କୃଷକଙ୍କୁ ଭରସା ଦେଲେ ଜେଟଲି, ସହାୟତା ବଢ଼ିବ

Spread the love

ନ୍ୟୁୟର୍କ, ୪/୨(ସନ୍ଧାନ ନିୟୁଜ) : ସରକାରଙ୍କ ସମ୍ବଳ ବଢ଼ିଲେ ଆଗାମୀ ଦିନରେ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରଦାନ କରାଯାଉଥିବା ଅର୍ଥରାଶି ବୃଦ୍ଧି କରାଯିବ। ଆମେରିକାକୁ ଚିକିତ୍ସା ଲାଗି ଯାଇଥିବା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି ଦେଶବାସୀଙ୍କୁ ଆଜି ଏହି ଭରସା ଦେଇଛନ୍ତି। ଏହି ଯୋଜନାରେ କୃଷକଙ୍କୁ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଉଥିବାରୁ ମାସିକ ୫୦୦ ଟଙ୍କା ସେମାନଙ୍କ ଭାଗରେ ପଡ଼ୁଛି। କୃଷକଙ୍କୁ ଏତେ କମ୍ ପରିମାଣର ଅର୍ଥ ଦିଆଯାଉଥିବାରୁ ଏହାକୁ ବିରୋଧୀ କଂଗ୍ରେସ ସମାଲୋଚନା କରୁଛି। ତେବେ ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ଜେଟଲି କହିଛନ୍ତି, କୃଷକମାନଙ୍କୁ ଦିଆଯିବାକୁ ଥିବା ଏହି ରାଶିକୁ ଭବିଷ୍ୟତରେ ବଢ଼ାଯାଇ ପାରିବ। ଜେଟଲି କହିଛନ୍ତି, ବର୍ଷକୁ ପ୍ରାୟ ୧୨ କୋଟି କୃଷକଙ୍କୁ ୬୦୦୦ ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯିବ। ଏହାବ୍ୟତୀତ ସରକାରଙ୍କ ବିଭିନ୍ନ ଯୋଜନାରେ କୃଷକମାନଙ୍କୁ ମାଗଣା ଘର, ସବ୍‌ସିଡିରେ ଖାଦ୍ୟ, ମାଗଣା ଚିକିତ୍ସା, ମାଗଣା ଶୌଚାଳୟ, ବିଜୁଳି, ସଡ଼କ, ଗ୍ୟାସ ସଂଯୋଗ ସମେତ କମ୍ ସୁଧରେ ଅଧିକ ଋଣ ଦିଆଯାଉଛି। ଏହିସବୁ ଯୋଜନା କୃଷକଙ୍କ ସମସ୍ୟାକୁ ଦୂର କରିବାରେ ସହାୟକ ହେବ। ସେ ଏହା ମଧ୍ୟ କହିଛନ୍ତି, କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ଲାଗି ଏହା ପ୍ରଥମ ପଦକ୍ଷେପ। ତେବେ ତାଙ୍କର ବିଶ୍ବାସ ରହିଛି ଯେ ଆଗାମୀ ଦିନରେ ସରକାରଙ୍କ ସମ୍ବଳ ବଢ଼ିଲେ ଏହି ରାଶିକୁ ମଧ୍ୟ ବୃଦ୍ଧି କରାଯାଇ ପାରିବ। ସରକାର ପ୍ରଥମ ବର୍ଷରେ ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରି ଏହି ଯୋଜନା ଆରମ୍ଭ କରିଛନ୍ତି। ଆଗାମୀ ବର୍ଷରେ ଏହି ବ୍ୟୟବରାଦ ବୃଦ୍ଧି ହେବା ନେଇ ତାଙ୍କର ଆଶା ରହିଛି । ସେ ଏହା ମଧ୍ୟ କହିଛନ୍ତି, ଦେଶରେ ଅନେକ ଯୋଜନା ୬୦:୪୦ ଅନୁପାତରେ ଚାଲୁଛି। ତେଣୁ ଏହି ଯୋଜନାକୁ ରାଜ୍ୟ ଗୁଡ଼ିକ ୪୦% ପାଣ୍ଠି ଦିଅନ୍ତୁ। କୃଷି ଋଣ ଛାଡ଼ ପ୍ରସଙ୍ଗରେ ଜେଟଲି କଂଗ୍ରେସକୁ ସମାଲୋଚନା କରି କହିଛନ୍ତି, ପି ଚିଦମ୍ବରମ୍ ୭୦ ହଜାର କୋଟି ଟଙ୍କାର ଋଣ ଛାଡ଼ ଘୋଷଣା କରିଥିଲେ। କିନ୍ତୁ ବାସ୍ତବରେ ୫୨ ହଜାର କୋଟିର ଋଣ ଛାଡ଼ କରାଯାଇଥିଲା। ସିଏଜି ମଧ୍ୟ କହିଛନ୍ତି, କୃଷି ଋଣ ଛାଡ଼ ଏକ ବଡ଼ ଅଂଶ ବ୍ୟବସାୟୀଙ୍କ ପାଖକୁ ଚାଲି ଯାଇଥିଲା। ତେଣୁ କୃଷକଙ୍କ ସହିତ ଏହା ଏକ ଧୋକାବାଜି ଥିଲା ବୋଲି ସେ କହିଛନ୍ତି। ଜେଟଲି ଏହି ଅବସରରେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। କଲେଜ ଛାତ୍ର ସଂସଦର ନିର୍ବାଚନ ନୁହେଁ ଜାତୀୟ ନିର୍ବାଚନ ଲଢ଼ୁଥିବା ନେଇ ରାହୁଲ ଭାବିବା ଉଚିତ ବୋଲି ଜେଟଲି କହିଛନ୍ତି।

ଯୋଗ୍ୟତା ଚୟନର ଶେଷ ତାରିଖ ‌ଫେବ୍ରୁଆରି ୧
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କୁ ଚୟନ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ କହିଛନ୍ତି। କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରୱାଲ ଏ ନେଇ ‌ରାଜ୍ୟ ଗୁଡ଼ିକର ମୁଖ୍ୟ ସଚିବ ଓ କୃଷି ବିଭାଗର ପ୍ରମୁଖ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି। ତେବେ ଏହି ଯୋଜନା ପାଇଁ ହିତାଧିକାରୀ ଚୟନ ଲାଗି ଯେଉଁ ଜମି ସୀମା ଧାର୍ଯ୍ୟ କରାଯାଇଛି ତାହାର ସମୟ ସୀମା ୨୦୧୯ ଫେବ୍ରୁଆରି ୧ ରଖାଯାଇଛି। ଫେବ୍ରୁଆରି ୧ ପରେ ଜମିଜମା ରେକର୍ଡରେ ହୋଇଥିବା କୌଣସି ପରିବର୍ତନକୁ ଆସନ୍ତା ୫ ବର୍ଷ ନିମନ୍ତେ ଏହି ଯୋଜନା ପାଇଁ ଗ୍ରହଣ କରାଯିବ ନାହିଁ । ତେବେ ଉତ୍ତରାଧିକାରୀଙ୍କ ନିକଟକୁ ହସ୍ତାନ୍ତର ହୋଇଥିବା ଜମି ରେକର୍ଡକୁ ଏହି ଯୋଜନା ପାଇଁ ବିଚାରକୁ ନିଆଯିବ। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ ଜମିର ମାଲିକାନା ଅଧିକାର ସାଧାରଣତଃ ଗୋଷ୍ଠୀ ଭିତ୍ତିକ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀମାନଙ୍କୁ ନେଇ ଗଠିତ ଏକ କମିଟି ଏହି ସବୁ ରାଜ୍ୟର ହିତାଧିକାରୀ ଚୟନ ନେଇ ବିକଳ୍ପ ବ୍ୟବସ୍ଥା ବିକାଶ କରିବେ।

ଅଧିକାଂଶ କୃଷକଙ୍କୁ ଚଳିତମାସରେ ମିଳିବ ଟଙ୍କା
କୃଷକଙ୍କ ପାଇଁ ଘୋଷଣା ହୋଇଥିବା ପ୍ରଥମ କିସ୍ତି ରାଶି ଦେଶର ଅଧିକାଂଶ କୃଷକଙ୍କୁ ଚଳିତମାସରେ ହିଁ ମିଳିଯିବ। କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ବଜେଟ ପରବର୍ତୀ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜମିଜମା ରେକର୍ଡ ତଥ୍ୟ ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ଅଛି। କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କ ସମ୍ପର୍କରେ ସମସ୍ତ ସୂଚନା ସରକାରଙ୍କ ନିକଟରେ ରହିଛି।

ଭୂମିହୀନ କୃଷକଙ୍କ ପାଇଁ ମନରେଗା
ଦେଶରେ ପ୍ରାୟ ୧୫ କୋଟି ଭୂମିହୀନ କୃଷକଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ନଥିବା ସଂକ୍ରାନ୍ତ ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜେଟଲି କହିଛନ୍ତି, ଏମାନଙ୍କ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସମେତ ଅନ୍ୟ କେତେକ ଯୋଜନା ରହିଛି।

Related Posts

About The Author

Add Comment