ବାରିପଦା, ୦୪.୦୧.୨୦୨୧(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):-ଯଶସ୍ବୀ କ୍ରୀଡାବିତ ଓ ବହୁ ଚର୍ଚ୍ଚିତ ଅଭିନେତ୍ ଅସିତ ପତିଙ୍କ ଜନ୍ମଭୂମି, ବାରିପଦା ସହର ଦେଉଳସାହିରେ । ପିତା ରାମଚନ୍ଦ୍ର ପତି ଓ ମାତା ବିଷ୍ଣୁପ୍ରିୟା ପତିଙ୍କ ସେ ହେଉଛନ୍ତି କନିଷ୍ଠ ପୁତ୍ର । ବିଚକ୍ଷଣ କ୍ରୀଡାବିତ ଭାବେ ପୋଇଭୋଲ୍ଡରେ କ୍ରମାଗତ ତିନିଥର ସ୍ଵପଦକ ହାସଲ କରି ସିଏ ସମସ୍ତଙ୍କୁ ଚକିତ କରି ଦେଇଥିବା ସଙ୍ଗେ ସଙ୍ଗେ ଫୁଟବଲ, ବ୍ୟାଡମିଣ୍ଟନରେ ଜଣେ ଆଗଧାଡିର ଜବରଦସ୍ତ ଖେଳାଳିଭାବେ ଯଥେଷ୍ଟ ସୁଖ୍ୟାତି ଅର୍ଜନ କରିଥିଲେ। ଏତଦ୍ବ୍ୟତୀତ ହକି, କବାଡି ଏବଂ ଭଲିବଲରେ ମଧ୍ୟ ଦକ୍ଷ ଖେଳାଳିରୂପେ ସାରା ଓଡିଶାରେ ସିଏ ଚିହ୍ନ ପଡ଼ିଲେ । ହଠାତ ୧୯୭୯ରେ, ଖେଳ ନାୟକରୁ ସିଏ ଖଳନାୟକ ରୂପେ ରୂପାନ୍ତରିତ ହେଲେ । କ୍ରୀଡାଜଗତରୁ ଡେର ପାଦ ରଖୁଥଲେ ଓଡ଼ିଆ ଚଳଚିତ୍ର ଜଗତରେ । ପ୍ରଥମ କଥାଚିତ୍ର ଥିଲା ‘ଚିହ୍ନ-ଅଚିହ୍ନ‘ । ତାପରେ ସିଏ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଗୋଟେ ପରେ ଗୋଟେ ଚଳଚିତ୍ରରେ ଅଭିନୟ କରି ପ୍ରାୟ ଶହେରୁ ଊଦ୍ଧ ଚଳଚିତ୍ରରେ ସେ ତାଙ୍କ ଅଭିନୟର ପରାକାଷ୍ଠା ଦେଖେଇ ସାରିଲେଣି। ଏବେ ମଧ୍ୟ ନିର୍ମାଣାଧୀନ ସୁଟିଂ ୬ ଚାଲିଥିବା ଚଳଚିତ୍ର ‘ଏଇ ବୋଧେ ଭଲ ପାଇବା ଏବଂ ହାଫ୍ ଲଭଷ୍ଟୋରୀରେ ସେ ଖଳନାୟକ ଚରିତ୍ରରେ ଅଭିନୟ କରି ଚାଲିଛନ୍ତି । ବିଶେଷ କରି ଜାତୀୟସ୍ତରରେପୁରସ୍କୃତ ଚଳଚିତ୍ର “ହାକିମ ବାବୁ‘, ‘ଶଙ୍ଖସିନ୍ଦୁର‘, ‘ ଥିଲି ଝିଅ ହେଲି ବୋହୁ‘, “ଗୋପରେ ବଢୁଛି କଳା କହ୍ନେଇ, କଥା ରହିଥିବ କାଳକାଳକୁ, ଜଗାହାତରେ ପଘା‘, “ସାଥୀ ଖୋଜିଛି ସାଥୀ, ‘ଲଭଷ୍ଟେସନ‘, ‘କଳ୍ପକୀ‘, ‘ଲୋକାଲ ଟୋକୀ ଲଭ ଚୋଖା‘, ‘ତୋର ଦିନେକୁ ମୋର ଦିନେ‘, ‘ବଜରଙ୍ଗୀ‘, ରିଭେଜ‘ ଆଦି ଚଳଚିତ୍ରରେ ଉଚ୍ଚକୋଟୀର ଅଭିନୟ ପାଇଁ ସିଏ ଓଡିଶାର ଦର୍ଶକଙ୍କ ପାଇଁ ସବୁଦିନ ମନେ ରହିବେ । ଚଳଚିତ୍ର ବ୍ୟତୀତ ଶ୍ରୀପତି କେତେକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ସେଥିମଧ୍ୟରୁ ‘ହରିଭାଇ ହାବିଲଦାର, ‘ଧରିତ୍ରୀ‘, ‘ଭାଗ୍ୟ‘, ‘ପ୍ରାୟଶ୍ଚିତ‘, ‘ଗୋଟିଏ ମନର କୋଟିଏ ସପ୍ତ ‘ ଅନ୍ୟତମ। ଅନେକଗୁଡିଏ ମଂଚ ନାଟକ ତଥା ମ୍ୟୁଜିକ ଭିଡିଓରେ ମଧ୍ୟ ସେ ତାଙ୍କ ଅଭିନୟର ଛାପ ଛାଡିବାକୁ ପଛେଇଲ ନାହାନ୍ତି । କେବଳ ଅଭିନୟ ନୁହଁ, ଶ୍ରୀପତି ଚଳଚିତ୍ର ନିର୍ମାଣରେ ମଧ୍ୟ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି । ଗୋପରେ ବଢୁଛି କଳା କହ୍ନେଇ‘, ‘କଥା ରହିଥିବ କାଳ କାଳକୁ‘, “ସାଥ୍ ଖୋଜିଛି ସାଥ୍, ‘ରିଭେଜ‘ ଆଦି ଚଳଚିତ୍ର ନିର୍ମାଣ କରିବା ସଙ୍ଗେ ସଙ୍ଗେ ସିଏ ଧାରାବାହିକ ‘ହରିଭାଇ ହାବିଲଦାର‘, ‘ଧରିତ୍ରୀ‘ର ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି । ଏବେ ଅଣ୍ଟା ଭିଡିଛନ୍ତି ନିର୍ଦ୍ଦେଶନା କ୍ଷେତ୍ରରେ ନିଜକୁ କେମିତି ପ୍ରତିଷ୍ଠିତ କରିବେ । ପଚାରିଲେ କହନ୍ତି ମୁଁ ଆଜି ଯାହା ବି କିଛି ହୋଇ ପାରିଛି, ସେସବୁ ପାଇଁ ଦାୟୀ କେବଳ ମୋ ଜନ୍ମମାଟି । ମୋ ପ୍ରିୟ ବାରିପଦା ସହର। ମୋ ଆରାଧାଦେବୀ ମା’ ଅମ୍ବିକା । ତେଣୁ ମୋ ଭିଟାମାଟି ଆଗରେ ମୁଁ ଚିର ଋଣୀ ହୋଇ ରହିଛି ଆଉ ରହିଥିବି ଚିରଦିନ ପାଇଁ । ମୋ‘ ଲାଗି ସାରା ଦୁନିଆ ହେଉଛି ମୋ‘, ବାରିପଦା । ଆଉ ବାରିପଦାବାସୀ ହେଉଛନ୍ତି ମୋ ପରିବାରବର୍ଗ-ବନ୍ଧୁବାନ୍ଧବ । ତେଣୁ ବାରିପଦା ପାଇଁ କିଛି ଉଲ୍ଲେଖନୀୟ କାର୍ଯ୍ୟ କରି, ମୋ‘ ଜନ୍ମମାଟିର ଜଣେ ସୁଯୋଗ୍ୟ ସନ୍ତାନ ହୋଇ ରହିବା ହଉଚି ମୋ ଜୀବନର ଏକମାତ୍ର ଲକ୍ଷ୍ୟ ।
ଖେଳ ନାୟକରୁ ଖଳନାୟକ ଅସିତ୍ ପତି
|
January 4, 2021 |



