ଯାଜପୁର,: ୧୫/୧୦/୨୬ (ସନ୍ଧାନ ନ୍ୟୁଜ) ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅଧ୍ୟକ୍ଷତା କରି ପ୍ରାଧିକରଣର ସଚିବ ଲିପା ମହାନ୍ତି ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟପରିସର ଏବଂ କେଉଁମାନେ ଏହାର ସହାୟତା ନେଇପାରିବେ, ସେ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହ ବିଦ୍ୟାଳୟସ୍ତରୀୟ ଆଇନ ସାକ୍ଷରତା କ୍ଲବ୍ର ଉପାଦେୟତା ଓ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସେ ଅବଗତ କରାଇଥିଲେ। ଅତିଥି ଆଲୋଚକ ଭାବେ ଯୋଗଦେଇ ପ୍ରାଧିକରଣର ପୂର୍ବତନ ସଦସ୍ୟ ତଥା ସାମାଜିକ କର୍ମୀ ଡ. ରୁଦ୍ରନାରାୟଣ ପୃଷ୍ଟି ଯୌତୁକ ନିରାକରଣ ସମ୍ପର୍କିତ ସଚେତନତା ଓ ଜନସମ୍ପର୍କ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟର ପାଠ୍ୟକ୍ରମରେ ଯୌତୁକଜନିତ ଅପରାଧକୁ କିପରି ଅନ୍ତର୍ଭୁକ୍ତ କରାଯାଇପାରିବ ଏବଂ ଏ ସମ୍ପର୍କରେ ପଥପ୍ରାନ୍ତ ନାଟକ ପରିବେଷଣ ଦ୍ୱାରା କିପରି ଜନସଚେତନତା ସୃଷ୍ଟି କରାଯାଇପାରିବ, ସେ ସମ୍ପର୍କରେ ସେ ମତ ରଖିଥିଲେ। ଏଥିସହ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ, ପ୍ରାକୃତିକ ଓ ମାନବକୃତ ବିପର୍ଯ୍ୟୟରେ ପୀଡ଼ିତଙ୍କୁ ଆଇନଗତ ସହାୟତା ପ୍ରଦାନ ଏବଂ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଅଧିନିୟମ, ୨୦୧୨ ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଶିଶୁ ଅଧିକାର ଓ ଯୌତୁକ ନିରାକରଣ ସମ୍ପର୍କିତ ବିଷୟବସ୍ତୁକୁ ନେଇ ବିଦ୍ୟାଳୟର ଛାତ୍ରୀମାନେ ଦୁଇଟି କ୍ଷୁଦ୍ର ନାଟିକା ପରିବେଷଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୁନମୁନ ସାଗରିକା ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଆଇନ ସାକ୍ଷରତା କ୍ଲବ୍ର ଦାୟିତ୍ୱରେ ଥିବା ଶିକ୍ଷୟିତ୍ର ବବିତା ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅନ୍ୟତମ ଶିକ୍ଷୟିତ୍ରୀ ସୁଭଦ୍ରା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ବିଦ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ
ରାମବାଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା ସଭା ଅନୁଷ୍ଠିତ
|
October 15, 2026 |



