍ଚ ନିଜ ଦଳର ଲୋକଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖୁ ଏହି ବିହନ ବଣ୍ଟନ କରିଥିବା ଅଭିଯୋଗ ହୋଇଛି । ସରପଞ୍ଚ ଅଧିକାଂଶ ଅଣ ଚାଷୀଙ୍କୁ ହିତାଧିକାରୀ ଭାବେ ଚିହ୍ନଟ କରି ବିହନ ବଣ୍ଟନ କରିଥିବା ବେଳେ ପ୍ରକୃତ ଚାଷୀ ସରକାରୀ ବିହନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ନେଇ ଗୋଛିଦା ତେଘରୀ ପଞ୍ଚାୟତର କୃଷ୍ଣନଗର, ରାଣୀବସାଣ ଓ ଶ୍ୟାମାନନ୍ଦୀପୁର ଗାଁର ୩୫ରୁ ଅଧିକ ଚାଷୀ ଗତ ୮ ତାରିଖରେ ବ୍ଲକ କୃଷି ଅଧୁକାରୀଙ୍କ ଠାରେ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଫଳରେ ଗତ ୨୦ ତାରିଖରେ ଚାଷୀ ଅନଶନ ପାଇଁ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ, ଭୋଗରାଇ ତହସିଲଦାର, ଆତ୍ମା ଅଧ୍ୟକ୍ଷ ତଥା ପୁଲିସ ବିଭାଗକୁ ବିହନରୁ ବଞ୍ଚିତ ଚାଷୀମାନେ ଚେତାବନୀ ଦେଇଥିଲେ। ତା’ପରେ ବି କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏନେଇ ଦିଲ୍ଲୀପ କାମିଳା, ରଜନୀକାନ୍ତ ପାତ୍ର, ରାମକୃଷ୍ଣ ଜେନା, କାଳିଚରଣ ପାତ୍ର, ରବୀନ୍ଦ୍ର ରଣା, ସର୍ବେଶ୍ୱର ଜେନା, ଅନନ୍ତ ଜେନା, ଗୌରାଙ୍ଗ ଜେନା, ରତ୍ନାକର ମଲ୍ଲିକ, ଭଗବାନ ବେହେରା, ଗୌତମ ବେହେରା, ଉମାକାନ୍ତ ଜେନା, ଯୋଗେନ୍ଦ୍ର ପଟ୍ଟାୟତ, କାହ୍ନୁ ଜେନା, ପୀତାମ୍ବର ବେହେରା, ଦୀପକ ଜେନା, ରବୀନ୍ଦ୍ର ଜେନା, ରାମକୃଷ୍ଣ ବେହେରା, ଶଙ୍କର ଜେନା, ଗୌର ଜେନା, ଚିନ୍ତାମଣି ମଣ୍ଡଳ, ଧନଞ୍ଜୟ ମଣ୍ଡଳ,ତପନ ଜେନା ପ୍ରମୁଖଙ୍କ ସମେତ ୩୫ରୁ ଅଧିକ ଚାଷୀ ଗୁରୁବାର ପୂର୍ବାହ୍ନରୁ ଭୋଗରାଇ ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ଅପରାହ୍ନରେ ବ୍ଲକ କଂଗ୍ରେସ ସଭାପତି ତଥା ଗୁନାଇବସାଣ ସରପଞ୍ଚ ଆଶିଷ ପାତ୍ର ଅନଶନ ସ୍ଥଳରେ ପହଞ୍ଚି ଚାଷୀ ଅନଶନକୁ ନୈତିକ ନ ସମର୍ଥନ ଜଣାଇଥିଲେ । ବ୍ଲକ କୃଷି ଅଧିକାରୀ , କୁଶ ଚନ୍ଦ୍ର ନାୟକ, ସହକାରୀ କୃଷି ଅଧିକାରୀ ରାଧାଗୋବିନ୍ଦ ଦେ, କୃଷି ଓଭରସିୟର ରାଜେନ୍ଦ୍ର ବଲ୍ଲଭ ଗୋସ୍ବାମୀ ଅନଶନ ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅନଶନକାରୀଙ୍କ ପ୍ରଦତ୍ତ ତାଲିକା ମୁତାବକ କୃଷି ଅଧିକାରୀ ଶ୍ରୀ ନାୟକ ଶୁକ୍ରବାର ନିଜେ ଗାଁକୁ ଯାଇ ତଦନ୍ତ ସହ ସରକାରୀ ବିହନରୁ ବଞ୍ଚିତ ଚାଷୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ସନ୍ଧ୍ୟାରେ ଅନଶନ ପ୍ରତ୍ୟାହାର ହୋଇଥିଲା ।
ଚିନାବାଦାମ ବିହନ ବଣ୍ଟନରେ ଅନିୟମତା ଅଭିଯୋଗ
|
January 29, 2021 |



