ଅସରାଏ ବର୍ଷାରେ ଜାରକା ବଜାରରେ ନର୍ଦ୍ଦମା ପାଣିର ଲହଡି, ବିପର୍ଯ୍ୟସ୍ତ ହୋଇପଡିଛି ଡ୍ରେନ୍

Spread the love

ଧର୍ମଶାଳା ୧୩/୦୯ (ସନ୍ଧାନ ନିୟୁଜ/ମାନସ ରାଉତ) ଅସରାଏ ବର୍ଷାରେ ଧର୍ମଶାଳା ବ୍ଲକ୍ ଜାରକା ବଜାରରେ ଏବେ ନର୍ଦ୍ଦମା ପାଣି ଲହଡି ଭାଙ୍ଗୁଛି । ନର୍ଦ୍ଦମା ପାଣିର ଦୁର୍ଗନ୍ଧରେ ଯାତାୟାତ କରିବା ବଜାର ବାସୀଙ୍କ ପାଇଁ ଅସହ୍ୟ ହୋଇପଡିଛି । ବଜାରର ଦୁର୍ଗନ୍ଧମୟ ପରିବେଶରେ ପରିବା ବ୍ୟବସାୟୀ ଗ୍ରାହକ ଓ ଅଂଚଳବାସୀଙ୍କ ପାଇଁ ନାହିଁ ନଥିବା କଷ୍ଟକର ହୋଇପଡିଛି । ପ୍ରକାଶ ଥାଉକି ୧୬ ନଂ ଜାତୀୟ ରାଜପଥର ଜାରକା ବଜାର ଉଭୟ ପାଶ୍ୱର୍ ସମେତ ଉଭୟ ବଜାରରେ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ ହୋଇଥିଲା । ମାତ୍ର ପ୍ରତିବର୍ଷ ଏହା ସଫା ହେବା ପରିବର୍ତେ ବ୍ୟବସାୟୀଙ୍କ ଅଳିଆ ଆବର୍ଜନାରେ ପୋତି ହୋଇଯାଇଥିଲା । ଅନ୍ୟପକ୍ଷରେ ଜାରକା ଛକରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଓ ବଜାର ରାସ୍ତା ସହପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ଶତାଧିକ ଦୋକାନ ଘର ଭଙ୍ଗାରୁଜା କରାଯାଉଛି । ଫଳରେ ଭଙ୍ଗା ପଥର ଇଟା, ପଥର ଓ କଂକ୍ରିଟ୍ ପଡି ଡ୍ରେନ୍ ଅଧିକ ପୋତି ହୋଇଯାଇଛି । ଅସରାଏ ବର୍ଷା ହେଲେ ବର୍ଷାଜଳ ନିଷ୍କାସନ ହୋଇପାରୁନି । ଦୀର୍ଘଦିନ ଧରି ବର୍ଷା ପାଣି ରାସ୍ତା ଉପରେ ଜମି ରହି ଦୁର୍ଗନ୍ଧ ହେଉଛି । ଡ୍ରେନ୍ର ନର୍ଦ୍ଦମା ପାଣି ସାଙ୍ଗକୁ ବର୍ଷାପାଣି ନିଷ୍କାସନ ହୋଇନପାରି ରାସ୍ତା ବୁଡି ରହିଛି । ଲଗାଣ ବର୍ଷା ହେଲେ ତଳ ବଜାରରେ ଥିବା କେତେକ ଦୋକାନରେ ଓ ଲୋକଙ୍କ ଘରେ ନର୍ଦ୍ଦମା ପାଣି ପଶିଯାଇଛି । ସେହିପରି କେତେକ ବ୍ୟକ୍ତି ସେମାନଙ୍କ ପାଇଖାନାର ଆବର୍ଜନା, ଘରର ବ୍ୟବହୃତ ମଇଳା ପାଣି ସବୁ ରାସ୍ତା ପାଶ୍ୱର୍ରେ ଥିବା ଡ୍ରେନ୍କୁ ଛାଡି ଦେଉଛନ୍ତି । ଏବେ ଡ୍ରେନ୍ ପୋତି ହୋଇ ଯାଇଥିବାରୁ ନର୍ଦ୍ଦମା ଆବର୍ଜନା ପାଣି ରାସ୍ତା ଉପରେ ଜମିରହି ଦୁର୍ଗନ୍ଧ ହେଉଛି । ବାରମ୍ବାର ସ୍ଥାନୀୟ ଅଂଚଳର ଜନସାଧାରଣ ଡ୍ରେନେଜ୍ ବିଭାଗ, ଏନ୍ଏଚ୍ଏଆଇ କର୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଏହାର ସମାଧାନ ପାଇଁ କୈାଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉନି । ବର୍ଷା ଲାଗି ରହିଲେ ଜାରକା ବଡବଜାର, ଲକ୍ଷ୍ମୀବଜାର, ଶୈଳଶ୍ରୀ ବିହାର, ରାଜୀବ ବିହାର, କୁମାରୀ ଆଦି ସ୍ଥାନ ଗୁଡିକରେ ପାଣି ଜମି ରହିବା ସହିତ ଅନେକଙ୍କ ଘରେ ବର୍ଷାଜଳ ପଶିଯାଉଛି । ହେଲେ ଜାରକାରେ ପ୍ଲାଏ ଓଭରବ୍ରିଜ୍ ଓ ନୂଆ ଡ୍ରେନ୍ ନିର୍ମାଣ ହେଲେ ଏହି ସମସ୍ୟା ସୁଧୁରିବ ବୋଲି ଆଶା କରାଯାଉଛି । ସେହିପରି ଜବରଦଖଲ ହଟାଇବା ପରେ ପ୍ରଶସ୍ତ ଡ୍ରେନ୍ ନିର୍ମାଣ କରାନଗଲେ ଉଦ୍ବୃତ ବର୍ଷାଜଳ ନିଷ୍କାସନ ହୋଇପାରିବ ନାହିଁ । ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ସଚେତନ ନହେଲେ ଆଗାମୀ ଦିନରେ ଅଂଚଳବାସୀ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଦଳିତ ସଂଘ ସଭାପତି ହରିହର ମଲ୍ଲିକ ଚେତାବନୀ ଦେଇଛନ୍ତି ।

Related Posts

About The Author

Add Comment