ଭୁବନେଶ୍ୱର, ୧୫/୧୨(ସନ୍ଧାନ ନିୟୁଜ) : ସଂପ୍ରତି ରାଜ୍ୟ ସରକାର ପଂଚାୟତି ରାଜ ବ୍ୟବସ୍ଥାକୁ ଦୁର୍ବଳ ଏବଂ ଶକ୍ତିହୀନ କରିବା ସହିତ ପଂଚାୟତ ପ୍ରତିନିଧିମାନଙ୍କର ଭୂମିକାକୁ ଗୌଣ କରି ଦେଖିବା ପଂଚାୟତ ବ୍ୟବସ୍ଥାର ପରିପନ୍ଥୀ। ‘ଆମ ଗାଁ ଆମ ବିକାଶ’ ଏବଂ ‘ପିଠା’ କାର୍ଯ୍ୟକ୍ରମ ଏହାର ଜ୍ଜ୍ୱଳନ୍ତ ଉଦାହରଣ। ଏଥିରେ ଗ୍ରାମସଭା, ପଂଚାୟତ ଅନୁଷ୍ଠାନ, ପଂଚାୟତ ପ୍ରତିନିଧିମାନଙ୍କୁ ଅବମାନନା କରାଯିବାର ସ୍ପଷ୍ଟ ପ୍ରମାଣ ଦେଖିବାକୁ ମିଳେ। ପଂଚାୟତ ପ୍ରତିନିଧିମାନଙ୍କୁ ଏଥିରେ ସଂଶ୍ଳିଷ୍ଟ ନକରିବା ଏବଂ ସେମାନଙ୍କୁ ବିଶ୍ୱାସକୁ ନେଇ ଦାୟିତ୍ୱ ନଦେବା ପଂଚାୟତ ବ୍ୟବସ୍ଥା ପ୍ରତି କେବଳ ଅସମ୍ମାନ ନୁହେଁ, ଏହାର ଅର୍ନ୍ତନିହୀତ ଉଦ୍ଦେଶ୍ୟ ପ୍ରତି କୁଠାରଘାତ।
ଗ୍ରାମାଚଂଳ ବିକାଶ ପ୍ରକ୍ରିୟାରେ ପଂଚାୟତ ବ୍ୟବସ୍ଥା ଏବଂ ପଂଚାୟତ ପ୍ରତିନିଧିମାନେ ହେଉଛନ୍ତି ମୂଳ ଉପାଦାନ। ଏଥିପତି ଅବହେଳା ଏବଂ ଅଣଦେଖାର ଅର୍ଥ ହେଉଛି ବିକାଶ ପ୍ରକ୍ରିୟା ପ୍ରତି ତାଚ୍ଛଲ୍ୟ। ସ୍ୱର୍ଗତ ରାଜୀବ ଗାନ୍ଧୀ ୭୩ତମ ସମ୍ବିଧାନ ସଂଶୋଧନର ପ୍ରୟାସ କରିଥିଲେ ଯାହାକି ପଂଚାୟତ ମାଧ୍ୟମରେ କ୍ଷମତା ବିକେନ୍ଦ୍ରୀକରଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା। ମାତ୍ର ଏହି ପ୍ରୟାସକୁ ବର୍ତମାନର ଓଡ଼ିଶା ସରକାର ଧୂଳିତାସ କରିବାକୁ ଯାଉଛନ୍ତି। ଏହି ହୀନ ଚକ୍ରାନ୍ତ କବଳରୁ ପଂଚାୟତିରାଜ ବ୍ୟବସ୍ଥାକୁ ସୁରକ୍ଷିତ କରିରଖିବା ପାଇଁ ଗତ ଡିସେମ୍ବର ୬ ତାରିଖରେ ରାଜ୍ୟ ସ୍ତରୀୟ ପଂଚାୟତ ପ୍ରତିନିଧି ସମ୍ମିଳନୀରେ ଆସନ୍ତା ଡିସେମ୍ବର ୨୬ ତାରିଖ ମଙ୍ଗଳବାରକୁ କଳାଦିବସ ଭାବରେ ପାଳନ କରିବା ପାଇଁ ଆହ୍ୱାନ ଦିଆଯାଇଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପଂଚାୟତ ସଭ୍ୟ / ସଭ୍ୟା ମହାସଂଘ ସମର୍ଥନ ଜଣାଇଛି।
ଏହି ଦିନ ପଂଚାୟତ ଅଫିସ ମାନଙ୍କରେ କଳାପତାକା ଉଡାଇବା, ପଂଚାୟତ ପ୍ରତିନିଧିମାନେ କଳା ବ୍ୟାଚ ପିନ୍ଧିବା, ପଂଚାୟତ ସମିତି ଅଫିସ୍ ସମ୍ମୁଖରେ ବିକ୍ଷୋଭ ଆୟୋଜନ ଇତ୍ୟାଦି ମାଧ୍ୟମରେ ପାଳନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ଓ ରାଜ୍ୟ ପଂଚାୟତ ସଭ୍ୟ / ସଭ୍ୟା ମହାସଂଘ ଆହ୍ୱାନ ଦେଉଛି। ଉପରୋକ୍ତ ଦାବିଗୁଡ଼ିକ ଉପରେ ବ୍ୟାପକ ପ୍ରଚାର ଅଭିଯାନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପଠାଇବା ପାଇଁ ଅନୁରୋଧ କରାଯାଉଛି। ଏହାକୁ ପଂଚାୟତ ପ୍ରତିନିଧିମାନେ ବ୍ୟକ୍ତିଗତ ଭାବେ ଅବା ପଂଚାୟତ ଅନୁଷ୍ଠାନ ପକ୍ଷରୁ ପଠାଇବାକୁ ଅନୁରୋଧ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୁଦର୍ଶନ ଦାସ, ସୋନାଲି ସାହୁ, ହିମାଂଶୁ ଲେଙ୍କାଙ୍କ ସମେତ ରାଜ୍ୟ ସମିତି ସଭ୍ୟ / ସଭ୍ୟା ମହାସଂଘର କାର୍ଯ୍ୟକାରୀ ସଭାପତି ଗୋପବନ୍ଧୁ ସ୍ୱାଇଁ, ବିଷ୍ଣୁପ୍ରିୟା ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


