ଲୁଟିନେଲେ ଦଶ ହଜାର ଟ୍ରିପ ମୋରମ ତଥାପି ପ୍ରଶାସନ ଚୁପ: ଯାଜପୁର ଜିଲ୍ଲାପାଳ ଚୁପ
ଲୁଟିନେଲେ ଦଶ ହଜାର ଟ୍ରିପ ମୋରମ ତଥାପି ପ୍ରଶାସନ ଚୁପ: ଯାଜପୁର ଜିଲ୍ଲାପାଳ ଚୁପ
Manas Kumar Rout |
December 8, 2018 |

ଯାଜପୁର, ୮/୧୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଂଚଳରେ କ୍ଷମତାସୀନ ନେତା ଓ ପ୍ରଶାସନର ମିଳିତ ସଲାସୁତାରରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ପାହାଡ ପର୍ବତ ମାଟିରେ ମିଶୁଛି । ଏହି ତହସିଲ ଡଙ୍କାରୀ ରାଜସ୍ୱ ନିରୀକ୍ଷକ ସର୍କଲ ଅନ୍ତର୍ଗତ ଗଙ୍ଗେଇଡୁବୁରୀ ପାହାଡରୁ ୧୦ ହଜାର ଟ୍ରିପ ମୋରମ ଲୁଟ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିଦେ୍ର୍ଦଶ ପରେ ଜିଲ୍ଲାପାଳ ଚୁପ ରହିଛନ୍ତି ।
ସ୍ଥାନୀୟ ଅଂଚଳରେ ଗଙ୍ଗେଇଡୁବୁରୀ ପାହାଡ ନାମରେ ପରିଚିତ ପାହାଡରୁ ମୋରମ ଉଠାଣ ପାଇଁ କୌଣସି ପ୍ରକାର ଅନୁମତି କିମ୍ବା ପରିବେଶ ମଂଜୁରୀ ନଥାଇ ମୋରମ ଲୁଟ ଚାଲିଛି । ଦିଲ୍ଲିପ ବିଲ୍ଡକନ ଲିମିଟେଡ ନାମକ ସଂସ୍ଥା ଦ୍ୱାରା ଏହି ଲୁଟ ଚାଲିଛି । ଏହି ଲୁଟ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବୁଧବାର ଠାରୁ ଯାଜପୁର ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଆସିଛି । ହେଲେ ଯାଜପୁର ଜିଲ୍ଲାପାଳ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

ଏହି ତହସିଲ ଅଂଚଳରେ ମାଫିଆ ମାନଙ୍କ ଉତ୍ପାତରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ପାହାଡ ମାଟିରେ ମିଶିବାକୁ ଯାଉଥିବା ବେଳେ ଜଙ୍ଗଲ ଓ ପରିବେଶ ଧ୍ୱଂସାଭିମୁଖୀ ହେବାକୁ ଯାଉଛି । ସ୍ଥାନୀୟ ଅଂଚଳର ପାହାଡ ପର୍ବତ ଲୁଟ ହେଉଥିଲେ ବି ଏଠାରେ ସ୍ଥାନୀୟ ଲୋକେ କେବଳ ଶ୍ରମିକ ହୋଇ ରହିଛନ୍ତି । ଏହିସବୁ ଲୁଟରେ ବାହାରର ଲୋକ ଓ କମ୍ପାନୀ ରାଜ ଚାଲିଛି । ଗଙ୍ଗେଇଡୁବୁରୀ ପାହାଡରୁ ଗୁରୁବାର ସୁଦ୍ଧା ପ୍ରାୟ ୧୦ ହଜାର ଟ୍ରିପ ଲୁଟି ନେଇଥିବା ବେଳେ ନିକଟରେ ଥିବା ଚଢେଇଧରା ଫାଣ୍ଡୀ, ଜେନାପୁର ଥାନା ପୋଲିସ, ତହସିଲ ଓ ବନ ବିଭାଗ କର୍ମଚାରୀ ମାସିକିଆ ଚାନ୍ଦା ନେଇ ଚୁପ ରହିଛନ୍ତି । ଏଥିପାଇଁ ସରକାର ମଧ୍ୟ ବହୁ ଲକ୍ଷ ଟଙ୍କାର ରାଜସ୍ୱ ହରାଇଛନ୍ତି । ଏଥିନେଇ ଧର୍ମଶାଳାର ବି.ଜେ.ଡି ଯୁବନେତା ତଥା ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟରେ କରିଥିବା ଅଭିଯୋଗ ଅନୁସାରେ ଯାଜପୁର ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ବୁଧବାର ନିଦେ୍ର୍ଦଶ ଆସିଛି । ଏଠାରୁ ଲୁଟ ହୋଇଥିବା ମୋରମ ନେଇ ତୁରନ୍ତ ଏହି କମ୍ପାନୀ ବିରୋଧରେ ଫୌଜଦାରୀ ମାମଲା ରୁଜୁ ସହ ଜରିମାନା ଆଦାୟ ପାଇଁ ସାଧାରଣରେ ଦାବି ହେଉଛି । ପ୍ରକାଶ ଥାଉ କି ସ୍ଥାନୀୟ ଅଂଚଳକୁ ବି.ଜେ.ଡି ଜନସମ୍ପର୍କରେ ଯାଇଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ନିକଟରେ ଲୁଣିବେର ଗାଁର ଲୋକେ ତିବ୍ର ଅସନ୍ତୋଷ ପ୍ରକାଶ କରିବା ସହ ପାହାଡ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାକୁ ଦାବି କରିଥିଲେ ।
Report. Anita Behera
Related Posts
About The Author