ନୂଆଦିଲ୍ଲୀ୧/୧୧ (ସନ୍ଧାନ ନିୟୁଜ): ଆସନ୍ତା ୪ ତାରିଖରୁ ଇରାନଠାରୁ ତେଲ ଆମଦାନୀ ବନ୍ଦ କରିବା ପାଇଁ ସୁପରପାଓ୍ଵାର ଆମେରିକା ବିଶ୍ୱର ସବୁ ଦେଶଙ୍କ ଉପରେ ହୁକୁମ ଜାରି କରିଛି । ଏହି ସମୟ ପରେ ଯେଉଁ ଦେଶମାନେ ଇରାନଠାରୁ ତେଲ କିଣିବେ ସେମାନଙ୍କ ବିରୋଧରେ କଠୋର ଆର୍ଥିକ କଟକଣା ଲଗାଇବାକୁ ଆମେରିକା ଧମକ ଦେଇଛି । କିନ୍ତୁ ଭାରତ ପାଇଁ ଏକ ଖୁସି ଖବର । ଭାରତ ପାଇଁ ଏହି କଟକଣାକୁ ଟିକିଏ କୋହଳ କରିବାକୁ ଆମେରିକା ରାଜି ହୋଇଛି । ମିଳିଥିବା ସୂଚନା ଅନୁସାରେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଭାରତର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ କୁ ଇରାନରୁ ୧.୨୫ ନିୟୁତ ଟନ ଅଶୋଧିତ ତେଲ ଆମଦାନୀ କରିବାକୁ ଆମେରିକା ଅନୁମତି ଦେଇପାରେ । ଏ ନେଇ ଦୁଇ ଦେଶ ସହମତ ହୋଇଛନ୍ତି ଓ ଆସନ୍ତା କିଛି ଦିନ ମଧ୍ୟରେ ଏ ନେଇ ଘୋଷଣା କରାଯିବ । ଏହା ହେଲେ ଭାରତ ଶସ୍ତାରେ ତେଲ ପାଇପାରିବ ।
ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରିଥାଏ । ଇରାନ ଭାରତକୁ ରିହାତି ଦରରେ ତେଲ ଯୋଗାଇଥାଏ । ତିନିବର୍ଷ ପୂର୍ବେ ଇରାନ ଉପରେ ଆମେରିକା ଲଗାଇଥିବା କଟକଣା ଉଠାଇବା ପର୍ଯ୍ୟନ୍ତ ଭାରତ ଟଙ୍କା ଓ ୟୁରୋ ବିନିମୟରେ ଇରାନରୁ ତେଲ କିଣୁଥିଲା । କିନ୍ତୁ କଟକଣା ଲାଗିବା ପରେ ଭାରତ କ୍ଷତି ସହିବାର ଆଶଙ୍କା କରୁଛି । ଇଣ୍ଡିଆନ ଅଏଲକୁ ତେଲ ଆମଦାନୀ ପାଇଁ ଅନୁମତି ମିଳିଲେ ଏକ ସୀମିତ ସମୟ ପାଇଁ ଭାରତ ଆଶ୍ୱସ୍ତ ହେବ ।
ଆମେରିକା ରାଜି ! ଇରାନରୁ ତେଲ କିଣିବାକୁ ଭାରତକୁ ଅନୁମତି ଦେବ
|
November 1, 2018 |



