ସୋର, ୧୧.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଝିଅ ବାହାଘର କରିବେ ବୋଲି ଚିନ୍ତାରେ ବାପା ଥିଲେ। ଧାର କରଜ କରି ବହୁ କଷ୍ଟରେ ଝିଅ ବାହାଘର କଲେ। କରୋନା ଲକଡାଉନ୍ ଯୋଗୁଁ କାମଧନ୍ଦା ମିଳିଲା ନାହିଁ। ଏପଟେ ମୁଣ୍ଡ ଉପରେ ଋଣଭାର ସେପଟେ କାମଧନ୍ଦା ଗୋଟେ ବି ମିଳିଲା ନାହିଁ। ଶେଷରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରି ଦେଲେ ବାପା। ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମାଣତ୍ରୀ ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି। ସୂଚନଯୋଗ୍ୟ ଯେ ମାଣତ୍ରୀ ପଞ୍ଚାୟତ ମହନ୍ତ ସାହିର ରବିନ୍ଦ୍ର ପରିଡା ଗତ ମାର୍ଚ୍ଚ ମାସରେ ଝିଅ ବାହାଘର କରିଥିଲେ। ଝିଅ ବାହାଘର ଲାଗି ଏତେ ଗୁଡାଏ ଟଙ୍କା ଆଣିବେ ବା କେଉଁଠୁ? ସେଥିପାଇଁ ଘରୋଇ ଫାଇନାନ୍ସ କମ୍ପାନୀ ଏବଂ ହାତ ଉଦ୍ଧାରି ଧାର କରଜ କରି ଟଙ୍କା ଆଣିଥିଲେ। ଝିଅ ବାହାଘର ପରେ ଘରୋଇ ଫାଇନାନ୍ସର କର୍ମଚାରୀ ରବିନ୍ଦ୍ରଙ୍କ ଉପରେ ଜୁଲମ ଆରମ୍ଭ କରି ଦେଇଥିଲେ। ସେପଟେ ଯାହାଙ୍କଠୁ ଧାର କରି ଟଙ୍କା ଆଣିଥିଲେ, ସେମାନେ ରବିନ୍ଦ୍ରଙ୍କୁ ଟଙ୍କା ମାଗିବା ଆରମ୍ଭ କରିଥିଲେ। ଶେଷରେ କିଛି ଉପାୟ ନ ପାଇ ରବିନ୍ଦ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରି ଦେଇଥିଲେ। ରବିନ୍ଦ୍ରଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।



