ଭୁବନେଶ୍ୱର ୨୮/୧୨ (ସନ୍ଧାନ ନିୟୁଜ/ମାନସ ରାଉତ) ଏସପ୍ଲାନେଡ ମଲର ଖୁଲମଖୁଲା ଗୁଣ୍ଡାରାଜ । ଖବର ପ୍ରସାରଣ କରୁଥିବା ମହିଳା ସାମ୍ବାଦିକାଙ୍କୁ ଗୋଇଠା ମାରିବା ସହ ଟିମକୁ ଧମକାଇଛନ୍ତି ଏସପ୍ଲାନେଡ୍ କର୍ମଚାରୀ । ବେଆଇନ ପାର୍କିଂ ଫି ଆଦାୟ କରୁଥିବା ଏସପ୍ଲାନେଡ୍ ମଲରୁ ଅର୍ଗସ ଟିଭିରେ ସିଧା ପ୍ରସାରଣ ହେଉଥିବା ବେଳେ ରକ୍ତ ମୁଖା ହୋଇ ଉଠିଥିଲେ ଏସପ୍ଲାନେଡ କର୍ମଚାରୀ । ଖବର ସଂଗ୍ରହ କରୁଥିବା ଅର୍ଗସର ନିର୍ଭୀକ ମହିଳା ସାମ୍ବାଦିକ ସ୍ୱାତୀ ଜେନାଙ୍କ ସହ କ୍ୟାମେରା ପର୍ସନ ପ୍ରମୋଦ ମହାପାତ୍ରଙ୍କୁ ଆକ୍ରମଣ କରିଥିଲେ ମଲର ବାଉନସର ବା ଗୁଣ୍ଡାମାନେ । ମଲ କର୍ମଚାରୀଙ୍କ ପ୍ରଶ୍ନ ପାର୍କିଂ ଫି ଆଦାୟ ହେଲେ ତମେ କହିବାକୁ କିଏ ? କାହା ପରମିସନରେ ଏହି ନ୍ୟୁଜ କଭର ହେଉଛି । ଏହା କହିବା ସହ ଆମ ପ୍ରତିନିଧିଙ୍କୁ ଗୋଇଠା ମାରିଥିଲେ ମଲ୍ର ସୁରକ୍ଷାକର୍ମୀ । ଜୋର ଜବରଦସ୍ତ ଟାଣି ନେଇ ସିକ୍ୟୁରିଟି ରୁମରେ କବାଟ ବନ୍ଦ କରି ଅଟକ ରଖିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଛାଡିଥିଲେ ।
ରାଜଧାନୀର ସବୁଠୁ ବଡ ମଲରେ ଶନିବାର ସଂଧ୍ୟାରେ ଦେଖିବାକୁ ମିଳିଥିଲା ମିଡିଆ ଓ ମଲ କର୍ମଚାରୀଙ୍କ ଛକାପନ୍ଝା । କେତେବେଳେ ଖବର ପ୍ରସାରଣ ପାଇଁ ମଲ କର୍ମଚାରୀ ଅର୍ଗସ ଷ୍ଟାଫଙ୍କୁ ଠେଲାପେଲା କରୁଥିଲେତ କେତେବେଳେ ବୁମ ଦେଖି ଏସପ୍ଲାନେଡ କର୍ମଚାରୀ ଦୌଡି ପଳାଇଥିଲେ । ଏହି ଛକାପନ୍ଝାକୁ ଦେଖି ସ୍ଥାନୀୟ ଲୋକବି ତାଜୁବ । ତେବେ ଏତେବଡ ଘଟଣା ପରେବି ନିଶ୍ଚିନ୍ତ ହୋଇ ମଲ ମାଲିକ କେମିତି ବେଆଇନ ଫି ଆଦାୟ କରୁଛନ୍ତି । ଦୁଃଖର ବିସୟ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ଫି ଆଦାୟକୁ ରୋକିବା ପରିବର୍ତ୍ତେ ଆମ ପ୍ରତିନିଧିଙ୍କୁ ଘଟଣା ସମାଧାନ ପାଇଁ ନିବେଦନ କରିଥିଲା । ଯାହାକି ଏହି ପୁରା ଘଟଣାବଳି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏଠି ପ୍ରଶ୍ନ ଉଠୁଛି ପାର୍କିଂ ଆଦାୟ ଉପରେ ସରକାର ରୋକ ଲଗାଇଥିବା ବେଳେ ରାଜଧାନୀର ଛାତି ଉପରେ ଠିଆ ହୋଇଥିବା ଏସପ୍ଲାନେଡ ଫି ଆଦାୟ କରୁଛି କେମିତି । କଣ ଏହି ବେଆଇନ ଫି ଆଦାୟ ବିସୟରେ ବିଡିଏ କି ବିଏମସି ପାଖରେ ଖବର ନାହିଁ । ନା ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଛି । ଆଜି ସଂଧ୍ୟାରେ ହୋଇଥିବା ଘଟଣାକୁ ଦେଖି ସ୍ପଷ୍ଟ ବାରି ହେଉଛି ଯେ ଏସପ୍ଲାନେଡକୁ ସାହାସ ଦେବା ପଛରେ ନିଶ୍ଚିତ ଭାବେ କିଛି ତୃତୀୟ ମହଲାର ହାତ ରହିଛି । ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।
କଂଗ୍ରେସ ଏହି ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଥିବା ବେଳେ ବିରୋଧିଦଳ ନେତା ଆକ୍ରମଣକୁ ନିନ୍ଦା କଲେ ବିରୋଧି ଦଳ ନେତା ପ୍ରଦୀପ ନାୟକ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ବାରମ୍ବାର ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଥିଲେ ମଧ୍ୟ ସରକାର ଏହାକୁ ନଜର ଅନ୍ଦାଜ କରୁଛନ୍ତି । ସରକାର ଓ ମଲ ମାଲିକଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ରହିଥିବାରୁ ଏ ଘଟଣାରେ ଚୁପ ବସିଛନ୍ତି ବୋଲି ସେ କହିଛନ୍ତି ।
ଆଇନଜୀବୀମାନେ ମଧ୍ୟ ଏହାର ତୀବ୍ର ବିରୋଧ କରିଛନ୍ତି । ଅନ୍ୟାୟ ଅନୀତିକୁ ଗଣମାଧ୍ୟମ ଲୋକଲୋଚନକୁ ଆଣୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି । ଏନେଇ ସହିଦ ନଗର ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ ବର୍ତ୍ତମାନସୁଧା ପୋଲିସ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।



