ଯାଜପୁର-୧୦/୧୦(ସନ୍ଧାନ ନିୟୁଜ/M Rout): କୋରେଇ ବିଧାୟକ ଆକାଶ ଦାସ ନାୟକ ବ୍ୟାସନଗର ସହରର ବିଭିନ୍ନ ୱାର୍ଡ ପରିଦଶନ କରି ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି। ବିଶେଷ କରି ପ୍ରତି ୱାର୍ଡର ବିକାଶ ମୂଳକ କାର୍ଯ୍ୟ ପାଇଁ ଉନ୍ନତି ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ୨୫ ଲକ୍ଷ ଟଙ୍କାରେ କିଭଳି କାର୍ଯ୍ୟ କରାଯାଉଛି ସେନେଇ ସଂପୃକ୍ତ ୱାର୍ଡବାସୀ, ସ୍ଥାନୀୟ କାଉନସିଲର ଓ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ପୌର ପରିଷଦର ୮ ନମ୍ବର ୱାର୍ଡର କାଚହୁଡି ସାହି, ସୋବରା ଅଂଚଳ ପରିଦର୍ଶନ କରିଥିବାବେଳେ ୱାର୍ଡବାସୀ ବିଧାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇବାସହ ସେମାନଙ୍କର ଉତ୍କଟ ପାଣି ସମସ୍ୟା ସମାଧାନ କରିବାକୁ ନିବେଦନ କରିଥିଲେ।
ରାସ୍ତା ନିର୍ମାଣ ସମୟରେ ଜନ ସ୍ୱାସ୍ଥ୍ୟ ବିଭାଗର ପାଣି ପାଇପ୍ ଗୁଡିକ କାଟି ଦେଉଥିବାରୁ ପାଇପ ପାଣିରେ ମାସ ମାସ ଧରି ଗୋଳିଆ ପାଣି ଆସୁଛି। ଏହି ପାଣିକୁ ୱାର୍ଡବାସୀ ପାନୀୟ ଜଳଭାବେ ବ୍ୟବହାର କରୁଥିବାରୁ ନାନାଦି ରୋଗ ଯନ୍ତ୍ରଣାରେ ପଡୁଛନ୍ତିବୋଲି ବିଧାୟକଙ୍କ ନିକଟରେ ଗୁହାରୀ କରିଥିବାବେଳେ ତୁରନ୍ତ ଏହାର ସମାଧାନ ପାଇଁ ସେ ପ୍ରତିଶୃତି ପ୍ରଦାନ କରିବାସହ ସଂପୃକ୍ତ ବିିଭାଗୀୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି।
ଏହାପରେ ବିଭିନ୍ନ ୱାର୍ଡରେ ଚାଲିଥିବା ଢ଼ଳେଇ ରାସ୍ତା କାର୍ଯ୍ୟର ମାନ ଓ ପ୍ରଗତି ଉପରେ ସମୀକ୍ଷା କରିବାସହ ସଂପୃକ୍ତ ଠିକାଦାର, କାଉନସିଲର ଓ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନାକରି କାର୍ଯ୍ୟ କିଭଳି ଅଧିକରୁ ଅଧିକ ଗୁଣଯୁକ୍ତ ହୋଇ ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏଥି ସହିତ କୌଣସି ସ୍ଥାନରେ ନିର୍ମାଣ କାର୍ଯ୍ୟରେ ଅନିୟମିତତା ପରିଲକ୍ଷିତ ହେଲେ ସଂପୃକ୍ତ କାଉନସିଲରଙ୍କ ଜରିଆରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଇବାକୁ ସେ ୱାର୍ଡବାସୀଙ୍କୁ ନିବେଦନ କରିଛନ୍ତି। ବିଧାୟକଙ୍କ ସହିତ ବିଦାୟୀ ଉପ ନଗରପାଳ ସୁବାସ ବଳ, ବ୍ୟାସନଗର ବିଜେଡି ଯୁବ ସଭାପତି ମନୋଜ କୁମାର ପରିଡା, କାଉନସିଲର, କର୍ମୀ ଓ ସହଯୋଗୀମାନେ ଏହି ସମୀକ୍ଷା ପାରିଦର୍ଶନ କାର୍ଯ୍ୟରେ ଯୋଗ ଦେଇଥିଲେ।