ଅବହେଳିତ ପୁରାତନ ପ୍ରାଚୀନ ବାଜେଣୀ ଗୁମ୍ପା; କେବେ ମିଳିବ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା; ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି
ଅବହେଳିତ ପୁରାତନ ପ୍ରାଚୀନ ବାଜେଣୀ ଗୁମ୍ପା; କେବେ ମିଳିବ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା; ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି
Manas Kumar Rout |
June 19, 2020 |
ଯାଜପୁରରୁ ମାନସ ରାଉତଙ୍କ ସ୍ୱତନ୍ତ୍ର ରିପୋର୍ଟ
ଓଡିଶାରେ ଯାଜପୁର ଜିଲା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏବଂ ବିଶ୍ୱ ମାନଚିତ୍ରରେ ଯାଜପୁରର ନାମ ଲିପିବଦ୍ଧ ହୋଇ ରହିଛି । ଐତିହ୍ୟ,ସଂସ୍କୃତି ଓ ପରମ୍ପରା ପାଇଁ ଜିଲାରେ ମା ବିରଜା ବିରାଜମାନ କରୁଥିବା ବେଳେ ଐତିହାସିକ ରତ୍ନଗିରି ଓ ଲାଙ୍ଗୁଡି ପାହାଡ ର ବୌଦ୍ଧ କୀର୍ତିରାଜି ସାରା ବିଶ୍ୱରେ ଚକିତ କରିପାରିଛି । ମା ବିରଜାଙ୍କଠାରୁ ଆରମ୍ଭ କରି କୁସୁମା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦହାରଣ ସୃଷ୍ଟି କରିଛି । ଅନ୍ୟପଟରେ ପ୍ରସିଦ୍ଧ ଶୈବପୀଠ ମହାବିନାୟକ, ସିଦେ୍ଧଶ୍ୱର, ଚଣ୍ଡିମନ୍ଦିର, ସିଂହାପୁରର ନାରୟଣ, ଧର୍ମଶାଳାରେ ଗୋକର୍ଣ୍ଣଶ୍ୱର ସମେତ ରହିଛି ଅନେକ ବୈଦ୍ଧଗୁମ୍ପା । ସେଥିମଧ୍ୟରୁ ତାରାପୁର ତପସୁ ଭଲ୍ଲିକ ଗୁମ୍ପା, ଦେଉଳୀ ପର୍ବତ ଗୁମ୍ପା, ନେଉଳପୁର ବୌଦ୍ଧ ଗୁମ୍ପା, କୋତପୁର ଗୁମ୍ପା, କଂଟିଗଡିଆ ଗୁମ୍ପା । ହେଲେ ଆହୁରୀ ଅନେକ ପ୍ରାଚୀନ ଗୁମ୍ପା ଲୁଚି ରହିଛି ଯାହାକି ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି । ସେଥିମଧ୍ୟରୁ ଅଲୋଡା ହୋଇଥିବା ଯାଜପୁର ଜିଲାର ବଡଚଣା ନିର୍ବାଚନ ମଣ୍ଡଳୀ ପ୍ରଚୀନ ବାଜେଣୀ ଗୁମ୍ପା । ଏହି ଅଂଚଳରେ ସବୁଜ ପାହାଡ ଓ ଘଂଚ ବନାନୀ ଘେରା ସବୁଜିମାରେ ଭରପୁର ଭିତରେ ପ୍ରାଚୀନ ବାଜେଣୀ ଗୁମ୍ପା ଥିବା ଭଳି ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ବିରାଜମାନ କରୁଥିବା ବେଳେ ତାହା କିନ୍ତୁ ପ୍ରର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହି ଏଯାଏଁ ଲୋକାଲୋଚନକୁ ଆସି ପାରିନାହିଁ । ୧୬ ନଂ ଜାତୀୟ ରାଜପଥର ଚଣ୍ଡିଖୋଲ କିମ୍ବା ବନ୍ଦାଳ ଛକଠାରୁ ପଶ୍ଚିମ ଦିଗକୁ ଆର.ଆଣ୍ଡ.ବି ରାସ୍ତାରେ ପ୍ରାୟ ୧୨ କିମି ଯାଇ ବୈଦେହୀପୁର ଚାରିଛକରେ ପଂହଚି ସେଠାରୁ ଦକ୍ଷିଣ ଦିଗରେ ବରୁଣିଆ ଆଡକୁ ଯାଇଥିବା ପିଏମଜିଏସୱାଇ ରାସ୍ତାରେ ମାତ୍ର ୫ଶହ ମିଟର ଯିବା ପରେ ସେଠାରୁ ପୂର୍ବ ମୁହାଁ ହୋଇ ପାହାଡ ପାଦଦେଶକୁ ଜଙ୍ଗଲ ମଧ୍ୟରେ ଯାଇଥିବା ମୋରମ ରାସ୍ତାରେ ପୁଣି ୫ଶହ ମିଟର ଗଲେ ସେଠାରେ ଆରାମରେ ପଂହଚି ହୁଏ । ମନରେ ଅଧିକ ଦ୍ୱନ୍ଦ ନ ରଖି ଉକ୍ରଳ ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ ସ୍ଥାୟୀ କ୍ୟମ୍ପସ ଯେଉଁଠାରେ ସ୍ଥାପନ ହେବାକୁ ଯାଉଛି କୌଣସି ମତେ ସେହି ସ୍ଥାନରେ ପଂହଚିଗଲେ ସେଠାରୁ ମାତ୍ର ୨ କିମି ଦୂରରେ ହିଁ ଏହି ସ୍ଥାନଟି ଅବସ୍ଥିତ ।
ପୂର୍ବେ ବିଳମ୍ବିତ ରାତିରେ ବାଦ୍ୟଯନ୍ତ୍ରର ରୁଣୁଝୁଣୁ ଶଦ୍ଦ କୁଆଡେ ଏହି ଗୁମ୍ପାରେ ଶୁଣିବାକୁ ମିଳୁଥିବାରୁ ଏହି ସ୍ଥାନଟି ସ୍ଥାନୀୟ ଅଂଚଳର ଲୋକନାମରେ ବାଜେଣୀ ଗୁମ୍ପା ନାମରେ ପରିଚିତ ହୋଇଛି । କିଛି ବର୍ଷ ହେବ ଏଠାରେ ଜଣେ ବାବା ଅବସ୍ଥାନ କରି ତାହାକୁ ବାଲ୍ମିକୀ ଗୁମ୍ପା ବୋଲି ନୂତନ ଭାବେ ନାମିତ କରାଇ ଦେଇଛନ୍ତି । ବହୁ କାଳରୁ କୌଣସି ସମୟରେ ବର୍ଷା ବିଳମ୍ବିତ ହେଲେ ସ୍ଥାନୀୟ ଅଂଚଳର ଲୋକେ ସେଠାରେ ଯାଇ ପୂଜାର୍ଚ୍ଚନା ଓ ଭଜନ କୀର୍ତନ କରିଲେ ବର୍ଷା ହୁଏ ବୋଲି ବିଶ୍ୱାସ ରହିଛି । ଏପରି ବିଶ୍ୱାସ ରହିଥିବାରୁ ଗୁମ୍ପାର ମହାତ୍ମ ବଢ଼ିଯାଇଛି । ମୁଖ୍ୟ ଗୁମ୍ପା ସହିତ ତା’ ତଳକୁ ଓ ଉପରକୁ ମଧ୍ୟ ଆଉ ଦୁଇଟି ଗୁମ୍ପା ସେଠାରେ ରହିଛି । ସେଠାକୁ ଗମନାଗମନ ପାଇଁ ଭଲ ରାସ୍ତା ନାହିଁ । ପୂର୍ବରୁ କଂଟାଝଂଟାଭିତରେ ବହୁ କଷ୍ଟରେ ସେଠାକୁ ଯାଉଥିଲେ । ମାତ୍ର ଚାରି ଚକିଆ ଗାଡିରେ ଯାଇ ସେଠାରେ ପଂହଚିବାରେ ଆଉ ଏବେ କୌଣସି ଅସୁବିଧା ହେଉନାହିଁ । କାରଣ କିଛି ବର୍ଷ ପୂର୍ବେ ଜଣେ ବାବା ଆସି ସେଠାରେ ଅବସ୍ଥାନ କରି ସ୍ଥାନୀୟ ଅଂଚଳର ଲୋକମାନଙ୍କ ସହଯୋଗରେ ସେହି ପରିବେଶକୁ ଅତ୍ୟନ୍ତ ମନୋରମ କରିଦେଇଛନ୍ତି । ଇତି ମଧ୍ୟରେ ବୈଦେହୀପୁର- ବରୁଣିଆ ମୁଖ୍ୟ ରାସ୍ତାରୁ ସେଠାକୁ ଯିବା ପାଇଁ ଜଙ୍ଗଲ କାଟି ମୋରମ ରାସ୍ତାଟିଏ ନିର୍ମାଣ ସାଙ୍ଗକୁ ଗୁମ୍ପାର ପାଦଦେଶରେ ଏକ ପ୍ରଶସ୍ତ ସମତଳ ଅଂଚଳ ସୃଷ୍ଟି କରିବା ସହିତ ସେଠାରେ ଏକ ନଳକୂପ ଖନନ ଓ କିଛି ପକ୍କାଛାତ ଘର ନିର୍ମାଣ ହୋଇସାରିଛି । କେହି ବି ଚାହିଁଲେ ଯେ କୌଣସି ଋତୁରେ ସେଠାକୁ ଯାଇ କିଛି ସମୟ ବିତାଇବାରେ ଏବେ ଆଉ କୌଣସି ସମସ୍ୟା ନାହିଁ । ରାଜ୍ୟର ଅନ୍ୟ କୌଣସି ବଣଭୋଜି ପର୍ଯ୍ୟଟନସ୍ଥଳୀଠାରୁ ବି ଏହି ସ୍ଥାନଟି ଆହୁରୀ ଯେ ଅଧିକ ପ୍ରକୃଷ୍ଟ ବୋଲି ଏଠାକୁ ଆସି ଫେରିବା ପରେ ଯେ କେହି ନିଶ୍ଚୟ ସ୍ୱୀକାର କରିବେ । ଚତୃପାଶ୍ୱର୍ରେ ପ୍ରାକୃତିକ ସବୁଜିମାମୟ ପାହାଡ ଓ ଘଂଚ ଜଙ୍ଗଲ ମଧ୍ୟରେ ପରିବେଶଟି ସତରେ ଏତେ ମନୋରମ ଲାଗେ ଯେ କୌଣସି ପର୍ଯ୍ୟଟକ ଆସି ଭିଡ ଓ ଚାପ ମୁକ୍ତ ଜୀବନରୁ ନିଜକୁ ମୁକ୍ତ କରି କିଛି କ୍ଷଣ ପାଇଁ ନିଶ୍ଚୟ ଆନନ୍ଦରେ ବିଭୋର ହୋଇପଡିବ ଏଥିରେ ତିଳେ ମାତ୍ର ସନେ୍ଦହ ନାହିଁ । ଏମିତି ଏକ ସୁନ୍ଦର ସ୍ଥାନଟିର ବିକାଶ ପାଇଁ ସରକାରୀସ୍ତରୁ ଏଯାଏଁ ଟଙ୍କାଟିଏ ଅନୁଦାନ ହୋଇପାରି ନାହିଁ । ଏହା ଯେହେତୁ କଟକ ବନଖଣ୍ଡ ଅନ୍ତର୍ଗତ ଡାଳିଯୋଡା ବନାଚଂଳ ଅଧିନରେ ନଳୀଦା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି । ବନ ବିଭାଗର ବିନା ଅନୁମତିରେ କୌଣସି ବିଭାଗ ଏଠାରେ ଅଥଁ ବ୍ୟୟ ବରାଦ କରିପାରୁ ନାହାନ୍ତି । ମାତ୍ର ସେଇ ଆଇନକୁ ଜଗି ରହି ବା ସେହି ଆଳରେ ଏଭଳି ଏକ ସୁନ୍ଦର ପର୍ଯ୍ୟଟନ କ୍ଷେତ୍ର ବିକାଶ ପ୍ରତି ଅହେତୁକ ଅବହେଳା କରା ନ ଯାଉ । ବରଂ ଜଙ୍ଗଲ ବିଭାଗ ଏହାକୁ ଏକ ବନ ପର୍ଯ୍ୟଟନ କ୍ଷେତ୍ର ଭାବେ ହାତକୁ ନେଇ ଏହାର ବିକାଶ କରାଇ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁ । ଏହାପରେ କେହି ଯଦି ଏଠାକୁ ବଣଭୋଜି କରିବା ପାଇଁ ଆସିବେ ସେମାନଙ୍କୁ ଅନୁମତି ଦେବା ସହିତ ସେଠାକାର ରକ୍ଷଣାବେକ୍ଷଣ ଖର୍ଚ୍ଚ ଉଠାଇବାକୁ ସେମାନଙ୍କଠାରୁ ସ୍ୱଳ୍ପ ଦେୟ ଅସୁଲ କରାଗଲେ ତାହାକୁ ସମସ୍ତେ ସ୍ୱୀକାର କରିବେ । କିନ୍ତୁ ଯାହାବି ହେଉ ଏହି ସ୍ଥାନଟିକୁ ଯଥୋଚିତ ନ୍ୟାୟ ଦେବାକୁ ସବୁ ସ୍ତରରେ ଉଦ୍ୟମ ହେବାର ଆବଶ୍ୟକତା ରହିଛି । ଏହି ଅଂଚଳ ପ୍ରତି ତୁରନ୍ତ ପର୍ଯ୍ୟଟନ ବିଭାଗ ଓ ମନ୍ତ୍ରୀ ଏହାାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି । ତେବେ ପ୍ରର୍ଯ୍ୟଟନ ବିଭାଗ ଏହା ଉପରେ ଦୃଷ୍ଟି ଦେଇ ଏହାକୁ ଏକ ସ୍ୱାତନ୍ତ୍ର ପ୍ରର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବା ସହିତ ଏହାର ବିକାଶ କରିବା ପାଇଁ ପ୍ରର୍ଯ୍ୟଟନପ୍ରେମୀଙ୍କ ପକ୍ଷରୁ ଦାବି ହୋଇଛି ।
Related Posts
About The Author