କ୍ରାନ୍ତି ଦିବସ ଓ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ

Spread the love

ରାଉରକେଲା :୧୦/୮(ସନ୍ଧାନ ନିଉଜ) ଡିଭାଇନ ଲାଇଫ୍ ଏକାଡେମୀ ଓ ଓଡିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଅଗଷ୍ଟ ୯ କ୍ରାନ୍ତିଦିବସ ଓ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଭାଗବତ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିଦ୍, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପତି ମୁଖ୍ୟ ଅତିଥି, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଓ ମଞ୍ଚ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସଭାପତିତ୍ୱ କରୁଥିବା ଶ୍ରୀ ଜେନା ଅତିଥି ପରିଚୟ ପ୍ରଦାନ ପରେ ନିଜ ଅଭିଭାଷଣରେ କହିଲେ ଯେ, ଗଙ୍ଗାଧର ମେହେର ବହୁମୁଖ୍ୟୀ ପ୍ରତିଭାର ଅଧିକାରୀ ଥିଲେ । ତାଙ୍କ ରଚନାରେ ପ୍ରକୃତିର ଚିତ୍ର ସ୍ପଷ୍ଟ ଥିବାରୁ ତାଙ୍କୁ ସ୍ୱଭାବକବି ବୋଲି କୁହାଯାଇଥାଏ । ମୁଖ୍ୟ ଅତିଥି ଶ୍ରୀ ପତି କହିଲେ ଯେ, ଇତିହାସ ଅନେକ ସମୟରେ ସାହିତ୍ୟର ଗତିପଥକୁ ବଦଳାଇ ଦେଇଥାଏ । ଇତିହାସ ସାହିତ୍ୟ ମଧ୍ୟଦେଇ ଗତି କରିଥାଏ । ଗଙ୍ଗାଧର ଥିଲେ ଜଣେ ଜାତୀୟତାବାଦୀ କବି । ଭାରତୀୟ ସଂସ୍କୃତିର ପୁଜାରୀ ଓ ଭାଷାର ଜାଗ୍ରତ ପ୍ରହରୀ । ଉକ୍ରଳୀୟ ଭାଭନାକୁ ତାଙ୍କ ସୃଷ୍ଟିରେ ସେ ଗୁରୁତ୍ୱ ଦେଇଥିଲେ । ଏଥିସହ ସ୍ୱଭାବକବିଙ୍କ ବିଭିନ୍ନ ରଚନାବଳୀରୁ ପ୍ରଣୟ ବଲ୍ଲରୀ ଓ ତପସ୍ୱିନୀ ଉପରେ ତର୍ଜମା କରି ବହୁ ଉପାଦେୟ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଶ୍ରୀ ରାଉତ କହିଲେ ଯେ, ସ୍ୱଭାବକବି ଗଙ୍ଗାଧର ମେହେର କହିଥିଲେ ଅସଫଳତାକୁ ଲକ୍ଷ୍ୟ କରି କର୍ତ୍ତବ୍ୟ କଲେ ସେ କର୍ତ୍ତବ୍ୟର ଫଳ ମିଳେ ନାହିଁ । ତାଙ୍କର ୩ଟି କଥା ସବୁବେଳେ ଗୁରୁତ୍ୱ ବହନ କରେ ଯଥା ପରିବେଶ ମଣିଷକୁ ତିଆରି କରେ, ଦାରିଦ୍ର୍ୟତା ମଣିଷକୁ ସାଧୁତା ଶିଖାଏ ଓ ଅନ୍ୟାୟର ପ୍ରତିବାଦ ନ କରିବା ଭିରୁତା ତଥା ମାନବିକତାର ପରିଚୟ ନୁହେଁ । ଏଥିସହ ଶ୍ରୀ ରାଉତ ଗଙ୍ଗାଧରଙ୍କ ଉପରେ ଏକ କବିତା ପାଠ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଲେ ଯେ, ଅଗଷ୍ଟ ୯ କ୍ରାନ୍ତି ଦିବସ କାହିଁକି ଓ ଏହାର ପ୍ରଚ୍ଛଦପଟ କାହାଣୀ ବର୍ଣ୍ଣନା କରିବା ସହ ସାମ୍ପ୍ରତିକ ସ୍ଥିତିରେ ବୋମା ନୁହେଁ, ଅନ୍ନ ଶିକ୍ଷା, ବାସଗୃହର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପ୍ରକୃତି କବି ଗଙ୍ଗାଧରଙ୍କ ଜୀବନୀ ଓ ସୃଷ୍ଟି ଉପରେ ଆଲୋକପାତ କରି କହିଲେ ଯେ, ସ୍ୱଭାବ ଅର୍ଥ ପ୍ରକୃତି ବା ଆତ୍ମଭାବ । କବି ଆପଣା ଚିନ୍ତା ଚେତନା ଅନୁଭବ ଅନୁଭୂତିକୁ ଦୃଷ୍ଟିରେ ରଖି ପ୍ରକୃତି ଉପରେ ସମସ୍ତ କବିତା ରଚନା କରିଥିବାରୁ ତାଙ୍କୁ ସ୍ୱଭାବକବି କୁହାଯାଏ । ସେ ଥିଲେ ଓଡିଆ ସାହିତ୍ୟାକାଶର ଉଜ୍ୱଳତମ ନକ୍ଷତ୍ର । ଦେଶୀୟ ପରମ୍ପରା ଓ ସ୍ୱଚ୍ଛ ଆଦର୍ଶରେ ଅନୁପ୍ରାଣୀତ କବି ଓଡିଆ ସାହିତ୍ୟକୁ ୍ଜସ୍ର କାବ୍ୟ ବିଭବ ଦେଇଛନ୍ତି ଯାହା ତାଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ସ୍ରଷ୍ଟା ଭାବେ ପରିଚିତି ଦେଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ବଦ୍ରିନାରାୟଣ ଶତପଥୀ, ସ୍ନେହା ନାୟକ, ସୋନାଲୀ ସାବଦ, ଜୟଶ୍ରୀ ହେମ୍ବ୍ରମ, କାରନା ମୁର୍ମୁ, ଆକାଂକ୍ଷା ତ୍ରିପାଠୀ ବକ୍ତବ୍ୟ ରଖିଥିଲେ । ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବାହାଲ ସିଂ, ଛବିଳା କୁମାରୀ ତ୍ରିପାଠୀ, ସୁନନ୍ଦା ସାମଲ, ସରସ୍ୱତୀ ପଟେଲ, ସୁସ୍ମିତା ମହାନ୍ତି ପ୍ରମୁଖ ସହଯୋଗ କରିଥିବା ବେଳେ ସଭାପତି ଶ୍ରୀ ଜେନା ଧନ୍ୟବାଦ ଦେଇଥିଲେ ।

S Nayak

Related Posts

About The Author

Add Comment