ଟଙ୍କାରେ ପଡ଼ି ଶିଶୁର ଜୀବନ ଗଲା :
ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଗ୍ରାମରେ ଆଜି ଅଘଟଣ ଘଟିଛି । ଅର୍ଦ୍ଧନିର୍ମିତ ଏକ ପାଇଖାନା ଟାଙ୍କିରେ ପଡି ଜଣେ ୩ ବର୍ଷ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁକନ୍ୟାଟି ପୋଖରିଆ ଗ୍ରାମର ସ୍ବର୍ଗତ କୁନୁ ମର୍ମୁଙ୍କ ଝିଅ ଲିପ୍ସିତା ବୋଲି ଜଣାପଡିଛି । ଲିପ୍ସିତା ଖେଳୁ ଖେଳୁ ଉକ୍ତ ଟାଙ୍କିରେ ପଡିଯାଇଥିଲେ । ପରିବାର ଲୋକ ଜାଣିପାରି ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇଥିଲା । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ସୂଚନାଯୋଗ୍ୟ; କିଛି ଦିନ ହେବ ଲିପ୍ସିତା ଦାଣ୍ଡବୋଷସ୍ଥ ନିଜ ମାମୁ ଘରେ ରହୁଥିଲେ ।
ସାପ ନେଲା ୨ ଜୀବନ :-
କୁଳିଅଣା ଥାନା ଅନ୍ତର୍ଗତ ଟଲକପୋଖରୀ ଗ୍ରାମର ସୋମନାଥ ସିଂଙ୍କ ନାବାଳକ ପୁଅ ଅଜୟ (୮) ସାପକାମୁଡାରେ ପ୍ରାଣ ହରାଇଛି । ଗତ ୧୮ ତାରିଖ ଶନିବାର ଅପରାହ୍ନରେ ଘରେ ନିକଟରେ ସାଙ୍ଗମାନଙ୍କ ସହିତ ଖେଳୁଥିବା ବେଳେ ଅଜୟକୁ ଏକ ବିଷଧର ସାପ କାମୁଡି ଦେଇଥିଲା । ତେବେ ପିଲାଟି ହଠାତ୍ କିଛି ଜାଣି ପାରିନଥିଲା । ରାତିରେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକଙ୍କୁ କହିଥିଲା । ତେବେ ସେମାନେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ନ’ ନେଇ ପରଦିନ (ପରିବାର) ସକାଳରେ ବାରିପଦା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନରେ ଆଖି ବୁଜିଥିଲା ଅଜୟ । ଖବର ପାଇ କୁଳିଅଣା ପଲୋସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । ଥାନାରେ କେସ୍ ନଂ ୨୩/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ବଡ଼ସାହି ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ସୁସେନ ମହାନ୍ତଙ୍କ ୧୫ ବର୍ଷର ଝିଅ ବିଷ୍ଣୁପ୍ରିୟାଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି । ଗତକାଲି ରାତିରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ପରିବାର ଲୋକ ଆଜି ସକାଳେ ବିଷ୍ଣୁପ୍ରିୟାଙ୍କ ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ଘୋଷଣା କରିଥିଲେ । ଏନେଇ ବଡସାହି ଥାନାରେ ୩୮/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ପାଣିରେ ବଡିଯାଇ ଯୁବକଙ୍କ ମୃତ୍ୟୁ;-
ମୋରଡ ତହସିଲ ତଥା ବେତନଟୀ ଥାନା ଅଧୀନ ଦିନ୍ତିଆମୁଁହା ପଞ୍ଚାୟତ ନୂଆସାହି ଗ୍ରାମର ଜଣେ ଯୁବକଙ୍କ ପାଣି ଚୂଡି ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ; ନରେନ୍ଦ୍ର ସିଂଙ୍କ ପୁଅ ବାପି ସିଂ (୨୪) । ରବିବାର ରାତିରେ ବାପି ଶୈଚ ହେବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ ଘରକୁ ଫେରି ନଥିଲେ । ତେବେ ପରିବାର ଲୋକ ଖୋଜାଖୋଜି କରିବା ପରେ ଆଜି ସକାଳେ ସ୍ଥାନୀୟ ଏକ ପାଣି ଭର୍ତ୍ତି ଖାଲରେ ତାଙ୍କ ମୃତ ଶରୀର ଭାସୁଥିବା ଦେଖିଥିଲେ । ଚିତ୍ରଡା ଦମକଳ ବାହିନୀ ପହଞ୍ଚି ଶବ ଉଦ୍ଧାର କରିଛି । ବଡଜାମବଣି ଫାଣ୍ଡି ଅଧିକାରୀ ପବିତ୍ର ମୋହନ ରାଉତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ୨୭/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ଡ୍ରେନରେ ପଡ଼ି ବାଇକ୍ ଚାଳକ ମୃତ :-
ରାଇରଙ୍ଗପୁର ସହରର ଇଚିଣ୍ଡା ହନୁମାନ ମନ୍ଦିର ସାହି ନିକଟରେ ଡ୍ରେନରେ ପଡ଼ି ଜଣେ ବାଇକ୍ ଚାଳକଙ୍କ ମୁତ୍ୟୁ ଘଟିଛି । ମୃତକ ହେଲେ ; ସ୍ଥାନୀୟ ଅବଧେଶ ରାମଙ୍କ ପୁଅ ରୋହିତ କୁମାର ରାମ (୨୫) । ସୂଚନା ଅନୁସାରେ ;- ଗତକାଲି ରାତି ପ୍ରାୟ ୧୧ଟା ବେଳେ ରୋହିତ ବାଇକ୍ ରେ ଯାଉଥିଲେ ।ଏହି ସମୟରେ ସେ ଭାରସାମ୍ୟ ହରାଇ ରାସ୍ତା ପାଖ ଡ୍ରେନକୁ ଖସି ପଡିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ବେଳକୁ ମୃତ୍ୟୁ ଘଟି ସାରିଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଏନେଇ ରାଇରଙ୍ଗପୁର ଟାଉନ ଥାନାରେ କେସ୍ ନଂ ୧୧୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ଶିକ୍ଷୟତ୍ରୀଙ୍କ ଅକାଳ ବିୟୋଗ:-
ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ମଲିକେଡମ୍ ସରକାରୀ ଉପ୍ରା ବିଦ୍ୟାଳୟର ବହୁଭାଷୀ ଶିକ୍ଷୟିତ୍ରୀ ସିନଗୋ ହେମ୍ବ୍ରମଙ୍କ କୁଲଡ଼ିହାସ୍ଥ ଗ୍ରାମରେ ଦେହାନ୍ତ ହୋଇଯାଇଛି । ଏନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ବହଳଦା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ସିଆରସିସି ଅଶୋକ କୁମାର ବେହେରା , ଶିକ୍ଷକ ଅକିଞ୍ଚନ ବାରିକ, ସୁବ୍ରତ କୁମାର ପଲେଇ, ହରେକୃଷ୍ଣ ବେହେରା ପ୍ରମୁଖ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସୂଚନାଯୋଗ୍ୟ; ସ୍ବର୍ଗତ ସିନଗୋଙ୍କ ସ୍ବାମୀ ସୀତାରାମ ହାଁସଦାଙ୍କ ସହ ୫ ବର୍ଷର ଝିଅ ଅଛନ୍ତି । ସିନଗୋ ୨୦୧୪ ମସିହାରେ ଚାକିରିରେ ଯୋଗ ଦେଇଥିବା ବେଳେ ଆସନ୍ତା ଅଗଷ୍ଟ ମାସରେ ନିୟମିତ ହୋଇଥା’ନ୍ତେ ।