ରାଉରକେଲା ୬/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ): “ଆଜି ଯଦି ଭାରତ ଏକ ବିଶ୍ଵଶକ୍ତି ରୂପେ ଉଭା ହେବାକୁ ଯାଉଛି, ତାହା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଭଳି ଗୁରୁମାନଙ୍କ ପାଇଁ ସମ୍ଭବପର ହୋଇପାରିଛି ଯେଉଁମାନେ ଛାତ୍ରଛାତ୍ରୀମାନଙ୍କୁ ସଫଳତାର ଶିଖର ଛୁଇଁବା ପାଇଁ ସର୍ବଦା ଅନୁପ୍ରେରିତ କରିଆସିଛନ୍ତି,” ବୋଲି ରାଉରକେଲା ଇସ୍ପାତ କାରଖାନା ସହରସେବା ଶିକ୍ଷା ବିଭାଗ ଦ୍ଵାରା ସେପ୍ଟେମ୍ବର ୫ ତାରିଖରେ ଗୁରୁ ଦିବସ ପାଳନ ଅବସରରେ ସିଭିକ ସେଣ୍ଟର ଠାରେ ଆୟୋଜିତ ଉତ୍ସବରେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଉଦବୋଧନ ଦେଇ ଆରଏସପିର ସିଇଓ, ଶ୍ରୀ ଦୀପକ ଚଟ୍ଟରାଜ ଉଲ୍ଲେଖ କରିଛନ୍ତି । ଶ୍ରୀ ଦୀପକ ଚଟ୍ଟରାଜ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଫେସର ଡକ୍ଟର ଚିତ୍ତ ରଞ୍ଜନ ତ୍ରିପାଠୀ ସମ୍ମାନିତ ବକ୍ତା ରୂପେ ଯୋଗ ଦେଇଥିଲେ। । ଉକ୍ତ ଉତ୍ସବରେ କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ରାଜ ବୀର ସିଂହ,କାର୍ୟ୍ୟ ବିଭାଗର ଇଡ଼ି, ଶ୍ରୀ ଗୌତମ ବାନାର୍ଜୀ, ସାମଗ୍ରୀ ପରିଚାଳନା ବିଭାଗର ଇଡ଼ି, ଶ୍ରୀ ଡ଼ି କେ ମହାପାତ୍ର, ପ୍ରକଳ୍ପ ବିଭାଗର ଜିଏମ ଇନ ଚାର୍ଜ, ଶ୍ରୀ ଅତନୁ ଭୌମିକ, ବିତ୍ତ ଓ ଲେଖା ବିଭାଗର ଜିଏମ, ଶ୍ରୀ ପ୍ରବୀଣ ନିଗମ, ସହର ପ୍ରଶାସନ ଓ ସିଏସଆର ବିଭାଗର ଜିଏମ, ଶ୍ରୀ ଅଜୟ କୁମାର ନାୟକ, କାରଖାନାର ବହୁ ବରିଷ୍ଠ ଅଧିକାରୀ, ଆରଏସପି ପରିଚାଳିତ ବିଦ୍ୟାଳୟଗୁଡିକର ବହୁ ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ତଥା ଭାରତର ଦ୍ଵିତୀୟ ରାଷ୍ଟ୍ରପତି, ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣାନଙ୍କ ପଟ୍ଟଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ଅନୁଷ୍ଠାନିକ ରୂପେ କାର୍ୟ୍ୟକ୍ରମର ଉଦଘାଟନ କରିଥିଲେ।
ଏହି ଅବସରରେ ନିଜର ଉଦବୋଧନରେ ଶ୍ରୀ ଚଟ୍ଟରାଜ ନିଜର ବ୍ୟକ୍ତିଗତ ଅଭିଜ୍ଞତାରୁ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣାନଙ୍କ ଭଳି ନିଜର ବଳିଷ୍ଠ ବ୍ୟକ୍ତିତ୍ଵ କିଭଳି ନିଜର ଚିନ୍ତନ ଓ କାର୍ୟ୍ୟଧାରା ଦ୍ଵାରା ଜନମାନସକୁ ଆଲୋଡିତ କରିପାରିଥିଲେ ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । “ବିଶିଷ୍ଟ ଦାର୍ଶନିକଙ୍କ ମଧ୍ୟରେ ଅନ୍ୟତମ, ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣାନ ଆମ ଦେଶର ଶାସନ ବ୍ୟବସ୍ଥାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ,” ବୋଲି ସେ ଉଲ୍ଲେଖ କରିଥିଲେ। ବର୍ତ୍ତମାନର ଡିଜିଟାଲ ଯୁଗରେ ଶିକ୍ଷକଶିକ୍ଷୟିତ୍ରୀମାନେ ସାମ୍ନା କରୁଥିବା ଆହ୍ଵାନ ଗୁଡିକ ସମ୍ପର୍କରେ ଆଲୋକପାତ କରି ସେ ଶିକ୍ଷକଶିକ୍ଷୟିତ୍ରୀ ଆଧୁନିକ ଶିକ୍ଷା ମାଧ୍ୟମଗୁଡିକର ଉପଯୋଗ କରିବା ପାଇଁ ଆହ୍ଵାନ ଜଣାଇଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ ଏବଂ ଅନ୍ୟାନ୍ୟ ଅନୁରୂପ ଗ୍ୟାଜେଟର ଆକର୍ଷଣରୁ ଦୂରରେ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ପ୍ରଫେସର ଡକ୍ଟର ତ୍ରିପାଠୀ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶରେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।ସେ ମଧ୍ୟ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଉଭୟ ପାଠ୍ୟ ଓ ପାଠ୍ୟୋତ୍ତର ବିଷୟରେ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଚିହ୍ନଟ କରି ସେଗୁଡିକୁ ବିକଶିତ ହେବା ଦିଗରେ ସହାୟତା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ସିଇଓ ପ୍ରଫେସର ଡକ୍ଟର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉତ୍ସବରେ ଶ୍ରୀ ଚଟ୍ଟରାଜ, ପ୍ରଫେସର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଗୁରୁ ବନ୍ଦନା ଗାନ କରାଯାଇଥିଲା। ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେକ୍ଟର ୨୦ର ଛାତ୍ରୀ ଆକାଂକ୍ଷା ମିଶ୍ର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଇସ୍ପାତ ବିଦ୍ୟା ମନ୍ଦିରର ଦ୍ଵାଦଶ ଶ୍ରେଣୀ ଛାତ୍ରୀ, ହାଜିରା ବାନୋ ଶିଦ୍ଦିକି ଧନ୍ୟବାଦ ଜ୍ଞାପନ କରିଥିଲେ। ସେକ୍ଟର ୨୦ ସ୍ଥିତ ଆଇ.ଇ.ଏମ.ଏସ.ର ଛାତ୍ରୀ, ସିମ୍ରନ ପଟ୍ଟନାୟକ କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ। ଆଇ.ଇ.ଏମ.ଏସ.ର ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ଆକର୍ଷଣୀୟ ନୃତ୍ୟ ସହିତ କାର୍ୟ୍ୟକ୍ରମ ଶେଷ ହୋଇଥିଲା।
“ଆଜି ଯଦି ଭାରତ ଏକ ବିଶ୍ଵଶକ୍ତି ରୂପେ ଉଭା ହେବାକୁ ଯାଉଛି, ତାହା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଭଳି ଗୁରୁମାନଙ୍କ ପାଇଁ ସମ୍ଭବପର ହୋଇପାରିଛି,”: ଆରଏସପିର ସିଇଓ, ଶ୍ରୀ ଦୀପକ ଚଟ୍ଟରାଜ
|
September 6, 2019 |