ବାଲେଶ୍ୱର ୦୬/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା)– ଦୁଇ ବର୍ଷ ପୂର୍ବରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫକୀର ମୋହନ ମେଡିକାଲ କଲେଜ ସ୍ଥାପିତ ହୋଇଥିଲେ ମଧ୍ୟ କିଛି ପରିବର୍ତ୍ତନ ହୋଇନାହିଁ ଓ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବାଲେଶ୍ଵର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଇଁ ସରକାର ଯେତିକି ଡାକ୍ତର ପଦବୀ ମଞ୍ଜୁର କରିଛନ୍ତି ସେଥିରୁ ଅଧାରୁ ଅଧିକ ପଦବୀ ଖାଲିପଡ଼ିଛି । ଏମିତିକି ଗୋଟିଏ ଗୋଟିଏ ବିଭାଗର ଡ଼ାକ୍ତର ନିହାନ୍ତି । ଏପରି ଦୟନୀୟ ଅବସ୍ଥାରେ ପ୍ରତି ଦିନ ହଜାର ହଜାର ସରକାରୀ ଡ଼ାକ୍ତରଖାନାରୁ ହୋଇ ଘରୋଇ କ୍ଲିନିକ୍ ଉପରେ ଭରସା କରି ଖର୍ଚ୍ଚାନ୍ତ ହେଉଛନ୍ତି । ଜିଲ୍ଲାର ସରକାରୀ ଅନୁମୋଦିତ ମୋଟ ୩୭୩ ଡାକ୍ତରୀ ପଦ ରହିଛି । ଏବେ ଅଛନ୍ତି ମାତ୍ର ୧୮୩ ଡାକ୍ତର ୧୯୦ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ଉପାନ୍ତ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ୧୪୬ଟି ପଦବୀ ଖାଲି ପଡିଥିବା ବେଳେ କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୪ ଡାକ୍ତର ପଦବୀ ଖାଲି ପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପରାମର୍ଶଦାତା , ରଞ୍ଜନରଶ୍ମି ଚିକିତ୍ସକ , ଶିଶୁ ରୋଗ ଚିକିତ୍ସକ , ଶଲ୍ୟ ଚିକିତ୍ସକ , ବ୍ଲଡ଼ ବ୍ୟାଙ୍କ ଅଫିସର ଆଦି ପଦବୀ ଖାଲି ରହିଛି । ଏହା ସହିତ ମେଡିକାଲ ଅଫିସର(ଜେଲ୍), ମେଡିକାଲ ଅଫିସର (ରିଜର୍ଭ ପୋଲିସ ବାରାକା) ହେଲଥ୍ ଅଫିସର (ମ୍ୟୁନିସିପାଲିଟିର) ଆଦି ପଦବୀରେ କେହି ନାହାନ୍ତି । ଅନ୍ୟ ପକ୍ଷରେ ସିନିଅର ମେଡିକାଲ ଅଫିସର ମଞ୍ଜୁରୀ ପଦ ୮ ଓ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ୨୨ ମଞ୍ଜୁରୀ ପଦ ରହିଥିଲେ ମଧ୍ୟ ପଦବୀ ଗୁଡିକ ଦୀର୍ଘ ଦିନ ଧରି ଫାଙ୍କା ପଡିଛି । ମେଡିକାଲ କଲେଜ ଓ ହସ୍ପିଟାଲ ହେବା ପରେ ଏଠାରେ ସୁପର ସ୍ପେଶିୟାଲିଟି ବିଭାଗ ଖୋଲିବା କଥା ମାତ୍ର ସେ ସୁବିଧା ବି ଏଠାରେ ମିଳୁନାହିଁ । ପୂର୍ବରୁ ସ୍ନାୟୁ ଶଲ୍ୟ ବିଭାଗରେ ମେଡିକାଲ କଲେଜର ଡିନଡା .ପ୍ରତାପ ରଥ ରୋଗୀ ମାନଙ୍କୁ ଦେଖୁଥିଲେ । ହେଲେ ଡ. ରଥ ଗତ ଜାନୁଆରୀରେ ଅବସହ ନେବା ପରେ ଆଜକୁ ୬ମାସ ହେବ ସେ ବିଭାଗରେ ମଧ୍ୟ କେହି ଡାକ୍ତର ନାହାନ୍ତି । ଏମିତିକା କାର୍ଡିଓଲୋଜି ,ନେଫ୍ରୋଲୋଜି , ପେଡିଆଟ୍ରିକ , ସଜରି ଆଦି ସୁପର ସ୍ପେଶିୟାଲିଟି ବିଭାଗ ଏଯାଏ ଖୋଲା ନାହିଁ । ଫଳରେ ଏହି ବିଭାଗର ରୋଗୀ ମାନେ କଟକ ଓ ଭୁବନେଶ୍ୱର କୁ ଯାଉଛନ୍ତି । କୋରାନ ପୂର୍ବରୁ ଦିନକୁ ୪୦ରୁ ଅଧିକ ରୋଗୀଙ୍କୁ ବାହାରକୁ ରେଫର କରିଯାଉଥିବା ବେଳେ କୋରନା ପାଇଁ ଡାକ୍ତରଖାନା ରୋଗୀ ବହୁତ କମ୍ ଆସୁଛନ୍ତି। ତା ସତ୍ତ୍ୱେ ଏବେ ୨୦ ରୁ ୨୫ ରୋଗୀଙ୍କୁ ବାହାରକୁ ରେଫର କରିଯାଉଛି । ମେଡିକାଲ କଲେଜ ହେଲେ ଏହି ସମସ୍ୟା ଦୂର ହେବ ବୋଲି କୁହାଯାଉଥିଲା । ଏଯାବତ୍ ତାହା ସମ୍ଭବ ହୋଇନାହିଁ । ଦିନକୁ ଦିନ ଅବ୍ୟବସ୍ଥା ବଢ଼ିଚାଲିଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଦୁଲାଲସେନ୍ ଜଗଦେବଙ୍କୁ ପଚାରିବାରୁ ଡାକ୍ତର ଅଭାବ ନେଇ ରୋଗୀ ଚିକିତ୍ସାରେ ଅସୁବିଧା ହେଉଛି । ଅଧିକ ଡାକ୍ତର ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଲିଖିତ ଭାବେ ଜଣାଯିଇଛି ବୋଲି କହିଛନ୍ତି ।
ଅଧାରୁ ଅଧିକ ଡାକ୍ତର ନାହାନ୍ତି; ବାଲେଶ୍ୱରରେ ବିଗୁଡୁଛି ସ୍ୱାସ୍ଥ୍ୟ ସମସ୍ୟା
|
July 7, 2020 |
