ବାଲିଗୁଡା,25/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ କଲେଜ ପଢୁଆ ନାବାଳିକା ଛାତ୍ରୀଙ୍କୁ ଦିନ ଦିପହରେ ଜନୈକ ଯୁବକ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଦାରିଙ୍ଗବାଡ଼ି ଥାନା ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଯୁବକ ଜଣକ ହେଲେ ପାଙ୍ଗାଲି ଗ୍ରାମର ଦିନେସ ନାୟକ(୨୪) । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ ଦାରିଙ୍ଗବାଡ଼ି ସ୍ଥିତ ଡାକ୍ତର ବି,ଆର ଆମ୍ବେଦକର ଜାତୀୟ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷରେ ପାଠ ପଢୁଥିଲେ । ଗତ ୧୮ ତାରିଖ ଦିନ ଛାତ୍ରୀ ଜଣକ ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିଲେ ।କଲେଜ ସାମ୍ନା ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ଅଭିଯୁକ୍ତ ଦିନେସ ବାଇକରେ ଆସି ପ୍ରେମ ନିବେଦନ କରିଥିଲେ । ପରେ ସେ ଛାତ୍ରୀଙ୍କୁ ଏକ ବାଇକ ଯୋଗେ ଅପହରଣ କରି ନେଇଯାଇଥିଲେ । ପ୍ରଥମେ ଭୁବନେଶ୍ୱର ଓ ପରବର୍ତ୍ତୀ ସମୟରେ ରାୟଗଡା ନେଇ ବହୁବାର ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଅଭିଯୁକ୍ତ ଯୁବକ । ଅପହରଣ ବିଷୟ ଝିଅର ପରିବାର ଲୋକ ଜାଣିବା ପରେ ଝିଅକୁ ଅନେକ ସ୍ଥାନରେ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ପାଇନଥିଲେ । ଶେଷରେ ପରିବାର ଲୋକ ସୋମବାର ଦିନ ବାଧ୍ୟହୋଇ ଦାରିଙ୍ଗବାଡ଼ି ଥାନାର ଆଶ୍ରୟ ନେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ମାମଲା ନଂ ୧୨/୨୧ ରୁଜୁ କରି ଏହାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଯୁବକର ଫୋନ ନଂ କୁ ଟ୍ରାକିଂ କରିଥିଲେ । ଏହାପରେ ଯୁବକ ଜଣକ ରାୟଗଡାରେ ଥିବା ନେଇ ଜଣା ପଡିଥିଲା । ଏହା ପରେ ଥାନା ଅଧିକାରୀ କୌଶିକ ମାଝୀ ଓ ଏସଆଇ ସୌମ୍ୟକାନ୍ତ ପଣ୍ଡା ରାୟଗଡା ଯାଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ଛାତ୍ରୀଙ୍କ କହିବା ପ୍ରକାରେ ଦିନରୁ ଅପହରଣ କରିବା ପରେ ଭୟଭୀତ କରାଇ ବହୁବାର ଶାରୀରିକ ସମ୍ପର୍କ ରଖିବା ସହ ଶାରୀରିକ ଅତ୍ୟାଚାର କରୁଥିଲେ ।
କଲେଜ ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ -ଅଭିଯୁକ୍ତ ଗିରଫ
|
January 26, 2021 |