ବାରିପଦା ୧୨/୦୮/୨୦୨୦ (ସନ୍ଧାନ ନିଉଜ):- ମୟୁରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ନାହୁଆ ଓ ଗଙ୍ଗାହାର ନାମରେ ଦୁଇଟି ନଦୀ ପ୍ରବାହିତ ହୋଇଛି । ଉକ୍ତ ଦୁଇ ନଦୀ ଖଡ଼ିକାପଦାଠାରେ ମିଶ୍ରଣ ହୋଇ ଗୋଟିଏ ନଦୀରେ ପରିଣତ ହୋଇଥିବାରୁ ତାହା ଦୁଇମୁହାଣୀ ନାମରେ ନାମିତ ହୋଇଛି । ଉକ୍ତ ନଦୀର ୫ଶହ ମିଟର ଦୂର ପଶ୍ଚିମକୁ ଦୁଇଟି ଗ୍ରାମ ରହିଛି । ଦକ୍ଷିଣ ପାର୍ଶ୍ବରେ କୁଆମରା ପଞ୍ଚାୟତର କସିବଣୀ ଗାଁ ଓ ଉତ୍ତର ପାର୍ଶ୍ଵରେ ପଶୁଦା ପଞ୍ଚାୟତର ଭୋଳିପଦା ଗ୍ରାମ ବାରମ୍ବାର ଏଠାରେ ନଦୀକୂଳ ଖାଉଥିବାରୁ ଆଖପାଖରେ ଥିବା ଗ୍ରାମ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି । ଦୀର୍ଘ ବର୍ଷ ଧରି ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। । ଗତ ଫାଇଲିନ୍ ସମୟରେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ପାଖାପାଖୁ ୨ଶହ ମିଟର ନଦୀକୂଳ ଅତଡ଼ା ଧସି କସିବଣି ଗ୍ରାମର ୩ଟି ଓ ଭୋଳପଦା ଗ୍ରାମର ୫ଟି ପରିବାରର ଘର ନଦୀଗର୍ଭରେ ଲୀନ ହୋଇଯାଇଥିଲା । ନଦୀକୁ ଲାଗିଥିବା ଚାଷଜମିଗୁଡିକ ନଦୀଗର୍ଭକୁ ଯିବା ସହ ତଳ ପାର୍ଶ୍ଵ ଜମି ବାଲିଚର ହୋଇ ପଡ଼ିଛି । ଫଳରେ ସେହି ସ୍ଥାନ ଆଉ ଚାଷ ଉପଯୋଗୀ ହୋଇପାରୁନାହିଁ । ବନ୍ୟା କଥା ଶୁଣିଲେ ଲୋକେ ଭୟରେ କାଳାତିପାତ କରୁଛନ୍ତି । ବନ୍ୟା ଆସିଲେ ପ୍ରତି ବର୍ଷ କିଛି ନା କିଛି କ୍ଷୟକ୍ଷତି ଘଟିବା ସହ ଚାଷ ଜମି ଓ ଘର ସମ୍ପୂର୍ଣ୍ଣ ନଦୀଗର୍ଭକୁ ଚାଲିଯାଉଛି । ଫାଇଲିନ୍ ପରଠାରୁ ବଡ଼ ବର୍ଷା କିମ୍ବା ବନ୍ୟା ହେଲେ ଲୋକେ ଗାଁଗଣ୍ଡା ଛାଡ଼ି ଉପରମୁଣ୍ଡକୁ ପଳାଇଯାଆନ୍ତି । ନଦୀକୂଳ କ୍ଷୟ ହେବାର ମୁଖ୍ୟ କାରଣ ହେଉଛି ନଦୀ ଦୁଇ ପାର୍ଶ୍ଵରେ ବେଆଇନ ଇଟାଭାଟି । ପ୍ରତିବର୍ଷ ଇଟାଭାଟି ମାଲିକମାନେ ନଦୀ କୂଳରେ ମାଟି । ତାଡ଼ି ଇଟା ଭାଟି କରିବା ଫଳରେ ମୁଭିକା କ୍ଷୟ ହେବା ସହ ସହଜରେ ନଦୀକୂଳ ଖାଉଛି । ଗ୍ରାମ ଓ ଚାଷ ଜମିର ସୁରକ୍ଷା ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ନଦୀର ଦୁଇ ପାର୍ଶ୍ଵରେ ପଥର ଫାଙ୍କି ଓ ଆଡ଼ିବନ୍ଧ ନିର୍ମାଣ ଦାବି କରି ଆସୁଥିଲେ ମଧ୍ୟ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନାହିଁ । ପ୍ରତିବର୍ଷ ବନ୍ୟାରେ ଯେପରି କ୍ଷତି ଘଟୁଛି, ତାହାକୁ ଲକ୍ଷ୍ୟ କଲେ ଆଗାମୀ ୧୦ ବର୍ଷ ମଧ୍ୟରେ ଦୁଇଟି ଯାକ ଗ୍ରାମ ସମ୍ପୂର୍ଣ୍ଣ ନଦୀଗର୍ଭରେ ଲୀନ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ । ଦୁଇଟି ଗାଁର ମୋଟ ୪୬ ପରିବାର ଆଦିବାସୀ ସମ୍ପ୍ରଦାୟର ଓ ଗରିବ ଶ୍ରେଣୀର ହୋଇଥିବାରୁ ନବେ ପ୍ରତିଶତ ବାସଗୃହ ଝାଟିମାଟିରେ ତିଆରି । ତେଣୁ ଧନଜୀବନ ସୁରକ୍ଷା ନିମନ୍ତେ ସମସ୍ତ ପରିବାରକୁ ସରକାରଙ୍କ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଦାବି ହେଉଛି । ଏହାସହିତ ନଦୀର ଦୁଇ ପାର୍ଶ୍ଵ ପଥର ଫାଙ୍କି ପାଇଁ ମଧ୍ୟ ଦାବି କରାଯାଇଛି । ଏନେଇ ସ୍ଥାନୀୟ କୁଆମରା ସରପଞ୍ଚ କୁହନ୍ତି ପଥର ପ୍ୟାକିଂ ଓ ଆଡ଼ିବନ୍ଧ ନିର୍ମାଣ ପାଇଁ ଜଳସମ୍ପଦ ବିଭାଗକୁ ଚିଠି ଲେଖାଯାଇଛି । ପଞ୍ଚାୟତ ସମିତି ବୈଠକରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଜଳସମ୍ପଦ ବିଭାଗ ବାରିପଦା ସେକ୍ସନର କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ସିଂଙ୍କୁ ଏସଂକ୍ରାନ୍ତରେ ପଚାରିବାରୁ ପଥର ପ୍ୟାକିଂ ପାଇଁ ଟେଣ୍ଡର ହୋଇସାରିଛି । ବର୍ଭମାନ ବର୍ଷା ଦିନ ଯୋଗୁ ରାସ୍ତା ଖରାପ ପାଇଁ ସେଠାକୁ ଗାଡ଼ି ଯାଇ ପାରୁନାହିଁ । ଖୁବ୍ ଶୀଘ୍ର ଏହି କାମ ଆରମ୍ଭ ହେବ ବୋଲି ସେ କହିଥିଲେ ।



