ମୁମ୍ବାଇ, ୧୪/୨(ସନ୍ଧାନ ନିୟୁଜ) : ସୁଲଭ ଦରରେ ବିମାନ ସେବା ଯୋଗାଇ ଦେଉଥିବା ଦେଶର ଅଗ୍ରଣୀ ଘରୋଇ ବିମାନ କଂପାନି ଇଣ୍ଡିଗୋ ସଙ୍କଟରେ ପଡ଼ିଯାଇଛି। ପାଇଲଟ୍ ଅଭାବ ଯୋଗୁ ଏହା ଦୁଇ ଦିନ ହେଲାଣି କିଛି ବିମାନର ଉଡ଼ାଣ ବାତିଲ କରୁଛି। ଗତକାଲି ଏହାର ୩୦ଟି ବିମାନର ଉଡ଼ାଣ ବାତିଲ ହୋଇଥିଲା। ଆଜି ଆଉ ୪୯ଟି ବିମାନର ଉଡ଼ାଣ ବାତିଲ ହୋଇଛି। ଫେବ୍ରୁଆରି ମାସରେ ଏହି ସମସ୍ୟାର ସମାଧାନ ହେବ ନାହିଁ। ଚଳିତ ମାସରେ ପ୍ରତିଦିନ କଂପାନି ୩୦ଟି ବିମାନର ଉଡ଼ାଣ ବାତିଲ କରିବ ବୋଲି କହିଛି। ମାର୍ଚ ଶେଷ ସୁଦ୍ଧା ସବୁ କିଛି ଠିକ୍ ହୋଇଯିବ ବୋଲି କଂପାନି ଭାବୁଛି। ବିଭିନ୍ନ କାରଣ ଯୋଗୁ କଂପାନିର ବିମାନ ଉଡ଼ାଣ ବାତିଲ ହେଉଛି। ପାଇଲଟ୍ ଅଭାବ ଏକ ସମସ୍ୟା ହୋଇଥିବା ବେଳେ ଖରାପ ପାଣିପାଗ ଏବଂ ବିଭିନ୍ନ ବିମାନ ବନ୍ଦରରେ ଚାଲିଥିବା ନୋଟାମସ୍ (ନୋଟିସ୍ ଟୁ ଏୟାରମ୍ୟାନ୍) ମଧ୍ୟ ଅନ୍ୟତମ କାରଣ ବୋଲି କୁହାଯାଉଛି। ଏଥିପାଇଁ କଂପାନି ପାଖରେ ଯେଉଁ କ୍ରୁ ସଦସ୍ୟମାନେ ରହିଛନ୍ତି ସେମାନଙ୍କ ରୋଷ୍ଟର୍କୁ ବଦଳାଇବାକୁ ପଡ଼ୁଛି। ଯାହାର ପ୍ରଭାବରେ ବିମାନ ବାତିଲ ହେଉଛି। ଏସଂକ୍ରାନ୍ତରେ ଯାତ୍ରୀମାନଙ୍କୁ ଆଗୁଆ ଅବଗତ କରାଯାଉଛି ଏବଂ ସେମାନଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି କଂପାନି ପକ୍ଷରୁ କୁହାଯାଇଛି। କେଉଁ କାରଣ ଯୋଗୁ ଇଣ୍ଡିଗୋ ଏତେ ପରିମାଣର ବିମାନ ବାତିଲ କରୁଛି ତାହାର କାରଣ ଖୋଜିବାକୁ ଉଦ୍ୟମ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏରେ କାମ କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବିଗତ କିଛି ବର୍ଷ ହେଲାଣି ଇନ୍ଧନ ଦର ଯୋଗୁ ବିମାନ କଂପାନିଗୁଡ଼ିକ ଯେଉଁ ସମସ୍ୟା ଦେଇ ଗତି କରୁଛନ୍ତି େସଭଳି ସଙ୍କଟରେ ଇଣ୍ଡିଗୋ ପଡ଼ିଥିବା କଥାକୁ ଅସ୍ବୀକାର କରିହେବ ନାହିଁ।
ପ୍ରତି ୧୫ ଦିନରେ ଜେଟ୍ ସ୍ଥିତିର ସମୀକ୍ଷା
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜ୍ ଉପରେ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ନଜର ରଖିଛି। ପ୍ରତି ୧୫ ଦିନରେ କଂପାନିର ପରିଚାଳନା ସ୍ଥିତିର ସମୀକ୍ଷା କରିବାକୁ ଡିଜିସିଏ ନିଷ୍ପତ୍ତି ନେଇଛି। ଜେଟ୍ ବିମାନ ଲିଜ୍ ବାବଦ ପେମେଣ୍ଟ୍ ଦେଇପାରୁନାହିଁ। ସେଥିପାଇଁ ଏହାର ଅନେକ ବିମାନ ଠିଆ ହୋଇରହିଛି। କଂପାନି ଉପରେ ବିପୁଳ ପରିମାଣର ଋଣ ବୋଝ ରହିଛି। ଋଣର ପୁନର୍ଗଠନ କରିବାକୁ ଏହା ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛି। କଂପାନି ନୂଆ ପାଣ୍ଠି ଯୋଗାଡ଼ କରିବାକୁ ମଧ୍ୟ ଉଦ୍ୟମ କରୁଛି। ପରିଚାଳନାଗତ ସମସ୍ୟା ଯୋଗୁ ଗତ ରବିବାର କଂପାନିର କିଛି ବିମାନ ଉଡ଼ାଣ ବାତିଲ ହୋଇଥିଲା। ବ୍ୟବସାୟରେ ତିଷ୍ଠି ରହିବାକୁ ଏହି ସଂସ୍ଥା ସଂଘର୍ଷ କରୁଛି।