ଉପରମୁଣ୍ଡ ପାଣିରୁ ଜଳକାରେ ବନ୍ୟା

Spread the love

ବାଲେଶ୍ୱର, ୨୧/୦୮/୨୦ (ସନ୍ଧାନ ନିଉଜ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗତ କିଛିଦିନ ଧରି ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାରେ ହୋଇଥିବା ଲଗାଣ ବର୍ଷାରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବାଲେଶ୍ୱରରେ କାଁ ଭାଁ ବର୍ଷାରେ ଜଳକା ନଦୀରେ ବନ୍ୟା ସ୍ଥିତି ଦେଖାଯାଇଛି। ଗତ ୨୪ ଘଣ୍ଟାରେ ବାଲେଶ୍ୱର ଜିଲ୍ଲାରେ ମାତ୍ର ୩୮ ମିଲିମିଟର ବର୍ଷା ହୋଇଥିବା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସତ୍ତ୍ୱେ ଜଳକା ନଦୀରେ ଜଳ ପତ୍ତନ ବୃଦ୍ଧି ସହ ସ୍ଥାନୀୟ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳକା ନଦୀର ମଥାନୀ ରିଡିଂ ପଏଣ୍ଟ ଅନୁସାରେ ୫.୫୦ ମିଟର ବିପଦ ସୂଚନାଙ୍କ ଥିବା ବେଳେ ସଂଧ୍ୟା ସୁଦ୍ଧା ୬-୨୧ମିଟର ଉପରେ ଜଳ ପ୍ରବାହିତ ହେଉଛି। ନଦୀର ଜଳ ପତ୍ତନ ବୃଦ୍ଧି ଯୋଗୁଁ ପାଶ୍ୱର୍ସ୍ଥ ଅଞ୍ଚଳ ପାଣିଘେରରେ ଥିବା ବେଳେ ସଦର ଓ ବସ୍ତା ବ୍ଲକର ହଜାର ହଜାର ଏକର ଚାଷଜମି ପାଣିରେ ବୁଡ଼ି ରହିଛି। ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପାଣି ଛାଡ଼ିବା ପରେ ତୁରନ୍ତ କ୍ଷୟକ୍ଷତି ଆକଳନ ସହ କ୍ଷତିପୂରଣ ପ୍ରଦାନ ପାଇଁ ଚାଷୀମାନେ ଦାବି କରିଛନ୍ତି। ମୟୁରଭଂଜ ଜିଲ୍ଲାରେ ହୋଇଥିବା ବର୍ଷା ଯୋଗୁଁ ଉପରମୁଣ୍ଡରୁ ପାଣି ଆସି ବାଲେଶ୍ୱରରେ ଜଳକା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଆସନ୍ତା ୨୪ ତାରିଖରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଥିବା ବେଳେ ଏହାର ପ୍ରଭାବରେ ଭୀଷଣ ପର୍ଷା ହେବା ନେଇ ଆଶଙ୍କା ଦେଖାଦେଇଛି। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଥିବା ସେ କହିଛନ୍ତି।

Related Posts

About The Author

Add Comment