ଧର୍ମଶାଳା, ୧୯/୧୧ (ସନ୍ଧାନ ନିଉଜ/ ପ୍ରଶାନ୍ତ ସାମଲ) : ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ । ସାତଟି ଶ୍ରେଣୀର ପିଲାଙ୍କୁ ବସାଇ ପଢ଼ାଇବା ପାଇଁ ମାତ୍ର ଦୁଇ ବଖରା ଘର । ଶତାଧିକ ପିଲାଙ୍କ ପାଇଁ ଘର ଯୋଗାଇବାକୁ କୁଣ୍ଠାବୋଧ କରିନାହିଁ ଜିଲା ପ୍ରଶାସନ । ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ୧୪ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଅନୁଦାନ ଗୃହ ନିର୍ମାଣ ପାଇଁ ମିଳିଛି । କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବାକୁ ଲାଗିଲାଣି ଚାରି ବର୍ଷରୁ ଅଧିକ ସମୟ । ଏହା କୌଣସି ମାଓ ଉପଦୃତ ଅଂଚଳ ନୁହେଁ କି ନକ୍ସଲ ଉପଦୃତ ଅଂଚଳ ବି ନୁହେଁ । କାମରେ ବାଧା ଦେବାକୁ ଗାଁ ଲୋକେ କେବେବି ଆସି ନାହାଁନ୍ତି । ସ୍କୁଲ ଆଖପାଖରେ ସର୍ବାଧିକ ଆଦିବାସୀ ଦଳିତ ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି । ଘର କାମ ଶିଘ୍ର ସାରିବାକୁ ସମସ୍ତଙ୍କର ସହେଯାଗ ରହିଛି । କାମ କିନ୍ତୁ ଅଧପନ୍ତରିଆ । ଏ ଭଳି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ନଗ୍ନ ରୁପ ଯାଜପୁର ଜିଲା ଧର୍ମଶାଳା ଶିକ୍ଷା ମଣ୍ଡଳ ଅଧିନସ୍ଥ ଲୁଣିବେର ଗୟା ସାହି ପ୍ରକଳ୍ପ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଲୁଣିବେର ଗୟାସାହି ବିଦ୍ୟାଳୟରେ ଗୃହ ନିର୍ମାଣ ପାଇଁ ସର୍ବଶିକ୍ଷା ମାଧ୍ୟମରେ୨୦୧୪/୧୫ ମସିହାରୁ ୧୪,୭୦,୦୦୦ହଜାର ଟଙ୍କାର ଅର୍ଥ ଅନୁଦାନ ମିଳି କାମ ଆରମ୍ଭ ହୋଇଛି । ତଳ ମହାଲାରେ ତନି ବଖରା ଉପରେ ଗୋଟିଏ ବଖରା ଘର କରିବାକୁ ବ୍ୟୟ ବରାଦ ହୋଇଥିଲା । କାମ ଆରମ୍ଭ ହୋଇ ଛାତପଡି ବାହାର ପଲସ୍ତରା ହୋଇ ଅଧପନ୍ତରିଆ ହୋଇ ପଡିରହିଛି । ନିର୍ମାଣ ବାବଦକୁ ସର୍ବଶିକ୍ଷା ଅନୁଦାନରୁ ମିଳିଥିବା ଅର୍ଥକୁ ଉଠାଣ କରାଯାଇ କାମ ଆରମ୍ଭ ହୋଇଛି । କାମ ଅଧାପାନ୍ତିଆ ହୋଇ ୫ ବର୍ଷ ଭିତରେ ସମ୍ପୁର୍ଣ୍ଣ ନହେବାର କାରଣ ସମ୍ବନ୍ଧରେ ବୁଝିବାରୁ ସିଆରସିସିଙ୍କୁ ପଚାରିବାରୁ ସେ ଏଥିପାଇଁ ଯନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ଉଠାଯାଇଥିବା ଟଙ୍କାରୁ ଯନ୍ତ୍ରୀ ନିଜ ବ୍ୟକ୍ତିଗତ କାମରେ ତିନି ଲକ୍ଷ ପଚାସ ହଜାର ଟଙ୍କା ଉଠାଇନେଇ ଥିବାରୁ କାମ ସାରିବାକୁ ଟଙ୍କା ଅଭାବ ହେବାରୁ ଘରକାମ ଅଧାରୁ ବନ୍ଦ ରହିଛି ବୋଲି କହନ୍ତି । ବିଭାଗୀୟ ଯନ୍ତ୍ରୀ ଓ ସିଆରସିସି ମିଳିତ ଭାବରେ ସଲାସୁତରାରେ ଲକ୍ଷ ଲକ୍ଷ ଟଙ୍କା ନିଜ ହାତରେ ରଖି ନିଜ କମରେ ଲଗାଇ ଥିବାରୁ କାମ ଅଧାପନ୍ତରିଆ ହୋଇଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି । ତତକାଳିନ ସିଆରସିସି ପ୍ରଫୁଲ କୁମାର ବେହେରା ଏହି କାମକୁ ନିଜେ କରୁଥିଲେ । ଏହି କାର୍ଯ୍ୟ ବିଭାଗ ନିଜ ହାତରେ ରଖି ଯନ୍ତ୍ରୀଙ୍କ ଦ୍ୱାରା କରୁଥିବା ଅନୁମାନ କରାଯାଉଛି । ବିଦ୍ୟାଳୟର କମିଟିକୁ ଅନ୍ଧାରରେ ରଖି ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ବିବାଦ କରାଇ ଏହି କାମରେ ବ୍ୟାପକ ଅର୍ଥ ହେର ଫେର କରାଯାଇଛି ବୋଲି ଗା ଲୋକେ କହନ୍ତି । ଫଳରେ ବିଲ୍ଡିଙ୍ଗ କାମ ଶେଷ ନହେଉଣୁ ହାତରୁ ପାଣ୍ଠି ସରଯାଇଛି । ଗତ ବର୍ଷ ଏହି ବିଦ୍ୟାଳୟ ଗୃହ ନିର୍ମାଣ ସମୟରେ ରାଜମିସ୍ଥ୍ରୀକୁ ତାର ପ୍ରାପ୍ୟ ଅର୍ଥ ମିଳିନଥିବାରୁ ସେ ଦୀର୍ଘ ଦିନ କାମ ବନ୍ଦ କରି ରଖିଥିଲା । ସିଆରସିସି ଙ୍କ କହିବା କଥା ହେଲା ମୁ କାମକଲା ବେଳେ ଯନ୍ତ୍ରୀ ମୋତେ କାମ ବାବାଦକୁ ଅଢେଇ ଲକ୍ଷ ଟଙ୍କା ଦେଇନାହାଁନ୍ତି । ମୁ କାମ କରି ଟଙ୍କା ପାଉନାହିଁ । ଏବେ ଆଉ କାହାକୁ ପଠାଇ କାମ କରିବାକୁ ଚେଷ୍ଠା କରୁଛନ୍ତି । ତେବେ ମୁ ଅଢେଇ ଲକ୍ଷ ଟଙ୍କା ପାଇବି କେମିତି? ଏ ଠାରେ ପ୍ରଶ୍ନ ଉଠୁଛି ସିଆରସିସି ମାନେ ଠିକାଦାରି କରିବାକୁ ସରକାର କେବେ ଅନୁମତି ଦେଲେ? କାମ କରିବାକୁ ପ୍ରଶାସନ ନିକଟରେ କିଏ ଉତ୍ତରଦାୟୀ? ଏ ସମ୍ବନ୍ଧରେ ଯାହାକୁ ଯେତେ ପଚାରିଲେ କେହି ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହଁନ୍ତି । ଧର୍ମଶାଳା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଏହା ସିଭିଲ କାମ ହୋଇଥିବାରୁ ଡିପିସିଙ୍କୁ ପଚାର ବୋଲି କହି କଥାକୁ ଏଡାଇ ଯାଇଥିଲେ । ତେବେ ଡିପିସିଙ୍କ ନଂ ମାଗିବାରୁ ତାହା ଦେଇ ନଥିଲେ । ଯନ୍ତ୍ରୀ ରାଜେଶ ରାଉତଙ୍କୁ କାମ ଅସମ୍ପୁର୍ଣ୍ଣର କାରଣ ପଚାରିବାରୁ ଦେଖା ହେଲେ କହିବି ବୋଲି କହିଲେ । ବିଭାଗର ଖାମଖିଆଲି ମନୋଭାବରୁ ଆଜି ଅନୁଦାନ ସତ୍ତ୍ୱେ ଗୃହ ିର୍ମାଣ ନସରିବାରୁ ୭ଟି ଶ୍ରେଣିର ପିଲା ଦୁଇଟି କୋଠରୀରେ ପାଠ ପଢିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏତେ ବଡ ଦୁର୍ନିତିକୁ କିଭଳି ବିଭାଗ ନଜର ଅନ୍ଦାଜ କରିଛି ତାହା ତଦନ୍ତ ସାପେକ୍ଷ । ଧର୍ମଶାଳାରେ ସବୁ ଜାଲଆତିକୁ ରଫାଦଫା କରାଗଲା ଭଳି ଏ କ୍ଷେତ୍ରରେ ମଧ୍ୟ ସେଭଳି ହେବ ବୋଲି ସାଧାରଣ ଲୋକଙ୍କ ମତ । ଏହାର ତଦନ୍ତ କରାଗଲେ ଉପରିସ୍ତ ଅଧିକାରୀଙ୍କ ଏଥିରେ ସମ୍ପୁୃକ୍ତି ଥିବା ନିଶ୍ଚୟ ପଦାକୁ ଆସିବ । ଘରୁ ବାହାର କରି ଛୋଟପିଲା ମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ଗଣ ଶିକ୍ଷା ବିଭାଗ ଶର୍ବଶିକ୍ଷା ଯୋଜନାରେ ଅନେକ ପଦକ୍ଷେପ ଗ୍ରହଣ କରୁଛି । ହେଲେ ପିଲାମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଇ ନାନା ଅସ୍ୱାସ୍ଥ୍ୟକର ପରିବେଶକୁ ସମ୍ନା କରୁଛନ୍ତି । ଏଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଛାଡିଦେଲେ ଅନ୍ୟ ସବୁ ବ୍ୟବସ୍ଥା ଶିକ୍ଷାର ପରିପନ୍ଥି । ବିଦ୍ୟାଳୟରେ ଶୈଖିକ ପରିବେଶ ନାହିଁ । ଏଠାରେ ଶିକ୍ଷଣ ପଦ୍ଧତି ପାଇଁ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ କିମ୍ବା ଖେଳ ପଡିଆର ସୁବିଧା ନାହିଁ । ଶୌଚାଳୟ ବାରଣ୍ଡାରେ ମଦ୍ୟପ ମାନଙ୍କର ଆଡା । ଶୌଚାଳୟର ଫଟୋ ନେବା ସମୟରେ ବାରଣ୍ଡାରେ ଭଙ୍ଗା ମଦ ବୋତଲର କାଚ ଓ ଏକ ବ୍ୟବହୃତ ଗାମୁଛା ସେଠାରେ ପଡିଥିବାର ଦେଖାଯାଇଛି । ଖେଳ ପଡିଆର ଅଭାବରୁ ପିଲା ମାନେ ଶିକ୍ଷକଙ୍କୁ ଲୁଚି ଛପି ରାସ୍ତାଉପରେ ଖେଳୁଥିବା ଦେଖିବାକୁ ମିଳୁଛି । ଦୀର୍ଘଦିନର ଅଭିଯୋଗ ପରେ ବି ପ୍ରଶାସନ କିମ୍ବା ଶିକ୍ଷାଭିଭାଗ ବିଦ୍ୟାଳୟରେ ପାଚେର, କିମ୍ବା ଗେଟ ନାହିଁ । ଫଳରେ ବୁଲା ଗୋଋଙ୍କ ଚରାଭୁଇଁ ପାଲଟିଛି ବିଦ୍ୟାଳୟ ପରିସର । ଏଠି ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇଥିବା ଖବର ନିକଟ ଭବିଷ୍ୟତରେ ଖବର କାଗଜର ପୃଷ୍ଠା ମଣ୍ଡନ କରିବ ।କାରଣ ପିଲାଙ୍କ ପାଇଁ ରୋଷେଇ ବିଦ୍ୟାଳୟ ପରିଷର ବାହାରେ ଥିବା ଏକ ପରିତ୍ୟକ୍ତ କୂପର ପାଣିରେ କରାଯାଉଛି । ବିଦ୍ୟାଳୟର ଗଭୀର ନଳକୂପ ଅଚଳ ହୋଇ ବହୁଦିନ ହେବ ପଡିରହିଛି । ଏହି ଅଂଚଳ ଭାଲୁ ଉପଦୃତ ଅଂଚଳ ଭାବରେ ଜଣାସୁଣା । ନିକଟସ୍ଥ ଜଙ୍ଗଲରୁ ଭାଲୁ କାଜୁ ଖାଇବାକୁ ଆସି ଅନେକ ସମୟରେ ଜଙ୍ଗଲକୁ ଫେରି ନପାରି ସ୍କୁଲ ହତାରେ ଓ ଏଠି ସେଠି ରହିଯାଉଛନ୍ତି । ତୁରନ୍ତ ପାଚେରି ନିର୍ମାଣ କରିବାକୁ ଗ୍ରାମବାସି ମାନେ ଦାବି କରିଛନ୍ତି । ବିଭାଗୀୟ ଅଧିକାରୀ ମାନେ କୌଣସି ସୁଚନା ପ୍ରଦାନ କରୁନଥିବାରୁ ଗୃହ ନିର୍ମାଣ ବନ୍ଦର ସବିଶେଷ କାରଣ ବୁଝାପଡୁନାହିଁ । ଲିଖିତ ଭାବେ ଏ ସମ୍ବନ୍ଧରେ ଉଚ୍ଚ କତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଗ୍ରାମବାସୀ ମାନେ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଏମିତି ଚାଲିଛି ସର୍ବଶିକ୍ଷା ପାଞ୍ଚବର୍ଷ ଧରି ସରୁନି ଗୃହ ନିର୍ମାଣ: ଦୁଇଟି କୋଠରୀରେ ସାତଟି ଶ୍ରେଣୀର ପିଲା
|
November 19, 2019 |



