ଉପା ସରକାରଙ୍କ ୧୧୧ ବିମାନ କ୍ରୟ ନିଷ୍ପତ୍ତି, ସିବିଆଇ ପରେ ପଶିଲା ଇଡି

Spread the love

ନୂଆଦିଲ୍ଲୀ ୨୧/୧୦ (ସନ୍ଧାନ ନିୟୁଜ) : ଉପା ସରକାରଙ୍କ ଅମଳରେ ଏୟାର ଇଣ୍ଡିଆ ଓ ଇଣ୍ଡିଆନ ଏୟାରଲାଇନ୍ସର ମିଶ୍ରଣ ସମେତ ବୋଇଂ ଓ ଏୟାରବସ୍‌ଠାରୁ ୧୧୧ଟି ବିମାନ କ୍ରୟ ନେଇ ହୋଇଥିବା ନିଷ୍ପତ୍ତିର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆରମ୍ଭ କରିଛି। ଏ କ୍ଷେତ୍ରରେ ହୋଇଥିବା ମନି ଲଣ୍ଡରିଂର ତଦନ୍ତ ଇଡି କରୁଛି। ଦେଶର ସରକାରୀ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆ ପାଇଁ ବିଦେଶୀ କମ୍ପାନି ବୋଇଂ ଓ ଏୟାରବସଠାରୁ ୭୦ ହଜାର କୋଟି ଟଙ୍କା ମୂଲ୍ୟରେ ୧୧୧ଟି ବିମାନ ‌କ୍ରୟ ପାଇଁ ଉପା-୧ ସରକାର ନିଷ୍ପତ୍ତି ନେଇଥିଲେ। ଏହି ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଗତବର୍ଷ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ସିବିଆଇ ତଦନ୍ତ ଆରମ୍ଭ କରିବାର ବର୍ଷକ ପରେ ଇଡି ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ସରକାରୀ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆ ଏହି ବିମାନ କ୍ରୟ ଚୁକ୍ତି ସମେତ ଲାଭଦାୟକ ରୁଟ୍‌ରୁ ବିମାନ ଚଳାଚଳକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବାପରେ ବଡ଼ ଧରଣର ଋଣ ଯନ୍ତାରେ ପଡ଼ି ଯାଇଥିଲା। ଲାଭଦାୟକ ରୁଟ୍‌ରୁ ବିମାନ ଚଳାଚଳକୁ ପ୍ରତ୍ୟାହାର କରିବା ଦ୍ବାରା ଅନେକ ଘରୋଇ ଏବଂ ବିଦେଶୀ ଏୟାରଲାଇନ୍ସ ଏହାର ଲାଭ ଉଠାଇଥିଲେ। ଆବଶ୍ୟକ ନଥିବା ବେଳେ ଏତେସଂଖ୍ୟକ ବିମାନ କ୍ରୟ ପାଇଁ ସରକାର ନେଇଥିବା ନିଷ୍ପତ୍ତି ଉପରେ ସିଏଜି ମଧ୍ୟ ପ୍ରଶ୍ନ ଉଠାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଉପା ସରକାର କ୍ଷମତାକୁ ଆସିବା ପୂର୍ବରୁ ଏୟାର ଇଣ୍ଡିଆ ପକ୍ଷରୁ ୪୩ଟି ବିମାନ କ୍ରୟ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଉପା ସରକାର ଏଥିରେ ସଂଶୋଧନ ଆଣି ବିମାନ କ୍ରୟ ସଂଖ୍ୟା ୧୧୧କୁ ବୃଦ୍ଧି କରିଥିଲେ। ଆଗାମୀ ଦିନରେ ବଜାର ପରିସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି ଆକଳନ କରି ସରକାର ଏଭଳି ନିଷ୍ପତ୍ତି ନେଇଥିଲେ। ମନି ଲଣ୍ଡରିଂ ନିରୋଧ ଆଇନ ଅନୁଯାୟୀ ଏହି ମାମଲାର ତଦନ୍ତ କରିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକାଧିକ ମାମଲା ରୁଜୁ କରିଛି। ଏୟାର ଇଣ୍ଡିଆ ଓ ଇଣ୍ଡିଆନ ଏୟାରଲାଇନ୍ସର ମିଶ୍ରଣ, ବିମାନ କ୍ରୟ, ଲାଭଦାୟକ ରୁଟ୍‌କୁ ଅନ୍ୟ କମ୍ପାନିକୁ ହସ୍ତାନ୍ତର କରିବା ଏବଂ ୨୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସଫ୍ଟଓୟାର କ୍ରୟ ଆଦି ଅନ୍ତର୍ଭୁକ୍ତ ରହିଛି। ଇଡି ଏସଂକ୍ରାନ୍ତ ସମସ୍ତ ଦସ୍ତାବିଜ ହାସଲ କରିସାରିଛି। ଏକ୍ଷେତ୍ରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, ଏୟାର ଇଣ୍ଡିଆ ଓ ଇଣ୍ଡିଆନ ଏୟାରଲାଇନ୍ସର ତତ୍କାଳୀନ ଅଧିକାରୀମାନଙ୍କ ଭୂମିକାର ତଦନ୍ତ ଆରମ୍ଭ କରିଦେଇଛି। ପ୍ରଫୁଲ୍ଲ ପଟେଲ ବେସାମରିକ ବିମାନ ଚଳାଚଳ ବିଭାଗର ମନ୍ତ୍ରୀ ଥିବା ସମୟରେ ବିମାନ କ୍ରୟ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ କୌଣସି ତ୍ରୁଟି ହୋଇ ନଥିଲା ଏବଂ ଏହା ମିଳିତ ନିଷ୍ପତ୍ତି ଥିଲା ବୋଲି ପଟେଲ କହିଛନ୍ତି।

Related Posts

About The Author

Add Comment