ଗଞ୍ଜାମ: ବନ୍ୟା ପାଣିରେ ଭାସିଗଲେ ୨ ପରିବାରର ୬ ଜଣ
ଗଞ୍ଜାମ: ବନ୍ୟା ପାଣିରେ ଭାସିଗଲେ ୨ ପରିବାରର ୬ ଜଣ
Manas Kumar Rout |
October 11, 2018 |
ଭଞ୍ଜନଗର,୧୧/୧୦(ସନ୍ଧାନ ନିୟୁଜ): ସାମୁଦ୍ରିକ ଝଡ଼ ‘ତିତ୍ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପରେ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗୋଟିଏ ପରିବାରର ୬ ଜଣ ଭାସି ଯାଇଛନ୍ତି। ଇନ୍ଦିରା ଆବାସରେ ଆଶ୍ରୟ ନେଇଥିବା ବେଳେ ଅଡାଙ୍ଗି ନାଳରେ ପାଣି ଆସିବାରୁ ଗାଜଲବାଡି ପଞ୍ଚାୟତର ଭୂତପଙ୍କାଳ ଗାଁର ୬ ଜଣ ଲୋକ ଭାସି ଯାଇଛନ୍ତି। ଗୋଟିଏ ପରିବାରର ୪ ଜଣ ସଦସ୍ୟ ଥିବା ବେଳେ ଅନ୍ୟ ପରିବାରରୁ ୨ଜଣ ଲୋକଙ୍କୁ ପାଣି ଠେଲି ନେଇଛି। ସ୍ଥାନୀୟ ଲୋକମାନେ ପାଣିରେ ଭାସିଯାଇଥିବା ଲୋକଙ୍କୁ ଖୋଜୁଥିଲେ ମଧ୍ୟ ପାଉ ନାହାନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସମସ୍ତେ ନିଖୋଜ ଅଛନ୍ତି।
‘ତିତ୍ଲି’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଋଷିକୁଲ୍ୟା ଓ ଉତ୍ତର ଓଡ଼ିଶାର ଜଳକା ନଦୀ ଫୁଲି ଉଠିଛି। ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିଛି। ଋଷିକୁଲ୍ୟା ନଦୀରେ ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆସ୍କାଠାରେ ଋଷିକୁଲ୍ୟାରେ ୧୩ ଫୁଟ ପାଣି ପ୍ରବାହିତ ହେଉଛି। ଆସ୍କା-ବ୍ରହ୍ମପୁର ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବା ବେଳେ ଆସ୍କା-ସୋରୋଡା ଜାତୀୟ ରାଜପଥ ଉପରେ ମଧ୍ୟ ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟତ ଏକ ପ୍ରକାରର ବାଧାପ୍ରାପ୍ତ ହୋଇଛି। ଧରାକୋଟ ବ୍ଲକର ରେଡି ଦାମୋଦରପଲ୍ଲୀ ଗାଁରେ ୫ ଫୁଟ ପାଣି ପଶିଛି। ଫଳରେ ଏହି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।
Related Posts
About The Author