ନୂଆଦିଲ୍ଲୀ, ୩୧/୦୩ (ସନ୍ଧାନ ନିୟୁଜ : ବିଶ୍ୱର ୧୯୯ଟି ଦେଶରେ କାୟା ବିସ୍ତାର କରିଛି କରୋନା ଭାଇରସ। ଆମେରିକା, ଇଟାଲୀ ଓ ସ୍ପେନ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରତିଦିନ କରୋନା ଶହଶହ ଲୋକଙ୍କ ମୁଣ୍ଡ ନେଉଥିବା ବେଳେ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଛି।
ସାରା ବିଶ୍ୱରେ ଆଜିସୁଦ୍ଧା କରୋନାରେ ୭ ଲକ୍ଷ ୩୮ ହଜାର ୫୬୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୫,୦୦୬ ଜଣ ପ୍ରାଣ ହରାଇଛନ୍ତି। ୧,୫୬,୩୧୭ ଜଣ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଛନ୍ତି। ପ୍ରଭାବିତ ହୋଇଥିବା ରାଷ୍ଟ୍ରଙ୍କ ତାଲିକାର ଭାରତର ସ୍ଥାନ ୪୧ରେ ରହିଛି। ଦ୍ୱିତୀୟରେ ଇଟାଲୀ, ତୃତୀୟରେ ସ୍ପେନ ଓ ୪ର୍ଥରେ ରହିଛି ଚୀନ।
ଆମେରିକାରେ ୧,୪୨,୭୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨,୪୯୦ ଜଣ ପ୍ରାଣ ହରାଇଛନ୍ତି। ସୁସ୍ଥ ହୋଇଛନ୍ତି ୪,୫୬୨ ଜଣ ଲୋକ। ସ୍ଥିତି ବିଗୁଡ଼ୁ ଥିବାରୁ ଏପ୍ରିଲ ଶେଷ ଯାଏ ଟ୍ରମ୍ପ ପ୍ରଶାସନ ସାରା ଦେଶରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଇଟାଲୀରେ ୧୦,୭୭୯ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୬୮୯ରେ ପହଞ୍ଚିଛି।
ସ୍ପେନରେ ୭,୩୪୦, ଚାଇନାରେ ୩,୩୦୪, ଜର୍ମାନୀରେ ୫୪୧, ଇରାନରେ ୨,୭୫୭, ଫ୍ରାନ୍ସରେ ୨,୬୦୬, ବ୍ରିଟେନରେ ୧,୨୨୮, ସ୍ୱିଜରଲ୍ୟାଣ୍ଡରେ ୩୨୭, ବେଲଜିୟରେ ୫୧୩, ନେଦରଲ୍ୟାଣ୍ଡ୍ସରେ ୮୬୪, ଦକ୍ଷିଣ କୋରିଆରେ ୧୫୮, ତୁର୍କୀରେ ୧୩୧, ଅଷ୍ଟ୍ରିଆରେ ୧୦୮, ପର୍ତ୍ତୁଗାଲରେ ୧୪୦, ବ୍ରାଜିଲ ୧୩୯, ସ୍ୱିଡେନ ୧୧୦, ଜାପାନ ୫୪, ପାକିସ୍ତାନରେ ୨୦ ଓ ଭାରତରେ ୩୦ରୁ ଅଧିକ ଲୋକଙ୍କର ପ୍ରାଣ କରୋନା ନେଇଛି।



