ରସୁଲପୁର,୨୦ /୨(ସନ୍ଧାନ ନିଉଜ/ଜଗମୋହନ ରାଉତ) ରସୁଲପୁର ବ୍ଲକରେ ପିଠା ଯୋଜନା ଲକ୍ଷ୍ୟଚୁ୍ୟତ ହୋଇଛି । ଯୋଜନାକୁ ଦଳୀୟ ପ୍ରଚାରର ମାଧ୍ୟମ ସାଜିଛି । ଯୋଜନା ମୂଳ ଉଦେଶ୍ୟରୁ ଦୂରେଇ ଯାଇ ନାଚଗୀତ, ପିଠା ପ୍ରଦର୍ଶନୀରେ ସମୀତ ରହୁଛି । ଏଭଳି ବ୍ୟତିକ୍ରମ ପିଠା ଯୋଜନା ଭଳି ଏକ ସରକାରୀ କାର୍ଯ୍ୟକ୍ରମ ଆୟୋଜନବେଳେ ଦେଖିବାକୁ ମିଳିଛି । ବିଶେଷକରି ଏହି ବ୍ଲକରୁ ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ସାମିଲ ହୋଇଥିବା ୯ଗୋଟି ପଂଚାୟତରେ ଅନୁରୂପ ସ୍ଥିତି ଉପୁଯିଛି । ଏସବୁ ପଂଚାୟତଗୁଡିକରେ ପିଠା କାର୍ଯ୍ୟକ୍ରମରେ ବିଜେଡିର ସାଂଗଠନିକ ପଦାଧିକାରୀ ବ୍ୟକ୍ତି ମଂଚରେ ଚୌକି ମାଡିବସି ଦଳୀୟ ପ୍ରଚାର କରୁଛନ୍ତି । ଫଳରେ ଯୋଜନା ସଫଳରୂପାୟନ ହେବାରେ ବାଧା ସୃଷ୍ଟି କରୁଛି ।
ଚଳିତମାସ ୧୦ତାରିଖରୁ ବ୍ଲକରେ ତୃତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରତ୍ୟହ ବ୍ଲକର ୩ଟି ଲେଖାଏଁ ପଂଚାୟତରେ ପିଠା ଯୋଜନା ଆୟୋଜନ କରାଯାଉଛି । ଏହି ଯୋଜନା ଜରିଆରେ ସରକାରୀ ଜନାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଲୋକଙ୍କୁ ଅବଗତ କରାଯିବ । ଏଥି ସକାଶେ ବ୍ଲକରୁ ପ୍ରତ୍ୟେକ ପଂଚାୟତ ପାଇଁ ଜଣେ ଲେଖାଏଁ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହାଛଡା ବିଭିନ୍ନ ବିଭାଗର ଅଧିକାରୀମାନେ କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କୁ ସରକାରୀ ଯୋଜନା ସଂପର୍କରେ ବାର୍ତ୍ତା ପହଁଚାଇବେ । ପ୍ରତ୍ୟେକ ଯୋଜନା କିପରି ବିନା ଖର୍ଚ୍ଚ ଓ ସମୟ ଅପଚୟରେ ଲୋକଙ୍କ ଦ୍ୱାରଦେଶରେ ପହଁଚି ପାରିବ ଏବଂ ଯୋଜନା କାର୍ଯ୍ୟକାରୀ ହେବା ସମୟରେ ସ୍ୱଚ୍ଛତା ଅବଲମ୍ବନ କରିବା ଦିଗରେ ଅଧିକାରୀମାନଙ୍କର ଉତ୍ତର ଦାଇତ୍ୱ ରହିଛି । ହେଲେ ଚଳିତ ମାସରେ ଏହି ନିର୍ବାଚନ ମଣ୍ଡଳିର କଲଣ ପଂଚାୟତରୁ ପିଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିସହ ଓଡିଶୋ, ଜାବରା, ରାହାମ୍ବା ଆଦି ପଂଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି । ଏହି କାର୍ଯ୍ୟକ୍ରମ ରସୁଲପୁର ବ୍ଲକ ଯୁବ ବିଜେଡି ସଭାପତି ସୁବାଷ ଖଂଟିଆ, ଜିଲା ଯୁବ ବିଜେଡି ସାଧାରଣ ସଂପାଦକ ମନୋଜ ରାଉତ, ଯାଜପୁର ଜିଲା ବିଜେଡି ଉପ-ସଭାପତି ମୋଇଉଦ୍ଦିନ ମହମ୍ମଦ, ଧର୍ମଶାଳା ନିର୍ବାଚନ ମଣ୍ଡଳି ରସୁଲପୁର ଶାଖା ବିଜେଡି ସଭାପତି କ୍ଷୀରୋଦ ସ୍ୱାଇଁ ପ୍ରମୁଖଙ୍କୁ ମଂଚ ଉପରେ ଦେଖିବାକୁ ମିଳିଥିଲା । ଏହାଛଡା ଯାଜପୁର ସାଂସଦ ଓ ଧର୍ମଶାଳା ବିଧାୟକଙ୍କ ପକ୍ଷରୁ ପଂଚାୟତଗୁଡିକ ନିକଟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନଥାଇ ବି ସେମାନଙ୍କ ପ୍ରତିନିଧି ଭାବରେ ଅରୁଣ ରାଉତ ଓ ପ୍ରକାଶ ସାମଲ ମଧ୍ୟ ମଂଚର ମୁଖ୍ୟ ଆକର୍ଷଣ ସାଜୁଛନ୍ତି । ସେମାନଙ୍କୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ବି କରାଯାଉଛି । ଏ ସବୁ ଦୀଳୟ ସଂଗଠକମାନେ ଯୋଜାନର ଗୁଢ ରହସ୍ୟକୁ ଗୁରୁତ୍ୱ ଦେଉନାହାଁନ୍ତି । ବରଂ ନିର୍ବାଚନ ପାଖେଇ ଆସୁଥିବାରୁ ଦଳୀୟ ପ୍ରଚାରରେ ଗୁରୁତ୍ୱ ଦେଉଛନ୍ତି । ଆସନ୍ତା ୧୯ତାରିଖରେ ଧର୍ମଶାଳା ମହୋତ୍ସବ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଅଧିକାଂଶ ମହିଳା ଯୋଗଦେବାକୁ ଖୋଲାଖୋଲି ଭାବରେ ପ୍ରଚାର କରୁଛନ୍ତି । ଏହି ଆଢୁଆଳରେ ପିଠାର ଅଲସରୂପ ଛପି ଯାଉଛି । ସରକାରୀ ଅର୍ଥରେ ଆୟୋଜିତ କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବରେ ଦଳୀୟ ପ୍ରଚାର କରାଯାଉଛି । ଏହାଛଡା ପିଠା ଯୋଜନା ଅର୍ଥରେ ମନୋରଞ୍ଜନ କାର୍ଯ୍ୟକ୍ରମ ମେଲୋଡି, ଘୋଡାନାଚ, ଘୁମୁରା ନାଚ ଆଦି ପରିବେଶଣ କରାଯାଉଛି । ଏଥିସହ ସ୍ୱୟଂସହାୟିକା ଗୋଷ୍ଠିମାନଙ୍କୁ ଅର୍ଥ ପ୍ରଦାନ କରାଯାଇ ପିଠା ପ୍ରସ୍ତୁତ କରିବାକୁ କୁହାଯାଉଛି । ପିଠାକୁ କାର୍ଯ୍ୟକ୍ରମରେ ପ୍ରଦର୍ଶନୀ କରାଯିବାରେ ସୀମିତ ରଖାଯାଉଛି । ଏଭଳି ଘଟଣା ସର୍ବସାଧାରଣରେ ଉପୁଯୁଛି । କାର୍ଯ୍ୟକ୍ରମ ସ୍ଥଳରେ ସରକାରୀ ବାବୁମାନେ ଉପସ୍ଥିତ ରହୁଛନ୍ତି । ହେଲେ ଏଭଳି ଏକ ବେଆଇନ କାର୍ଯ୍ୟକୁ ରୋକିବାକୁ ପ୍ରୟାସ କରାଯାଉନାହିଁ । ତେବେ ବିଜେଡି ନେତାଙ୍କ ଇଙ୍ଗିତରେ ଏହି କାର୍ଯ୍ୟକ୍ରମ ପରିଚାଳନା ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏ ସଂପର୍କରେ ରସୁଲପୁର ବିଡିଓ ଉମାକାନ୍ତ ପରିଡାଙ୍କୁ ପଚାରିବାରୁ ସେ ନିର୍ବାଚନ ପାଇଁ ତାଲିମରେ ବ୍ୟସ୍ତ ରହୁଛନ୍ତି । ପଂଚାୟତ ଦାଇତ୍ୱରେ ଥିବା ନୋଡାଲ ଅଧିକାରୀଙ୍କୁ ନିୟମ ଅନୁଯାଇ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଏଭଳି ଅଭିଯୋଗ ତାଙ୍କ ନିକଟକୁ ଆସି ନାହିଁ । ଅଭିଯୋଗ ଆସିଲେ ସେ ଦିଗର ଧ୍ୟାନ ଦେବା ବୋଲି ମତ ରଖିଛନ୍ତି ।(ଫଟୋ ଅଛି)
ପିଠା ଯୋଜନା ଲକ୍ଷ୍ୟଚ୍ୟୁତ ଦଳୀୟ ପ୍ରଚାରର ମାଧ୍ୟମ ସାଜିଛି, ନାଚଗୀତଏବଂ ପିଠା ପ୍ରଦର୍ଶନୀରେ ସିମୀତ
|
February 20, 2019 |