କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ ହେଲା ସାକାର, ହରିଦାସପୁର-ପାରାଦୀପ ରେଳ ଲାଇନରେ ଖୁବ ଶୀଘ୍ର ଗଡିବ ମାଲବାହି ରେଳ

Spread the love

କେନ୍ଦ୍ରାପଡ଼ା, ୦୮/୦୭ (ସନ୍ଧାନ ନିଉଜ): କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହାର ପ୍ରଥମ ରେଳ ଲାଇନ ବହୁ ପ୍ରତିକ୍ଷିତ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି । ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ସୂଚନା ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜରିଆରେ ସେ ଏହି ସୂଚନା ଦେବା ସହ ବହୁ ଦଶନ୍ଧିର ସ୍ବପ୍ନ ପୂରଣ ହେଲା ବୋଲି କହିଛନ୍ତି । ଏଥିସହ ପ୍ରଥମେ ଏହି ଲାଇନରେ ମାଲ ଗାଡ଼ି ଚାଲିବାକୁ ଥିବା ବେଳେ ଆଗାମୀ ଦିନରେ ଯାତ୍ରୀବାହୀ ଟ୍ରେନ ମଧ୍ୟ ଚଳାଚଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ୧୯୯୬ ମସିହାରେ ପୂର୍ବ-ତଟ ରେଳର ଅଂଶ ଭାବେ ୮୨.୫ କି.ମି. ଦୀର୍ଘ ହରିଦାସପୁର-ପାରାଦୀପ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ୧୯୯୯ ମସିହାରେ ତତ୍କାଳୀନ କେନ୍ଦ୍ର ରେଳ ମନ୍ତ୍ରୀ ନୀତିଶ କୁମାର ମାର୍ଶାଘାଇଠାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ୨୦୦୪ ସୁଦ୍ଧା ଏହା ଶେଷ ହେବ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରୁନଥିଲା ଓ କାଗଜକଲମରେ ଅଟକି ଯାଇଥିଲା । ଶ୍ରୀଯୁକ୍ତ ପଣ୍ଡା ୨୦୦୯ରେ କେନ୍ଦ୍ରାପଡାରୁ ନିର୍ବାଚିତ ହେବା ପରେ ନିରନ୍ତର ଭାବେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରିବା ସହ ଅଧିକାରୀମାନଙ୍କ ସହ ସମୀକ୍ଷା କରି କାର୍ଯ୍ୟକୁ ଆଗେଇ ନେଇଥିଲେ ।

ସହଭାଗିତା ଭିତ୍ତିରେ ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ରେଳ ବିକାଶ ନିଗମ ଲିମିଟେଡ (ଆର.ଭି.ଏନ.ଏଲ), ଓଡ଼ିଶା ସରକାର, ଓଡ଼ିଶା ଖଣି ନିଗମ ଓ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ଦିଆଯାଇଥିଲା। ଆନୁମାନିକ ୨୦୮୩.୯ କୋଟି ଟଙ୍କାର ଏହି ପ୍ରକଳ୍ପ ଲାଗି ଆବଶ୍ୟକ କିଛି ଜମି ଜଙ୍ଗଲ କ୍ଷେତ୍ରରେ ପଡୁଥିବାରୁ ତାହାର ଅଧିଗ୍ରହଣ ଦୀର୍ଘ ଦିନ ଧରି ପଡିରହିଥିଲା । ଏଥିପାଇଁ ଶ୍ରୀଯୁକ୍ତ ପଣ୍ଡା ୨୦୧୪, ଅକ୍ଟୋବର ୧୪ ତାରିଖରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭାଡେକରଙ୍କୁ ସାକ୍ଷାତ କରି ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରି ଆଣିଥିଲେ । ଏହାପରେ ୨୦୧୫ ଅଗଷ୍ଟ ୨୭ରେ ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ସାକ୍ଷାତ କରି ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ଓ ରେଳ ବଜେଟରେ ସ୍ୱତନ୍ତ୍ର ଭାବେ ବ୍ୟୟବରାଦ ଦେବା ଲାଗି ଦାବି କରିଥିଲେ । ପରେ ଦ୍ବିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରି ପାଇଁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦାଖଲ କରିଥିଲେ ।

ରାଜ୍ୟଠାରୁ କେନ୍ଦ୍ର ପର୍ଯ୍ୟନ୍ତ ନିୟମିତ ସମୀକ୍ଷା ଯୋଗୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେଲା ଓ ୨୦୧୭ ଅଗଷ୍ଟ ସୁଦ୍ଧା ଏଥିରେ ୧୧୩୦.୦୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହାପରେ ଏହି ପ୍ରକଳ୍ପକୁ ଶେଷ କରିବା ଲାଗି ଶ୍ରୀଯୁକ୍ତ ପଣ୍ଡା ଗତବର୍ଷ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ବାରମ୍ବାର ଆଲୋଚନା ମଧ୍ୟ କରିଥିଲେ ।

ହରିଦାସପୁର-ପାରାଦୀପ ରେଳ ଲାଇନ ଉପକୂଳ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଯାହା ୩ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂପୁରକୁ ସଂଯୋଗ କରୁଛି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ପ୍ରୋତ୍ସାହନ ପାଇଁ ଏହି କାମଟି ଶେଷ ହୋଇଛି ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି । ସେ କହିଛନ୍ତି ଯେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପାୟନ ପାଇଁ ପଥ ପରିଷ୍କାର ହେବା ସଙ୍ଗେ ସଙ୍ଗେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଉଭୟ କେନ୍ଦ୍ରାପଡ଼ାବାସୀ ଏବଂ ତାଙ୍କ ପାଇଁ ଏହା ବହୁତ ସନ୍ତୋଷଜନକ ଓ ବ୍ୟକ୍ତିଗତ ଭାବେ ସେ ଏହି ପ୍ରକଳ୍ପ ପାଇଁ ବହୁତ ପରିଶ୍ରମ କରିଥିବାରୁ ଉକ୍ତ ଖବରରେ ଅତ୍ୟନ୍ତ ଖୁସି ଥିବା କହିଛନ୍ତି। ଆଗାମୀ ଦିନରେ ଏହି ରେଳ ଲାଇନକୁ ସମ୍ପ୍ରସାରଣ କରାଯିବା ଲାଗି ମଧ୍ୟ ଉଦ୍ୟମ ହେବା ଉଚିତ ବୋଲି ସେ କହିଛନ୍ତି । ଏହି ଖବର ଜଣାପଡ଼ିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି ।

Related Posts

About The Author

Add Comment