ଡ୍ରାଇଭର ଗୋପି ସାମ୍ନାରେ ଆସି ଠିଆହୋଇ ବିନୀତ ସ୍ୱରରେ ସରୋଜଙ୍କୁ କହିଲା, “ସାର୍ ପିଣ୍ଟୁ ବାବୁଙ୍କ ପୁରୁଣା ବହିଗୁଡାକ ଦେଲେ ଏବର୍ଷ ମୋ ପୁଅ ର କାମରେ ଆସନ୍ତା।ଫାଷ୍ଟ ଡିଭିଜନ ରେ ମେଟ୍ରିକ ପାସ କରିଛି ପୁଅ।ଏବର୍ଷ ସେ ଯୁକ୍ତଦୁଇ ବିଜ୍ଞାନରେ ଆଡ଼ମିସନ ନେବ।ମାଙ୍କୁ ଟିକେ କୁହନ୍ତେ।”
ପିଣ୍ଟୁ,ସରୋଜଙ୍କ ପୁଅ,ଏବର୍ଷ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଦେଇଛି।
ବଡ଼ ପାଟିରେ ହସିଦେଇ ସରୋଜ କହିଲା, “ତୋ ପୁଅ ସାଇନ୍ସ ପଢିବ ?ବହୁତ ଭଲ।ଖାଲି ବହି କାହିଁକି ?ତୁ ପିଣ୍ତୁର ସବୁ ନୋଟ ବୁକ୍, ପ୍ରବେଶିକା ପରୀକ୍ଷା ପାଇଁ ବିଭିନ୍ନ କୋଚିଂ ମ୍ୟାଟେରିଆଲ, ଟେଷ୍ଟ ପେପର ନେଇଯିବୁ।ରବିବାର ଦିନ ଘରକୁ ଆସି ସବୁ ନେଇଯିବୁ।”
କୃତ୍ୟକୃତ୍ୟ ହୋଇଗଲା ଗୋପୀ।”ଭଗବାନ ଆପଣଙ୍କର ମଙ୍ଗଳ କରିବେ ସାର୍।ସେକେଣ୍ଡ ହ୍ୟାଣ୍ଡ ବହି ବି କିଛି କମ ଦାମ ନୁହେଁ ଆମ ଭଳି ଲୋକଙ୍କ ପାଇଁ।”
ଘରକୁ ଫେରି ସରୋଜ ,ସ୍ତ୍ରୀ ପ୍ରିୟାଙ୍କୁ ସବୁକଥା କହିଲେ।
– ତମେ ମୋତେ ନପଚାରି ,ଡ୍ରାଇଭରକୁ କାହିଁକି ବହି ଦେବାକୁ କହିଦେଲ ?
ଆଶ୍ଚର୍ଯ୍ୟ ହୋଇ ସରୋଜ ପଚାରିଲେ,
‘ପିଣ୍ଟୁ ର ବହି ଖାତା ସବୁ କଣ ହେବ ? ଆମର ଆଉ ପିଲା ବି କେହି ନାହାନ୍ତି ଯେ ଆମେ ସାଇତିବା ?’
– ମୋ ଭାଇଙ୍କ ପୁଅ ପରା ଏବର୍ଷ ଦଶମ ପାସ କଲା।ପିଣ୍ଟୁ ର ସବୁ ବହି ତାକୁ ମୁଁ ଦେବି।
ସ୍ତ୍ରୀଙ୍କୁ ବୁଝାଇଲେ ସରୋଜ, “ତମ ଭାଇ ବଡ଼ କମ୍ପାନୀ’ର ଜଣେ ଉଚ୍ଚ ପଦସ୍ତ ଅଫିସର।ଲକ୍ଷ ଲକ୍ଷ ଟଙ୍କା ମାସକୁ ଦରମା ପାଉଛନ୍ତି।ପିଣ୍ଟୁ ର ପୁରୁଣା ବହି ତୁମ ପୁତୁରା ପଢିବ ?ସେମାନେ ପୁଣି ଅନ୍ୟ ରାଜ୍ୟରେ ରହୁଛନ୍ତି।ଏତେ ବାଟ ବହି ସବୁକେମିତି ପଠାଇବ ? ଗୋପିଟା ଗରିବ ମଣିଷ ଓ ଏ ବହିସବୁ ତା ପୁଅ କାମରେ ଆସିବ।”
– ମୋ ଘର ଲୋକଙ୍କୁ ବହି ନଦେଇ ବାହାର ଲୋକକୁ କାହିଁକି ଦେବି ?ତମେ ଆଉ ଯୁକ୍ତି କରନା।
ସରୋଜ ଜାଣିପାରୁନଥିଲେ ଗୋପୀକୁ କଣ କହିବେ।ଲାଜ ମାଡୁଥିଲା ତାଙ୍କୁ।ସପ୍ତାହେ ପାଇଁ ଟୁରରେ ସେ ବମ୍ବେ ଯିବେ।ଫେରିଲା ପରେ ବରଂ ପଇସା ଦେଇଦେବେ ତାକୁ।
ଟୁର ରୁ ଫେରି ଘରକୁ ପଶିଲା ବେଳକୁ ସରୋଜ ଦେଖିଲେ ଗୋଟେ ରଦିବେପାରି ଦୁଇ,ତିନିଟା ବସ୍ତାରେ କଣ ସବୁ ପଶେଇକି ନେଉଥିଲା।
– ଭାଇ ର ପୁଅ ଜିଦି କଲା କମର୍ସ ପଢିବାକୁ।ସେଥିପାଇଁ ବହି,ଖାତା ସବୁ ବିକିଦେଲି।ଦୁଇ ଶହେ କୋଡିଏ ଟଙ୍କା ମିଳିଲା।ବଦମାସ ଠକ ଲୋକଟା କେଜି ଚାରିଟଙ୍କା ହିସାବରେ ନେଲା; ସେଥିରେ ପୁଣି ଦଣ୍ଡି ମାରି ଆଉ ଦଶ କୋଡିଏ କିଲୋ ନେଇଯାଇଥିବ।”
ଆକାଶରୁ ଗଳି ପଡ଼ିଲା ଭଳି ଲାଗିଲା ସରୋଜକୁ।ଛିଃ, ଏତେ ତଳକୁ ଯାଇ ପାରିଲା ପ୍ରିୟା ?ସାମାନ୍ୟ କେତେଟା ଟଙ୍କା ପାଇଁ ଅଥବା ଡ୍ରାଇଭର କୁ ବହି ନଦେବାର ଜିଦି ?
ବାହାରେ ଗୋପି ନିଶ୍ଚୟ ଦେଖିଥିବ ରଦି ବେପାରୀ ପିଣ୍ଟୁ’ର ବହି ସବୁ ନେଇଯାଉଥିବାର ଦୃଶ୍ୟ।କଣ ଭାବୁଥିବ ସେ ?ସେଇଥିପାଇଁ କହିଥିଲା କି ମା’ଙ୍କୁ ଟିକେ କହିବେ?
ନିଜକୁ ଅସହାୟ ଲାଗୁଥିଲା।ଗୋପି ର ପୁଅ ଗଣେଷ’ର ମୁହଁଟା ମନେପଡିଯାଉଥିଲା।
ଅଫିସ ଗଲାବେଳେ ବାଟରେ ଗୋପି ହାତକୁ କିଛି ଟଙ୍କା ବଢ଼ାଇ ଦେଇ କହିଲେ,”ଏଇ ଟଙ୍କା ରଖ ଗୋପୀ, ପୁଅର ବହି କିଣିବୁ।”
– ନାଇଁ ସାର୍,ଟଙ୍କା ଦରକାର ନାହିଁ। ବହି ଖାତା ସବୁ ସେଇ ଚିହ୍ନା ରଦିବେପାରୀ ଗୋବିନ୍ଦଠୁ ଆଣିଲି।ଆପଣଙ୍କ ଡ୍ରାଇଭର ବୋଲି ସେ ମୋତେ ଜାଣେ।
ଛେପ ଢ଼ୋକି ସରୋଜ ପଚାରିଲେ,”କେତେ ଟଙ୍କା ନେଲା ତୋ ଠାରୁ ସେ ରଦି ବେପାରୀ ?
-ଗୋବିନ୍ଦ ଭାରି ଭଲ ଲୋକଟା ସାର।ଯେମିତି ଜାଣିଲା ମୋ ପୁଅ’ର ପଢିବାକୁ ସେଇ ବହି ଦରକାର ,ମାଗଣାରେ ସବୁତକ ଦେଇଦେଲା।ପଇସା ଯାଚିଲାରୁ ମନା କରି କହିଲା,”ପିଲାବେଳେ ପାଠ ପଢିବାକୁ ବହି ପତ୍ର ପାଇନଥିଲି ବୋଲି ଆଜି ରଦିବେପାର କରୁଛି।ତୋ ପୁଅ ପାଠ ପଢି ତୋ ବାବୁଙ୍କ ଭଳି ବଡ଼ ଅଫିସର ହେଉ।”
ଦେହରେ କରେଣ୍ଟ ଲାଗିଲା ଭଳି ଏକ ଅନୁଭବ। ଝଣଝାଣ ହୋଇ ଛାତି ଭିତରେ କିଛି ଭାଙ୍ଗି ଯାଉଥିଲା ସରୋଜଙ୍କ’ର।ତାଙ୍କୁ ଲାଗିଲା ସେ ନିଜେ ଯେମିତି ରଦି ବେପାରୀ ବନି ଯାଇଛନ୍ତି ;ଅଥବା ତା’ଠାରୁ ବି ନ୍ୟୁନ !