ସତର୍କ କରାଇଲା ରିଜର୍ଭ ବ୍ୟାଙ୍କ: ‘ଆପ୍‌’ରେ ଟଙ୍କା ଚୋରି

Spread the love

ମୁମ୍ବାଇ, ୧୮/୦୨ (ସନ୍ଧାନ ନିଉଜ : ଡିଜିଟାଲ ବ୍ୟାଙ୍କିଙ୍ଗ୍‌ର ଏକ ନୂଆ ଜାଲିଆତି ସମ୍ପର୍କରେ ବ୍ୟାଙ୍କ ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ସତର୍କ କରାଇ ଦେଇଛି। ମୋବାଇଲ ଆପ୍ ଜରିଆରେ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସହଜରେ ଟଙ୍କା ନେଇଯିବାର ଆଶଙ୍କା ବ୍ୟକ୍ତ କରି ଏହି ସତର୍କ ସୂଚନା ଜାରି ହୋଇଛି। ପ୍ରଯୁକ୍ତିକୁ ବ୍ୟବହାର କରି ଠକେଇ କରୁଥିବା ବ୍ୟକ୍ତିମାନେ ‘ଏନିଡେସ୍କ’ ନାମକ ଏକ ଆପ୍ ଡାଉନଲୋଡ୍ କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। ଏହାକୁ ବିଶ୍ବାସ କରି ଜଣେ ବ୍ୟକ୍ତି ସଂପୃକ୍ତ ଆପ୍‌କୁ ନିଜ ମୋବାଇଲ କିମ୍ବା ଲାପଟପ୍ ଆଦିରେ ଡାଉନଲୋଡ୍ କରିଲେ ସଂପୃକ୍ତ ଠକ ହାତକୁ ମୋବାଇଲର ନିୟନ୍ତ୍ରଣ ଚାଲିଯାଉଛି। ଏହାପରେ ଗ୍ରାହକଙ୍କ ନିକଟକୁ ଆସୁଥିବା ସମସ୍ତ ଓଟିପି ବା ୱାନ ଟାଇମ୍ ପାସୱାର୍ଡ ଠକ ହାତରେ ପଡ଼ିଯାଉଛି। ଯାହାକୁ ବ୍ୟବହାର କରି ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଚୋରେଇ ନେବାର ଭୟ ରହୁଛି। ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ହଜାର ହଜାର କୋଟି ଟଙ୍କା ଏହି ଉପାୟରେ ଠକେଇ ହେବାର ଆଶଙ୍କା ଥିବାରୁ ନୂଆ ଠକେଇ ଉପାୟଙ୍କୁ ନେଇ ବ୍ୟାଙ୍କ ଅଧିକାରୀମାନେ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି। ଏପରିକି ଇକମର୍ସ ପ୍ଲାଟଫର୍ମରେ କାରବାର କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ବ୍ୟାଙ୍କ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।ଗତବର୍ଷ ଡିସେମ୍ବରରେ ୟୁପିଆଇ ମାଧ୍ୟମରେ ୬୨୦.୧୭ ନିୟୁତ ସଂଖ୍ୟକ କାରବାର ହୋଇଥିବାବେଳେ ଚଳିତବର୍ଷ ଜାନୁଆରିରେ ଏଥିରେ ୮.୪୭ ପ୍ରତିଶତ ବୃଦ୍ଧି ଘଟି ଏହା ପ୍ରାୟ ୬୭୩ ନିୟୁତରେ ପହଞ୍ଚିଛି। ଜାନୁଆରିରେ ୟୁପିଆଇ ମାଧ୍ୟମରେ ମୋଟ ୧୦ ହଜାର ୯ ଶହ କୋଟି ଟଙ୍କାର କାରବାର ହୋଇଛି। ୟୁପିଆଇ ପ୍ଲାଟଫର୍ମକୁ ବ୍ୟବହାର ‌କରି କାରବାର ବଢ଼ିବା ସହିତ ଜାଲିଆତି ବଢ଼ୁଥିବାରୁ ରିଜର୍ଭ ବ୍ୟାଙ୍କ ଗତ କିଛିମାସ ହେଲା ଚିନ୍ତା ପ୍ରକଟ କରି ଆସୁଛି। ଗତମାସ ୧୦ ତାରିଖରେ ରିଜର୍ଭ ବ୍ୟାଙ୍କର ସାଇବର ସୁରକ୍ଷା ଓ ସୂଚନା ପ୍ରଯୁକ୍ତି ପରୀକ୍ଷା କକ୍ଷ ପକ୍ଷରୁ ଏକ ସତର୍କତା ଜାରି କରାଯାଇଥିଲା। ଏବେ ଠକେଇର ନୂଆ ମାଧ୍ୟମ ନଜରକୁ ଆସିଥିବାରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ୧୪ ତାରିଖରେ ପୁଣି ସତର୍କତା ଜାରି କରାଯାଇଛି। ଏହି ଠକେଇ କିଭଳି ହେଉଛି ତାହାକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

କିଭଳି ହେଉଛି ଠକେଇ
ପ୍ରଥମେ ଜାଲିଆତି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ମୋବାଇଲ ବ୍ୟବହାରକାରୀକୁ ଲୋଭ ଦେଖାଇବ। ପ୍ଲେଷ୍ଟୋର କିମ୍ବା ଆପ୍‌ଷ୍ଟୋରରୁ ‘ଏନିଡେସ୍କ’ ନାମକ ଏକ ଆପ୍ ଡାଉନଲୋଡ଼ କରିବାକୁ କହିବ। କେବଳ ଏନିଡେସ୍କ ନୁହେଁ, ଏଭଳି ଅନ୍ୟ କେତେକ ଆପ୍ ମଧ୍ୟ ରହିଛି ଯାହା କି ମୋବାଇଲ ବ୍ୟବହାରକାରୀଙ୍କ ଗୋପନୀୟ ତଥ୍ୟକୁ ପ୍ରଚ୍ଛଦପଟରେ ସମ୍ପୃକ୍ତ ଠକ ନିକଟରେ ପହଞ୍ଚାଇ ଦେଇ ପାରିବା ଆଶଙ୍କା ରହିଛି। ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଫୋନରେ ଏକ ଆପ୍ କୋଡ (୯ ସଂଖ୍ୟା ବିଶିଷ୍ଟ) ‌ଜେନେରେଟ୍ ବା ସୃଷ୍ଟି ହେବ। ଏହି ଆପ୍ କୋଡ୍‌ ବା ୯ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ସମ୍ପୃକ୍ତ ଠକ ମାଗିବ। ଏହି ୯ ଅଙ୍କ ବିଶିଷ୍ଟ ଆପ୍ କୋଡ୍‌କୁ ସଂପୃକ୍ତ ଠକ ତାଙ୍କ ମୋବାଇଲ ଫୋନରେ ଭର୍ତ୍ତି କରିବା ପରେ ଅନ୍ୟ ଆପ୍ ବ୍ୟବହାର ବେଳେ ଜଣେ ମାଗୁଥିବା ଅନୁମତି ଭଳି କେତେକ ଅନୁମତି ମାଗିବ।

ଏହି ଅନୁମତି ସମ୍ପୃକ୍ତ ଠକକୁ ମିଳିଗଲେ ସେ ସଂପୃକ୍ତ ବ୍ୟକ୍ତିଙ୍କ ମୋବାଇଲକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇପାରିବ। ମୋବାଇଲ ଆପ୍‌ର ଗୋପନୀୟ ତଥ୍ୟ ସବୁକୁ ହାତେଇ ନେବା ପରେ ଠକ ଜଣକ ଆରାମରେ ଆକାଉଣ୍ଟରୁ ଟଙ୍କା ନେଇ ଯାଇ ପାରିବ। ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଗୁଡ଼ିକ ଆବଶ୍ୟକ ପଦକ୍ଷେପ ନେବା ସହିତ ଗ୍ରାହକଙ୍କୁ ସଚେତନ କରାଇବାକୁ କୁହାଯାଇଛି। ଏହାହେଲେ ଏପ୍ରକାର ଜାଲିଆତିକୁ ସର୍ବନିମ୍ନ ସ୍ତରକୁ କମାଇ ଦିଆଯାଇ ପାରିବ କିମ୍ବା ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇ ପାରିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ତେଣୁ ସୋସିଆଲ ମିଡିଆ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଯଦି ଆପଣଙ୍କୁ କେହି ଏନିଡେସ୍କ‌ ଭଳି ଆପ୍ ଡାଉନଲୋଡ କରିବାକୁ ପରାମର୍ଶ ଦେଉ ଥାଏ ତାହେଲେ କରନ୍ତୁ ନାହିଁ। ଟଙ୍କା ଏହି ଉପାୟରେ ଠକେଇ ହେବାର ଆଶଙ୍କା ଥିବାରୁ ନୂଆ ଠକେଇ ଉପାୟଙ୍କୁ ନେଇ ବ୍ୟାଙ୍କ ଅଧିକାରୀମାନେ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି।

Related Posts

About The Author

Add Comment