ବରୀ, ୨୭/୧/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଗୋଳକୁଣ୍ଡ ଠାରେ ପବିତ୍ର ମାଘ ସପ୍ତମୀ ଅବସରରେ ଅଭିମନ୍ୟୁ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୮ ତମ ଜନ୍ମଜୟନ୍ତୀ ଓ ପୂଜ୍ୟପୂଜା ସମାରେlହ ଅଭିମନ୍ୟୁ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୂଚନା ଲୋକସମ୍ପର୍କ ବିଭାଗର ପୁର୍ବତନ ନିର୍ଦେଶକ ସରୋଜ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ସୌମ୍ୟ ରଂଜନ ପଟ୍ଟନାୟକ, ମୁଖ୍ୟଵକ୍ତା ପ୍ରାଧାପିକା ଶ୍ରୀମତୀ ମନସ୍ଵିନୀ ମିଶ୍ର, ସମ୍ମାନିତ ଵକ୍ତା ଅବସରପ୍ରାପ୍ତ ପ୍ରଶାସକ କୃପାସିନ୍ଧୁ ମିଶ୍ର, ସମ୍ମାନନୀୟ ଅତିଥି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଅରୁଣ ମନ୍ତ୍ରୀ, କୃଷ୍ଣ ନୟକ ପ୍ରମୁଖ ଯୋଗଦେଇ ଅଭିମନ୍ୟୁ ସାମନ୍ତସିଂହାରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ରୀତିଯୁଗୀୟ କବିମାନଙ୍କ ମଧ୍ୟରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଥିଲେ ଅନ୍ୟତମ। ତାଙ୍କ ରଚିତ ସାହିତ୍ୟ କୃତିର ଗଭୀରତାକୁ ସହଜରେ ମାପିବା କଷ୍ଟସାଧ୍ୟ l ସେ ଥିଲେ ଓଡିଶାର ତଥା ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ। ଅଭିମନ୍ୟୁଙ୍କ କାବ୍ୟିକ ରଚନା ସମସ୍ତଙ୍କ ହୃଦୟସ୍ପର୍ଶି ହେବା ସହ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରି ଯୁଗେ ଯୁଗେ ମନେ ପକାଇବ। ତାଙ୍କ ଦ୍ଵାରା ରଚିତ ବାଘ ଗୀତ, ଚଢ଼େଇ ଗୀତ ବେଶ୍ ହୃଦୟ ଛୁଆଁ। ଏହି ଅବସରରେ ସଭାପତି ସରୋଜ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ ଅତିଥିମାନଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ବିଜୟ କୁମାର ମଲ୍ଲ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ କୁମାର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପରିଷଦ ଦ୍ୱାରା ପ୍ରକାଶିତ ସାହିତ୍ୟ ପତ୍ରିକା “ବ୍ରାହ୍ମୀ” ର ଉନ୍ମୋଚନ ଅତିଥି ମାନଙ୍କ ଦ୍ଵାରା କରାଯାଇଥିଲା। ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ରୁ ଆସିଥିବା କଳାକାରମାନଙ୍କ ଦ୍ୱରା ସମ୍ବଳପୁରୀ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀନିବାସ ଜେନା, ଭରତ ଜେନା, ରଞ୍ଜନ କୁମାର ଜେନା, ଶରତ ଜେନା, ଦୀପକ ଜେନା, ଅଞ୍ଜନ କୁମାର ଜେନା, ପ୍ରଶାନ୍ତ ଜେନା, ସତ୍ୟ ରଞ୍ଜନ ଜେନା, ସୁଶାନ୍ତ ଧୀର ପ୍ରମୁଖ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ବିଜୟ କୁମାର ନାୟକ, ଉତ୍କଳ ସାହିତ୍ୟ ସାମାଜିକ ଅନୁଷ୍ଠାନର ସଭାପତି ମନୋଜ ନାୟକ ପ୍ରମୁଖ ସହଯୋଗ କରିଥିଲେ l
ଗୋଳକୁଣ୍ଡ ଠାରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୮ ତମ ଜୟନ୍ତୀ ପାଳିତ
|
January 27, 2026 |



